ନୂଆପଡ଼ାରେ ଚାଞ୍ଚଲ୍ୟ! ଗୋଟିଏ ଘରୁ ମିଳିଲା ନବଦମ୍ପତିଙ୍କ ମୃତଦେହ

0

ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ଡୁଆଝର ପଞ୍ଚାୟତର ଭୀମଖୋଲ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗୋଟିଏ କୋଠରୀରୁ ଯୁବକ ସ୍ୱାମୀ ଓ ତାଙ୍କ ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଦମ୍ପତି ହେଲେ ସଂକୀର୍ତ୍ତନ ଗହୀର (୨୩) ଓ ତାଙ୍କ ସ୍ତ୍ରୀ ସୁଭଦ୍ରା ଗହୀର (୨୦)। ପ୍ରାୟ ଦେଢ଼ ବର୍ଷ ପୂର୍ବେ ଉଭୟଙ୍କ ବିବାହ ହୋଇଥିଲା। ଯୁବ ଦମ୍ପତିଙ୍କ ଏଭଳି ମୃତ୍ୟୁକୁ ନେଇ ଗ୍ରାମରେ ଶୋକ ଓ ଚାଞ୍ଚଲ୍ୟ ଖେଳିଯାଇଛି।

ପ୍ରାଥମିକ ସୂଚନା ଅନୁସାରେ, ସଂକୀର୍ତ୍ତନଙ୍କ ମୃତଦେହ ଘରର ଏକ ଖଟ ଉପରେ ଗୋଡ଼ ବନ୍ଧା ଅବସ୍ଥାରେ ମିଳିଥିଲା। ସେହି କୋଠରୀରୁ ତାଙ୍କ ସ୍ତ୍ରୀ ସୁଭଦ୍ରାଙ୍କ ମୃତଦେହ ମଧ୍ୟ ମିଳିଛି। ଗୋଟିଏ କୋଠରୀରୁ ଉଭୟଙ୍କ ମୃତଦେହ ମିଳିବା ଘଟଣାକୁ ଆହୁରି ରହସ୍ୟମୟ କରିଛି। ତେବେ ଘଟଣାର ପ୍ରକୃତ ପରିସ୍ଥିତି ସମ୍ପର୍କରେ ଏଯାଏଁ ସ୍ପଷ୍ଟ ସୂଚନା ମିଳିନାହିଁ।

ଘଟଣା ସମ୍ପର୍କରେ ଖବର ପାଇ ଖଡ଼ିଆଳ ପୁଲିସ ଗ୍ରାମରେ ପହଞ୍ଚିଛି। ଦମ୍ପତିଙ୍କ ମୃତ୍ୟୁ କିପରି ଓ କେଉଁ ପରିସ୍ଥିତିରେ ହେଲା, ତାହା ଜାଣିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି। ଘଟଣା ପଛରେ କୌଣସି ଅପରାଧିକ କାରଣ ରହିଛି କି ନାହିଁ, ତାହା ମଧ୍ୟ ତଦନ୍ତ ପରେ ସ୍ପଷ୍ଟ ହେବ। ଏହି ଘଟଣାକୁ ନେଇ ଭୀମଖୋଲ ଗ୍ରାମରେ ଆଲୋଡ଼ନ ସୃଷ୍ଟି ହୋଇଛି। ତେବେ ପୁଲିସର ତଦନ୍ତ ଓ ଆବଶ୍ୟକ ଯାଞ୍ଚ ପରେ ହିଁ ଦମ୍ପତିଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।

Leave A Reply

Your email address will not be published.