ସେ ବ୍ରଜ ନାରୀଙ୍କ ପୟରେ

ଅର୍ଜୁନୀ ଚରଣ ବେହେରା

ଦ୍ଵାପର ଯୁଗର କଥା l ଏକଦା ଦ୍ୱାରାବତୀ ପୁରରେ
ଗୋଟିଏ ଅନ୍ତରଙ୍ଗ ଆଳାପରେ ପ୍ରଭୁ ଦ୍ୱାରକାଧୀଶଙ୍କୁ ଅଷ୍ଟପାଟବଂଶୀ ପଚାରିଲେ,’ପ୍ରଭୁ ଆପଣ ତ ଗୋପ ପୁର ଛାଡ଼ି ମଥୁରା ଆସିଲେ,ପୁଣି କଂସନିଧନ ପରେ ସେଠାରୁ ଆସି ଏଠାରେ ମନୋରମ ଦ୍ୱାରିକା ନଗର ନିର୍ମାଣ କଲେ l ଆମ୍ଭମାନଙ୍କୁ ବିବାହ କରି ଆପଣଙ୍କ ଚରଣଦାସୀ ହେବାର ସୌଭାଗ୍ୟ ଦେଲେ l ହେଲେ ଆଶ୍ଚର୍ଯ୍ୟର କଥା,ଆମ୍ଭମାନଙ୍କ ମଧ୍ୟରୁ କାହାରି ଜଣକ ନାମ ସହିତ ଆପଣଙ୍କ ନାମ ଯୁକ୍ରହୋଇ ପାରିନାହିଁ l ମାତ୍ର ଗୋପ ଗୋପାଳୁଣୀମାନଙ୍କ ପାଇଁ ଆପଣ ନାମ ରଖିଲେ ଗୋପୀବଲ୍ଲଭ ଗୋପୀନାଥ ଗୋପୀଜୀବନ ଆଦି କେତେ କେତେ ନାମ l ପୁଣି ପରକୀୟା ପ୍ରୀତି କରି ରାଧା ରାଣୀଙ୍କ ନାମ ଆପଣଙ୍କ ନାମ ଆଗରେ ଯୋଗ କରି ବୋଲାଉଛନ୍ତି ରାଧାକାନ୍ତ, ରାଧାରମଣ ରାଧିକା ଜୀବନ ଇତ୍ୟାଦି l କାହିଁକି ଏପରି ହେଲା !! ଆମ୍ଭର କ’ଣ କିଛି ଭୁଲ ରହିଗଲା କି? ଆମେମାନେ ଆପଣଙ୍କ ସେବାରେ କିଛି ତ୍ରୁଟି କଲୁ କି ! ଦୟାକରି ଆମର ଏହି ସଂଶୟ ଦୂର କରନ୍ତୁ”l ପ୍ରଭୁ ଦେଖିଲେ ଆରେ ଇଏତ ବଡ଼ କଠିନପ୍ରଶ୍ନ l କିଛିସମୟ ନିରବ ରହି ଶ୍ରୀକୃଷ୍ଣ କହିଲେ, “ଆଚ୍ଛା ହେଉ ! ତୁମ୍ଭମାନଙ୍କ ମନରେ ଏ ଯେଉଁ ସଂଶୟ ଉଠିଛି ଅଚିରେ ତାହାକୁ ମୁଁ ସମାଧାନ କରିବି l”
କିଛିଦିନ ବିତିଗଲା, ପ୍ରଭୁଙ୍କ ମନରେ ଥାଏ ଏକଥା l ସମାଧାନପାଇଁ ପ୍ରଭୁ ଗୋଟିଏ ମାୟା ରଚନାକଲେ l ଦିନେ ସେ ପ୍ରବଳ ଜ୍ୱରରେ ପଡ଼ି ଗଲେ ଓ ଅନେକ ଚେଷ୍ଟାସତ୍ତ୍ୱେ ଅସୁସ୍ଥତାର କୌଣସି ଉପଶମ ହେଲା ନାହିଁ l ଶେଷରେ ପ୍ରଭୁ ଉଦ୍ଧବଙ୍କୁ ଡାକି ଏହା କିପରି ଉପଶମ ହେବ, ପଚାରିଲେ l ଉଦ୍ଧବ ତ ପ୍ରଭୁଙ୍କର ମରମ ଜାଣିଥିବା ପରମଭକ୍ତ, ସେ କହିଲେ, ପ୍ରଭୁ ! ଏହାର ଗୋଟିଏ ମାତ୍ର ନିଦାନ ଅଛି l ନାରୀମାନଙ୍କ ପାଦ ଧୂଳି ଯଦି ଆପଣଙ୍କ ମସ୍ତକରେ ଲେପନ କରା ଯାଏ, ତେବେ ଯାଇ ଏହା ଉପଶମ ହୋଇପାରିବ l ସେ ପୁଣି ଅଷ୍ଟ ପାଟବଂଶୀଙ୍କୁ ଡାକି କହିଲେ, ତୁମ୍ଭେ ମାନେ ତୁରନ୍ତ ଏହି ବ୍ୟବସ୍ଥାକର l ଅଷ୍ଟ ପାଟବଂଶୀ ଚିନ୍ତାରେ ପଡ଼ିଗଲେ l ଅତି ଆଶ୍ଚର୍ଯ୍ୟହୋଇ ପରସ୍ପର ଭିତରେ ସେମାନେ ଚାହାଁଚାହିଁ ହେଉଥାନ୍ତି, କୌଣସି ନିଷ୍ପତ୍ତିରେ ପହଞ୍ଚି ପାରୁ ନ ଥାନ୍ତି l ଆଲୋଚନା କରି କହୁଥାନ୍ତି,”ଆମେ କିପରି ଏ ଅଧର୍ମ କରିବୁ ? ସ୍ବାମୀ ଆମର ଇହକାଳ ପରକାଳର ଦେବତା, ତାଙ୍କୁ ପୁଣି ଦେବୁ ପାଦଧୂଳି !! ଅସମ୍ଭବ !! ଭକ୍ତ ଉଦ୍ଧବଙ୍କୁ ସ୍ପଷ୍ଟ ଭାବେ ଏ କଥା ଜଣାଇ ଦେଲେ ସେମାନେ l ନିରୁପାୟ ଉଦ୍ଧବଙ୍କୁ ଦେଖି ଶ୍ରୀକୃଷ୍ଣ କହିଲେ,’ ହଉ ! ତୁମେ ଗୋଟିଏ କାମ କର l ଟିକିଏ କଷ୍ଟ କରିବାକୁ ହେବ l ତୁମେ ଗୋପପୁର ଯାଅ ଓ ଗୋପୀ ମାନଙ୍କୁ ଏକଥା ଜଣାଅ l ମୋର ବିଶ୍ୱାସ, ସେମାନେ ନିଶ୍ଚୟ ରାଜିହେବେ l ଅବିଳମ୍ବେ ତୁମେ ବ୍ରଜ ପୁରକୁ ଗମନ କର ଏଵଂ ସେମାନେ କଅଣ କହୁଛନ୍ତି ଫେରି ଆସି ମୋତେ ଜଣାଅ l’
ଉଦ୍ଧବ ଚାଲିଲେ,ଗୋକୁଳ l ସେଠାରେ ପହଞ୍ଚି ସେ ଗୋପୀମାନଙ୍କୁ ସମସ୍ତ ବୃତ୍ତାନ୍ତ କହିଲେ l ପାଦଧୂଳି କଥା କହିବାକୁ ଟିକିଏ ତାଙ୍କୁ ସଙ୍କୋଚ ଲାଗୁଥାଏ l କିନ୍ତୁ ଉପାୟ କଅଣ l ସେ ବାଧ୍ୟହେଲେ କହିବାକୁ l ଶୁଣିବା ମାତ୍ରକେ ଗୋପୀମାନେ ଏକ ସ୍ଵରରେ କହି ଉଠିଲେ,”ଏଇନିଅ ଆମ ପାଦଧୂଳି l ଆମ କାହ୍ନାର ମୁଣ୍ଡସାରା ବୋଳି ଦେବ ଏବଂ କହିବ ଆମ୍ଭ ମାନଙ୍କ ଆୟୁଷ ତାକୁ ପ୍ରାପ୍ତହେଉ “l
ଆମ୍ଭ ଆୟୁଷ ତୋତେ ହେଉ l
ତୋ ଦେହ ଚିର କାଳ ରହୁ ll
ଉଦ୍ଧବ ଆଶ୍ଚର୍ଯ୍ୟ ! ଧନ୍ୟ ଏ ବ୍ରଜାଙ୍ଗନା ଗଣ ! ଧନ୍ୟ ଏହାଙ୍କ ଜୀବନ ! ଧନ୍ୟ ଏହାଙ୍କ ଅତ୍ମୀୟତା ! ଧନ୍ୟ ଏହାଙ୍କ ପ୍ରଭୁଙ୍କ ସହ ଏକାତ୍ମତା ! ଆଉ କାଳ ବିଳମ୍ବ ନ କରି ଉଦ୍ଧବ ଗୋପୀଙ୍କ ପାଦ ଧୂଳିକୁ ଗାମୁଛାରେ ବାନ୍ଧି ମୁଣ୍ଡେଇ ପ୍ରତ୍ୟାବର୍ତ୍ତନ କଲେ ଦ୍ବାରିକା l
ଉଦ୍ଧବ ପହଞ୍ଚିବା କ୍ଷଣି ଭଗବାନ ସେହି ପାଦଧୂଳିକୁ ଅତ୍ୟନ୍ତ ଭାବାବେଗ ଓ ଶ୍ରଦ୍ଧାର ସହ ଗ୍ରହଣ କଲେ ଓ ନିଜ ଶିରରେ ସିଞ୍ଚି ଦେଲେ l ତୁରନ୍ତ ପ୍ରଭୁଙ୍କ ଜ୍ୱର ଛାଡ଼ିଗଲା l ଏହାକୁ କାଷ୍ଠପିତୁଳୀ ପ୍ରାୟ ଠିଆହୋଇ ଦେଖୁ ଥିଲେ ଅଷ୍ଟ ପାଟବଂଶୀ ଓ ଭକ୍ତ ଉଦ୍ଧବ l
ଅଷ୍ଟ ପାଟବଂଶୀ ତାଙ୍କ ଉତ୍ତର ପାଇଗଲେ l ପରମ ଭକ୍ତ ଉଦ୍ଧବ କଳନା କରୁଥିଲେ, ଭଗବତ ପ୍ରେମ ଓ ଭକ୍ତିର ସେହି ଗଭୀରତାକୁ l
ଭକ୍ତ ଓ ଭଗବାନଙ୍କମଧ୍ୟରେ କିଛି ସଂଶୟ ଅବିଶ୍ୱାସ ଦ୍ୱିଧା କୁଣ୍ଠା କିମ୍ବା ବିକାରର ପ୍ରଶ୍ନନାହିଁ l ଏହି ଭାବହିଁ ଥିଲା ଗୋପୀମାନଙ୍କ ଠାରେ l ତାହା ଥିଲା ଅନାବିଳ ପ୍ରେମ, ନିର୍ମଳ ଗୋପୀଭାବ ଏଵଂ ସମ୍ପୂର୍ଣ୍ଣ ସମର୍ପଣ l ଭାବ ନ ଥିଲେ ଭଗବାନ ନାହାଁନ୍ତି l ଏଣୁ ଗୋସ୍ୱାମୀ ତୁଳସୀଦାସ ରାମଚରିତ ମାନସରେ କହିଲେ :-
କମଠ ପୀଠ ବରୁ ଜାମହି ବାରା l
ବନ୍ଧ୍ୟା ସୂତ ବରୁ କାହାହୁ ମାରା ll
ଫୁଲଇ ନଭ ବରୁ ବହୁବିଧ ଫୁଲା l
ଜୀବ ନ ଲହ ସୁଖ ହରିପ୍ରତିକୂଲା ll
ଅର୍ଥାତ୍ କଇଁଛ ପୃଷ୍ଠରେ କେଶ ଜାତହେବା l ବନ୍ଧ୍ୟା ନାରୀ ଠାରୁ ବଳଵାନ ପୁତ୍ର ଜାତହେବା l ଶୂନ୍ୟରେ ନାନାବିଧ ଫୁଲଫୁଟିବା ଆଦି ସମ୍ଭବ ହୋଇପାରେ l କିନ୍ତୁ ହରିଭଜନ ବିନା ହରିପ୍ରେମ ବିନା କେହି ସୁଖ ଲାଭ ବା ହରିଲାଭ କରିବା ସମ୍ପୂର୍ଣ୍ଣ ଅସମ୍ଭବ l ପ୍ରଭୁ ହେଉଛନ୍ତି ଭାବକୁ ନିକଟ ଅଭାବକୁ ଦୂର, ସେ ଭକ୍ତ ବତ୍ସକ ଭାବଗ୍ରାହୀ l ଏହିଭାବ ମଧ୍ୟ ବିଭୁକୃପା ବିନା ଅସମ୍ଭବ l
ଭାବରେ ଶ୍ରୀବତ୍ସବ୍ରାହ୍ମଣ ପଦାଘାତକୁ ପ୍ରଭୁ ବକ୍ଷରେ ବହନ କରନ୍ତି l ଭାବରେ, ଦରିଦ୍ର ସୁଦାମାକୁ କୋଳ କରି ନିରନ୍ତି l ଭାବରେ ସେ ପାଞ୍ଚାଳୀଙ୍କୁ କୋଟିବସ୍ତ୍ର ଯୋଗାଇ ଦିଅନ୍ତି l ବିଦୁର ଘରେ ଶାକାନ୍ନ ଭୋଜନ କରନ୍ତି ପରମ ପ୍ରେମରେ l ଶବରୀର ଅଇଁଠା କୋଳି ଭକ୍ଷଣ କରନ୍ତି ପରମ ତୃପ୍ତିରେ l
ପ୍ରଭୁଙ୍କୁ ମଣିଷ ବା କଅଣ ଦେଇ ପାରିବ? ସବୁ ପରା ତାଙ୍କରି ଦାନ l ନିଜର ଦାନକୁ କ’ଣ ଗ୍ରହଣ କରନ୍ତେ ସେ l ସେ ଯାହା ଗ୍ରହଣ କରନ୍ତି ତାହା ହେଲା ଭାବ l
ଏଣୁ ଭକ୍ତକବି ଦୀନକୃଷ୍ଣ ଦାସ ଗୋପୀ ଭାବକୁ ଲକ୍ଷ କରି କହିଲେ :-
କଲେ ବେଦପତି ନାନା ରୂପେ ସ୍ତୁତି
ବିମୁଖ ଯେ ଶୁଣିବାକୁ l
କର୍ଣ୍ଣ ଡ଼େରି ଥାନ୍ତି ବରଜ ଯୁବତୀ
କରତାଙ୍କ ଡାକିବାକୁ ll
ପୁଣି ଶ୍ରୀମଦ୍ ଭାଗବତ ମହାପୁରାଣ କହିଲେ :-
ଗାଳି ଶୁଣଇ ଗୋପୀ ମୁଖେ l
ବେଦ ନଶୁଣେ ତେତେ ସୁଖେ ll
ବ୍ରଜନାରୀ ମାନଙ୍କ ଭଗବାନ ଶ୍ରୀକୃଷ୍ଣଙ୍କୁ ପାଦରେଣୁ ପ୍ରଦାନ ପ୍ରସଙ୍ଗକୁ ଅତିଚମତ୍କାର ଭାବେ ବର୍ଣ୍ଣନାକରି ମହର୍ଷି ବ୍ୟାସଦେବ ଶ୍ରୀମଦ୍ଭାଗବତ ଦଶମସ୍କନ୍ଧ ଷଡ଼ ଚାଳିଶ ଅଧ୍ୟାୟ ଷଷ୍ଠ ଶ୍ଳୋକରେ କହିଲେ :-
ବନ୍ଦେ ନନ୍ଦ ବ୍ରଜସ୍ତ୍ରୀଣାମ୍
ପାଦରେଣୁ ମତ୍ତୀକ୍ଷ୍ମଣଃ l
ଯାସାଂ ହରିକଥୋହଗୀତଂ
ପୁନାତି ଭୁବନ ତ୍ରୟମ୍ ll
ବ୍ରଜନାରୀମାନେ ଭଗଵାନଙ୍କୁ ବାନ୍ଧିଥିଲେ ଭାବରେ l ଏଣୁ ସେମାନେ ନିର୍ବିକାରଚିତ୍ତରେ ଭଗବାନଙ୍କୁ ପାଦ ଧୂଳି ବାଢ଼ି ଦେଇଥିଲେ l ବୈଷ୍ଣବ ଭକ୍ତଗଣ ଗୋପୀ ଭାବକୁ ହୃଦରେ ଧରି ତେଣୁ ଗାଇଥାନ୍ତି:-
ସେ ବ୍ରଜନାରୀଙ୍କ ପୟରେ l
ମନ ମୋ ଥାଉ ନିରନ୍ତରେ ll
!!! ଜୟ ଶ୍ରୀରାଧେ !!!
🙏🙏🙏
ଅର୍ଜୁନୀ
—————-
ଅର୍ଜୁନୀ ଚରଣ ବେହେରା
ମୋ – 7693091971

Comments are closed.