ସର୍ବଭାରତୀୟ ସ୍ତରରେ ଓଡ଼ିଆ ଭାଷାରୁ ଯୁବଲେଖିକା ରୋଜାଲୀନ ହେଲେ ମନୋନୀତ

ପିଏମ୍ ୟୁବା ମେଣ୍ଟରଶିପ୍ ପାଇଁ ରୋଜାଲୀନ ମହାନ୍ତିଙ୍କ ଦିଲ୍ଲୀ ଯାତ୍ରା

ବାଲେଶ୍ଵର: ୧୨/୨(କୃଷ୍ଣ କୁମାର ମହାନ୍ତି) ପି.ଏମ୍. ୟୁବା ମେଣ୍ଟରସିପ୍- ୨.୦ ଯୋଜନାରେ ମନୋନୀତ ହୋଇଛନ୍ତି ଉଦୀୟମାନ ଯୁବଲେଖିକା ରୋଜାଲୀନ ମହାନ୍ତି। ଏହି ଯୋଜନାରେ ଶ୍ରୀମତୀ ମହାନ୍ତି ମାସିକ ୫୦ ହଜାର ଟଙ୍କା ଲେଖାଏଁ ୬ ମାସ ପାଇଁ ସର୍ବମୋଟ ତିନିଲକ୍ଷ ଟଙ୍କା ପାଇବେ। ଏଥିସହ ତାଙ୍କର ପାଣ୍ଡୁଲିପି ନେସନାଲ୍ ବୁକ୍ ଟ୍ରଷ୍ଟ ଦ୍ୱାରା ପୁସ୍ତକ ଆକାରରେ ପ୍ରକାଶ ପାଇବା ସହ ଅନ୍ୟାନ୍ୟ ଭାରତୀୟ ଭାଷାରେ ମଧ୍ୟ ଅନୂଦିତ ହେବ।

ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଓ ନେସନାଲ୍ ବୁକ୍ ଟ୍ରଷ୍ଟ ପକ୍ଷରୁ ୩୦ ବର୍ଷ ବୟସ ଭିତରେ ଥିବା ୟଙ୍ଗ୍ ଅପ୍ କମିଙ୍ଗ୍ ଆଣ୍ଡ୍ ଭର୍ସାଟାଇଲ୍ ଅଥର୍ସ (YUVA)ଙ୍କ ଠାରୁ ପାଣ୍ଡୁଲିପି ଆହ୍ୱାନ କରାଯାଇଥିଲା। ‘ଗଣତନ୍ତ୍ର’ ବିଷୟକୁ ନେଇ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଉପରେ ଲିଖିତ ଶ୍ରୀମତୀ ମହାନ୍ତିଙ୍କ ପାଣ୍ଡୁଲିପିଟି ଏହି ଯୋଜନାରେ ମନୋନୀତ ହୋଇଛି।

୧୦ ଫେବୃଆରୀ ୧୦ ତାରିଖ ଦିନ ଏନ୍.ବି.ଟି. ଦ୍ଵାରା ଦିଲ୍ଲୀର ପ୍ରଗତି ମୈଦାନରେ ଆୟୋଜିତ ୱାର୍ଲ୍ଡ ବୁକ୍ ଫେୟାରରେ ସମସ୍ତ ଯୁବଲେଖକଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ ସହ ୧୧ ଫେବୃଆରୀରେ ରାଷ୍ଟ୍ରପତିଙ୍କ ସହ ଭେଟ ଏବଂ ଭାବ ବିନିମୟର ସୁଯୋଗ ଦିଆ ଯାଇଥିଲା।

ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ସିଦ୍ଧପୋଖରୀ ଗ୍ରାମର କୁମରବର ମହାନ୍ତି ଓ ସ୍ଵର୍ଗତ ସୁଧାଂଶୁବାଳା ମହାନ୍ତିଙ୍କ ସୁକନ୍ୟା ରୋଜାଲୀନ ଗଳ୍ପ, କବିତା ରଚନା ସହ ଆକାଶବାଣୀ ଓ ଦୂରଦର୍ଶନ ଉପସ୍ଥାପିକା ଭାବେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି। ସାମ୍ବାଦିକତାରେ ସ୍ନାତକୋତ୍ତର କରିଥିବା ରୋଜାଲୀନ ପୂର୍ବରୁ ‘ସମ୍ବାଦ’ ଖବରକାଗଜରେ ମଧ୍ୟ କାମ କରିଛନ୍ତି। ସାହିତ୍ୟ ସାଧନା ପାଇଁ ସେ କଥା ନବପ୍ରତିଭା ପୁରସ୍କାର, କାଦମ୍ବିନୀ ନବଉନ୍ମେଷ ପୁରସ୍କାର ପାଇବା ସହ ବିଭିନ୍ନ ସାହିତ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି। ସମ୍ପ୍ରତି ଭୁବନେଶ୍ୱର ଠାରେ ନିଜର ସ୍ଵାମୀ ଡ଼ାକ୍ତର ତଥା ଯୁବ ଗାଳ୍ପିକ ଦିଲ୍ଲୀପ ବେହେରାଙ୍କ ସହିତ ଅବସ୍ଥାନ କରୁଥିବା ଶ୍ରୀମତୀ ମହାନ୍ତି ଦେଶର ବିଭିନ୍ନ ଭାଷାରୁ ମନୋନୀତ ମୋଟ ୪୪ ଜଣ ତରୁଣ ଲେଖକଙ୍କ ମଧ୍ୟରେ ଏକମାତ୍ର ଓଡ଼ିଆ ଲେଖକ ହିସାବରେ ନିର୍ବାଚିତ ହେଇଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଓଡ଼ିଆ ଲେଖକ।

Comments are closed.