ଜଗତସିଂହପୁରରେ ନର୍ସିଂ କଲେଜ ପ୍ରତିଷ୍ଠା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ସମ୍ପଦ ଚନ୍ଦ୍ର ସ୍ବାଇଁ

0

ଭୁବନେଶ୍ବର : ବର୍ତ୍ତମାନ ସମୟରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବାର ଚାହିଦା ବଢିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲାରେ ଏକ ନର୍ସିଂ କଲେଜ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ଚିଠି ଲେଖିଛନ୍ତି ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ତଥା ପାରାଦୀପ ବିଧାୟକ ସମ୍ପଦ ଚନ୍ଦ୍ର ସ୍ବାଇଁ।

ବିଭିନ୍ନ ସରକାରୀ ଓ ବେସରକାରୀ ହସ୍ପିଟାଲ, କ୍ଲିନିକ୍ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ତାଲିମପ୍ରାପ୍ତ ନର୍ସମାନଙ୍କର ଆବଶ୍ୟକତା ରହିଛି। ଚିକିତ୍ସା ଏବଂ ସ୍ବାସ୍ଥ୍ୟ ବ୍ୟବସ୍ଥାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ଦକ୍ଷ ଏବଂ ସେବା ମନୋବୃତ୍ତି ରଖୁଥିବା ପେସାଦାର ନର୍ସ ପ୍ରସ୍ତୁତ କରିବା ପାଇଁ ନର୍ସିଂ କଲେଜ ଆବଶ୍ୟକ। ଏହା ରୋଗୀଙ୍କର ଠିକ୍ ଭାବେ ଯତ୍ନ ନେବା, ଡାକ୍ତରଙ୍କୁ ସହାୟତା କରିବା ନେଇ ପ୍ରଶିକ୍ଷଣ ଦେଇଥାଏ। ଦକ୍ଷ ନର୍ସମାନଙ୍କୁ ପ୍ରସ୍ତୁତ କରୁଥିବାରୁ ନର୍ସିଂ କଲେଜ ସ୍ୱାସ୍ଥ୍ୟସେବାରେ ଉନ୍ନତି ଆଣିବା ସହ ହସପିଟାଲ ଉପରୁ ଚାପ ହ୍ରାସ କରିବାରେ ସହାୟକ ହୋଇଥାଏ। ଜଗତସିଂହପୁରରେ ଜନସଂଖ୍ୟା ବଢୁଥିବା ବେଳେ ବର୍ଦ୍ଧିତ ସ୍ବାସ୍ଥ୍ୟ ସମସ୍ୟାର ସମାଧାନ ପାଇଁ ନର୍ସିଂ କଲେଜର ଆବଶ୍ୟକତା ରହିଛି।

ଦୀର୍ଘ ଦିନ ଧରି ଜଗତସିଂହପୁର ଜିଲ୍ଲାବାସୀ ଏକ ନର୍ସିଂ କଲେଜ ପ୍ରତିଷ୍ଠା ପାଇଁ ଦାବି କରିଆସୁଛନ୍ତି। ତେଣୁ ଜିଲ୍ଲାବାସୀଙ୍କ ଶିକ୍ଷାଗତ ଆଶା ଓ ସ୍ବାସ୍ଥ୍ୟ ସୁରକ୍ଷାକୁ ବିଚାର କରି ଏଦିଗରେ ଯଥାଶୀଘ୍ର ହସ୍ତକ୍ଷେପ କରିବାକୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ଶିଳ୍ପ ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ବାଇଁ। ଜଗତସିଂହପୁରରେ ନର୍ସିଂ କଲେଜ ପ୍ରତିଷ୍ଠା ହେଲେ, ଏହି ଅଞ୍ଚଳର ଉନ୍ନତି ପାଇଁ ଏକ ବଡ଼ ମାଇଲଖୁଣ୍ଟ ହେବ।

Leave A Reply

Your email address will not be published.