ସାଧାରଣତନ୍ତ୍ରର ଇତିବୃତ୍ତ

ଅର୍ଜୁନୀ ଚରଣ ବେହେରା

ସାଧାରଣତନ୍ତ୍ରର ଇତିବୃତ୍ତ
================
ଆମ୍ଭର ପ୍ରାଚୀନ ଶାସ୍ତ୍ର ଓ ବୌଦ୍ଧିକ ଗ୍ରନ୍ଥ ମାନଙ୍କୁ ଅନୁଧ୍ୟାନ କଲେ ଜଣାଯାଏ, ପ୍ରାଚୀନ ଭାରତରେ ନାଗରିକ ଗଣ ବହୁ ଗଣରାଜ୍ୟ ସୃଷ୍ଟି କରିଥିଲେ l ବିଶ୍ୱ ମାନବକୁ ମାନବିକତା ତଥା ଏକତାର ମନ୍ତ୍ର ଆମର ଏ ଭାରତବର୍ଷ ହିଁ ଶିଖାଇ ଥିଲା l ସମସ୍ତ ଅଗ୍ରଗଣ୍ୟ ଜ୍ଞାନୀ ଗୁଣୀ ମହାତ୍ମା ଭାରତ ବର୍ଷରେ ହିଁ ଜନ୍ମହୋଇ ବିଶ୍ୱବାଣୀ ଦେଇ ଯାଇଛନ୍ତି l ମନୁ ଶ୍ରୁତିରେ କୁହାଯାଇଛି :-
ଏତଦ୍ ଦେଶ ପ୍ରସୁତସ୍ୟ
ସକାଶାଦ୍ ଅଗରଜନ୍ମନଃ l
ସ୍ଵ ସ୍ଵ ଚରିତ୍ରମ୍ ଶିକ୍ଷରେନ୍
ପୃଥ୍ୱୀବ୍ୟାଙ ସର୍ବ ମାନବାଃ ll
ସେ ସମୟରେ ରାଜା ନାମକ ଶବ୍ଦ ନ ଥିଲା କିମ୍ବା କେହି ରାଜା ନ ଥିଲେ l ପ୍ରଜା ମାନଙ୍କର ପ୍ରତିନିଧି ଗଣରାଜ୍ୟ ମୁଖ୍ୟ ଭାବେ ରାଜ୍ୟର ଭଲ ମନ୍ଦ ବୁଝୁ ଥିଲେ lସେମାନେ ସମସ୍ତେଥିଲେ ସମାଜର ଜଣେ ଜଣେ ଉତ୍ତମ ନାଗରିକ,ଦେଶ ପ୍ରେମୀ ଓ ଚରିତ୍ର ବାନ ବ୍ୟକ୍ତି l ଏ ସଂସାର ଉତ୍ତମ ବୁଝାମଣା,ଭ୍ରାତୃ ଭାଵ,ପରସ୍ପର ସହଯୋଗ,ସହାବସ୍ଥାନ ମଧ୍ୟରେ ଚାଲୁଥିଲା l ରାଷ୍ଟ୍ରମଙ୍ଗଳ,ରାଷ୍ଟ୍ର ଉନ୍ନତି ସାଧନକୁ ସେମାନେ ନିଜର ଧର୍ମ ବୋଲି ମଣୁଥିଲେ l ଧର୍ମ ତାଙ୍କର ଥିଲା ମାନବ ସେବା,ମାନବିକତା ଏବଂ ଜୀବେ ଦୟା l ତେଣୁ କୁହା ଯାଉଥିଲା :-
” ଧର୍ମେଣ ବିଧୃତା ପ୍ରଯାଃ ”
ପ୍ରଜାହିଁ ରାଜ୍ୟ ଗଠନ ଓ ରାଜ୍ୟ ଶାସନର ସର୍ବସ୍ବ ଥିଲେ l ପ୍ରଜା ପାଇଁ ରାଜ୍ୟ ଓ ପ୍ରଜା ଲାଗି ଶାସନ ଥିଲା ମୂଳ ମନ୍ତ୍ର l ଗୋପବନ୍ଧୁଙ୍କ ଭାଷାରେ :-
ପ୍ରଜା ଲାଗି କଲେ ପ୍ରଜାପତି ସୃଷ୍ଟି l
ପ୍ରଜା ଲାଗି ଇନ୍ଦ୍ର କରେ ଜଳ ବୃଷ୍ଟି ll
ପ୍ରଜା ଲାଗି ଉଦେ ରବି ଶଶୀ ତାରା l
ପ୍ରଜା ଲାଗି ବହେ ଶତ ନଦୀ ଧାରା ll
ପ୍ରଜା ଲାଗି ରାଜ୍ୟ, ପ୍ରଜାର ଶାସନ l
ଯୁଗେ ଯୁଗେ ଏହା ଶାସ୍ତ୍ରର କଥନ ll
ଭାରତର ରାଜ ଧର୍ମ, ସନାତନ l
ପରଜା ରକ୍ଷଣ,ପାଳନ, ରଞ୍ଜନ ll
ଯେତେବେଳେ ମାନବିକତାର ବଡ଼ ସଙ୍କଟ ଦେଖା ଦେଲା, ରାଜ୍ୟର ଶାସନ ବିପର୍ଯ୍ୟୟ ଆଡ଼କୁ ଗତି କଲା ଓ ସ୍ୱେଚ୍ଛାଚାରିତା ବଢ଼ିଲା, ସେତେବେଳେ ସମାଜ ଚାହିଁଲା ଜଣେ କ୍ଷମତା ଓ ପ୍ରତାପଶାଳୀ ପ୍ରତିନିଧି ରାଜ୍ୟ ଶାସନ କରୁ l ସେହି ବ୍ୟକ୍ତିଙ୍କୁ ହିଁ ରାଜା କୁହା ଗଲା l ସେମାନେ ହେଲେ ରାଜ୍ୟର ମୁଖ୍ୟ l ରାଜ୍ୟ ଶାସନ ପାଇଁ ଯେଉଁ ନିୟମ ରଖା ଗଲା ତାହା ହେଲା ରାଜ ନୀତି l ମାତ୍ର ରାଜାର ଅର୍ଥ ହେଲା ପ୍ରଜାନୁରଞ୍ଜନ,ପ୍ରଜାପୀଡ଼ନ ନୁହେଁ l ତେଣୁ ମହାଭାରତ ଶାନ୍ତିପର୍ବରେ କୁହାଯାଇଛି :-
‘ରଞ୍ଜିତାଶ୍ଚ ପ୍ରଜା ସର୍ବେସ୍ତେନରାଜେତି ଶବ୍ଦୟତେ’
ଏହି ନୀତି ଅନୁସାରେ ପ୍ରାଚୀନ ଭାରତରେ ଜଣେ ରାଜାଙ୍କର ସୃଷ୍ଟି ହେଲା ସେ ହେଉଛନ୍ତି ବେଣଙ୍କ ପୁତ୍ର ପୃଥୁ l ତାଙ୍କ ନାମାନୁସାରେ ଧରିତ୍ରୀ ପୃଥିବୀ ଭାବେ ଜଣାଗଲା l ପୃଥୁ ,ରାଜା ହୋଇ ସୁଖରେ ପ୍ରଜା ପାଳିଲେ l ତାଙ୍କ ଧର୍ମ ଥିଲା ପ୍ରଜାନୁରଞ୍ଜନ l ସମସ୍ତେ ସୁଖରେ ରହିବେ,ଶାନ୍ତିପୂର୍ଣ୍ଣ ସହାବସ୍ଥାନ କରିବେ,ସ୍ୱଚ୍ଛନ୍ଦ ନିର୍ଭୟ ଜୀବନ ଯାପନ କରିବେ ଏହାହିଁ ହେଲା ଶାସନ ନୀତି l ନାଗରିକ ସର୍ବଦା ସ୍ୱାଧୀନ ରହିବେ,କାହା ଦ୍ୱାରା ଉତ୍ପୀଡ଼ିତ ହେବେ ନାହିଁ ଏହା ହେଲା ମନ୍ତ୍ର l ନାଗରିକ ମାନଙ୍କ ମଧ୍ୟ କର୍ତ୍ତବ୍ୟ ରହିଲା ସେମାନେ ସର୍ବଦା ସତ୍ୟ ବାଦୀ, କର୍ମ ତତ୍ପର,କର୍ତ୍ତବ୍ୟ ପରାୟଣ, ଦୟାଳୁ ଓ ବୁଦ୍ଧି ବାନ ହୋଇ ରାଷ୍ଟ୍ର ପ୍ରତି ଅନୁରକ୍ତ ରହିବେ l ରାଷ୍ଟ୍ର ନାଗରିକ ରାଷ୍ଟ୍ରପ୍ରତି ଯତ୍ନବାନ ନ ହେଲେ ରାଷ୍ଟ୍ରର ଉନ୍ନତି ଅସମ୍ଭବ l ନାଗରିକ ସ୍ୱାର୍ଥପର ଓ ସ୍ୱେଚ୍ଛା ଚାରୀ ହେଲେ ତାର ଚିନ୍ତନ ଓ ଚେତନା ସଂକୀର୍ଣ୍ଣ ହୋଇଯାଏ ଏବଂ ସେ ରାଷ୍ଟ୍ରବିରୋଧୀ କର୍ମ କରି ବସେ,ପଶ୍ଚାତାପ କରେ ନାହିଁ l ଆତ୍ମଜ୍ଞାନୀ ପ୍ରଜା ନିର୍ବାଚିତ ଲୋକ କଲ୍ୟାଣ ଭାବନା ରଖିଲେ ହିଁ ରାଷ୍ଟ୍ରନିର୍ମାଣ ସୁଗମ ହୋଇଥାଏ l ଏକଥା ଅଥର୍ବ ବେଦର ଏକ ଶ୍ଳୋକରେ ବର୍ଣ୍ଣିତ ହୋଇଛି :-
ଭଦ୍ରମିଛନ୍ତି ଋଷୟଃ ସ୍ଵର୍ବିଦଃ
ତପୋଦୀକ୍ଷାମ୍ ଉପନିଷେଦୁରଗ୍ରେ l
ତତୋ ରାଷ୍ଟ୍ରମ୍ ବଳ ଓଜଶ୍ଚ ଜାତଂ
ତଦସ୍ମେଇ ଦେବା ଉପସଂନମସ୍ତୂ ll
ଏହିଭଳି କାର୍ଯ୍ୟକୁ ପ୍ରତିହତ କରିବା ପାଇଁ ରହିଲା ଦଣ୍ଡ ବ୍ୟବସ୍ଥା l ଶାସକର କର୍ତ୍ତବ୍ୟ କେବଳ ଦଣ୍ଡ ପ୍ରଦାନ ନୁହେଁ l ସବୁ ଠାରୁ ମହତ୍ବ ପୂର୍ଣ୍ଣ କର୍ତ୍ତବ୍ୟ ହେଲା,ପ୍ରଜାମାନଙ୍କ ପ୍ରତିକୂଳ ଆଚରଣ ନିରୋଧ କରିବା l ଶାସକ ପ୍ରଜାମାନଙ୍କ ମନରେ ଧର୍ମଭାବ, ସ୍ୱାଧୀନ ଚିନ୍ତା, ପରୋପକାର ଭାବନା ସୃଷ୍ଟି କରି ପାରିଲେ ଗଣତନ୍ତ୍ର ତିଷ୍ଠିରହିବ l ଏଭଳି ସବୁ ଉଚ୍ଚ ଆଦର୍ଶ ସମ୍ଭବ ଥିଲା ପ୍ରାଚୀନ ଭାରତରେ l
ପ୍ରାଚୀନ ଭାରତରେ ବୈଶାଳୀ,ଲିଛବି ଭଳି ଗଣ ରାଜ୍ୟ ମାନ ଗଢ଼ି ଉଠିଥିଲା l ପ୍ରଭୁ ଶ୍ରୀରାମ,ଧର୍ମ ରାଜ ଯୁଧିଷ୍ଠିର ପ୍ରଜାଙ୍କୁ ଅଖଣ୍ଡ ସ୍ୱାଧୀନତା ପ୍ରଦାନ କରିଥିଲେ l ପ୍ରଜାଗଣଙ୍କ ମତ ଏବଂ ପରାମର୍ଶରେ ପରିଚାଳିତ ହେଉଥିଲା ଶାସନ l ପ୍ରଭୁ ଶ୍ରୀରାମଙ୍କ ଆଦର୍ଶଶାସନ ବ୍ୟବସ୍ଥା ନାମନେଇ ଆମେ ଏବେ ମଧ୍ୟ ରାମରାଜ୍ୟ କଥା କହି ଥାଉଁ l ଜାତିର ପିତା ମହାତ୍ମାଗାନ୍ଧି ମଧ୍ୟ ‘India of My Dreams’ ପୁସ୍ତକରେ ଏହି ରାମ ରାଜ୍ୟର ପରିକଳ୍ପନା କରି ଥିଲେ l ସେ ସମସ୍ତ ରାଷ୍ଟ୍ରଗୁଡ଼ିକରେ ବ୍ୟାଧି,ପୀଡ଼ା ଦୁର୍ଭିକ୍ଷ,ଅପରାଧ ପ୍ରାୟ ଶାସନ ନିୟନ୍ତ୍ରଣରେ ରହି ଥିଲା l ଅନା ବୃଷ୍ଟି ଓ ରାଜା ଲୋମପାଦ କାହାଣୀ ପୁରାଣରୁ ସମସ୍ତେ ଜାଣିଥିବେ l ସମସ୍ୟା ହେଲେ ଶାସକଗଣ ତତ୍କାଳ ତହିଁକୁ ଦୃଷ୍ଟି ଦେଉଥିଲେ ଓ ନାଗରିକ ମନରେ ବିଶ୍ୱାସ ଆଣିବା ପାଇଁ ଶାସକ ମାନେ ନିଜେ ଉଦାହରଣ ସୃଷ୍ଟି କରୁଥିଲେ l ପ୍ରଭୁ ଶ୍ରୀରାମଙ୍କ ପ୍ରଜା ଅନୁରଞ୍ଜନର ଅମୀୟ କାହାଣୀ ବର୍ଣ୍ଣିତହୋଇଛି ରାମାୟଣ ମହାକାବ୍ୟରେ l ପ୍ରଜା ତୁଷ୍ଟି ଓ ବିଶ୍ୱାସ ନିମନ୍ତେ ପ୍ରଭୁ ଶ୍ରୀରାମ ପତିବ୍ରତା ପତ୍ନୀ ସୀତାଙ୍କୁ ନିର୍ବାସିତା କରିଥିଲେ l ଇତିହାସ ଓ କିମ୍ବଦନ୍ତୀରେ ପ୍ରାଚୀନ ଭାରତର ନୀତି ନିଷ୍ଠ ରାଜା ବିକ୍ରମାଦିତ୍ୟ ଏବଂ ବତ୍ରିଶସିଂହାସନ କଥା ସମସ୍ତେ ଜାଣନ୍ତି l
ପ୍ରାଚୀନ ଭାରତରେ ରାଷ୍ଟ୍ର ମୁଖ୍ୟ ମାନେ ବିଭିନ୍ନ ବିଭାଗରେ ସଚିବ ନିଯୁକ୍ତ କରିଥିଲେ l ସେମାନେ ଧାର୍ମିକ ହେବା ସହ ପୁଣ୍ୟାତ୍ମା ମଧ୍ୟ ଥିଲେ l ଏହି ପ୍ରସଙ୍ଗରେ ମହାତ୍ମା ବିଦୁରଙ୍କ କଥା ମହାଭାରତ କାହାଣୀରୁ ଜଣା ଯାଏ l ସେହି ଭଳି ଥିଲେ ମହା ମନା ବିଚକ୍ଷଣ ଚାଣକ୍ୟ l ବିଦୁର ଓ ଚାଣକ୍ୟଙ୍କ ବିଚକ୍ଷଣ ପରାମର୍ଶ ଯଥା କ୍ରମେ ବିଦୁର ନୀତି ଓ ଚାଣକ୍ୟନୀତି ଭାବେ ପ୍ରସିଦ୍ଧି ଲାଭକରିଛି l ରାଜା ମନ୍ତ୍ରୀ ମାନଙ୍କର ଚରିତ୍ର ପ୍ରତି ସଜାଗ ରହିବା ସହ ପ୍ରଜା ସ୍ୱାର୍ଥ ରକ୍ଷା ପାଇଁ ସଜାଗ ରହିବାକୁ ସଚିବ ମାନଙ୍କୁ ଉପଦେଶ ଦେଉଥିଲେ l ମନୁଷ୍ୟର ମନ ଭିତରେ ସମାନ ମନ ଓ ମୈତ୍ରୀଭାବନା ଆସିଲେ ଅମିତ୍ର ଭାବନା ଦୂର ହେବ ଏ କଥା ରାଜାମାନେ ଲୋକଶିକ୍ଷା ଦେଉଥିଲେ l ଏଣୁ ବେଦ ବାଣୀରେ କୁହା ଯାଇଛି :-
ଅଭୟଂ ମିତ୍ରାଦଭୟଂ ମିତ୍ରାଦଭୟଂ
ଜ୍ଞାତାଦଭୟଂ ପରୋକ୍ଷାତ୍ l
ଅଭୟଂ ନକ୍ତମଭୟଂ ଦିବାନଃ ସର୍ବାଶା
ମମ ମିତ୍ରମ୍ ଭବନ୍ତୁ ll
ରାଷ୍ଟ୍ର ପରିଚାଳନା ଏବଂ ସୁରକ୍ଷା ନିମନ୍ତେ ଅର୍ଥର ଆବଶ୍ୟକତା ରହିଛି l ସେଥି ପାଇଁ ପ୍ରଜାଙ୍କ ଠାରୁ କର ଆଦାୟର ବ୍ୟବସ୍ଥା ଥିଲା l କିନ୍ତୁ ଧ୍ୟାନ ଦିଆ ଯାଉଥିଲା ପ୍ରଜା ଯେପରି କର ଭାରରେ ପୀଡିତ ନ ହେଉ l ସେଥି ପାଇଁ ଶାସ୍ତ୍ରରେ ନିର୍ଦ୍ଧେଶ ଦିଆ ଯାଇଛି, କର ଆଦାୟ କରିବାରେ ଶାସକ ମାଳି ବା ମାଳାକାରର ଭୂମିକା ଗ୍ରହଣ କରୁ l ଅର୍ଥାତ, ମାଳି ଯେମିତି ଫୁଲଗଛକୁ ଯତ୍ନରେ ବଢ଼ାଇ,ଯତ୍ନ ସହକାରେ ଗଛଟିକୁ କଷ୍ଟ ନଦେଇ ପୁଷ୍ପ ଚୟନ କରେ, ଶାସକ ସେହିପରି ପ୍ରଜା ମାନଙ୍କୁ ସଠିକ ଭାବେ ପ୍ରତିପାଳିତ କରି ତାକୁ କଷ୍ଟ ନଦେଇ କର ଅସୁଲକରିବା ଉଚିତ l ଆହୁରି ପୁଣି କୁହାଯାଇଛି ସୂର୍ଯ୍ୟଦେବ ଯେପରି ଆକର୍ଷଣ କରି ଧରା ପୃଷ୍ଠରୁ ଜଳୀୟ ଅଂଶ ଶୋଷି ନିଅନ୍ତି ଓ ମେଘ ସୃଷ୍ଟି କରି ପୁଣି ଧରା ଉପରେ ବରଷି ଦେଇ ଧରାକୁ ଶସ୍ୟ ଶ୍ୟାମଳା କରି ଦିଅନ୍ତି ଶାସକ ମଧ୍ୟ ସେହି ଭଳି ରାଜସ୍ବ ଗ୍ରହଣକରି ପ୍ରଜାମାନଙ୍କ ହିତାର୍ଥେ ବ୍ୟୟ କରିବା ଉଚିତ l
ଦୃଢ଼ ଶାସନ ନିମନ୍ତେ ଦଣ୍ଡର ଆବଶ୍ୟକତା ଅଛି l ସେଥିପାଇଁ ଶାସ୍ତ୍ରରେ ନିର୍ଦ୍ଧେଶ ଅଛି
” ଦଣ୍ଡହଃ ସଂରକ୍ଷତେ ଧର୍ମମ୍”
ଦଣ୍ଡ ପାଇଁ ନୀତି ବା ଆଇନ ଆବଶ୍ୟକ l ରାଷ୍ଟ୍ର ପ୍ରଜା ପ୍ରତିନିଧି ତଥା ବିଜ୍ଞ ବ୍ୟକ୍ତିଙ୍କ ସହାୟତାରେ ଦଣ୍ଡ ସଂହିତାକୁ ପ୍ରସ୍ତୁତ କରିବା ଉଚିତ l ଏହାର ସମୟୋପଯୋଗୀ ସଂଶୋଧନ ଓ ସଂଯୋଗର ବ୍ୟବସ୍ଥା ରହିବା ଉଚିତ l ବୃହସ୍ପତି ସଂହିତା ଓ ଶୁକ୍ରସଂହିତା ଅନୁସାରେ ଆମ ପ୍ରାଚୀନ ଯୁଗରେ ଶାସନ ଚାଲୁଥିଲା l ପରେ ଆସିଲା ମନୁ ସ୍ମୃତି l ଏଥିରେ ଧୃଗଦଣ୍ଡ,ଅର୍ଥ ଦଣ୍ଡ,କାୟ ଦଣ୍ଡ ଓ ପ୍ରାଣ ଦଣ୍ଡର ବ୍ୟବସ୍ଥା ଥିଲା l ସେହିପରି ଆଜିର ଆମ ଗଣତନ୍ତ୍ର ରାଷ୍ଟ୍ରର ସମ୍ବିଧାନ l
ରାଷ୍ଟ୍ରର ସୁପରିଚାଳନା ନିମନ୍ତେ ରାଷ୍ଟ୍ର ମୁଖ୍ୟ ଧର୍ମ ପରାୟଣ, ସଦାଚାରୀ,କର୍ତ୍ତବ୍ୟ ନିଷ୍ଠ,ନିର୍ଭୀକ ଓ ସତ୍ୟବାଦୀ ହୋଇ ପ୍ରଜାଗଣ ସମ୍ମୁଖରେ ଦୃଷ୍ଟାନ୍ତ ହୋଇ ରହିବା ଉଚିତ l ପ୍ରଜାସମୂଦାୟକୁ ତେବେ ଯାଇ ଶାସକ ଠିକ ପଥ ପ୍ରଦର୍ଶନ କରି ପାରିବେ ଏବଂ ପ୍ରଜା ଗଣ ଏହାକୁ ସାଦରେ ଗ୍ରହଣ ଏବଂ ଅନୁସରଣ କରିବେ l ଏହା ଦ୍ଵାରାହିଁ ଉତ୍ତମ ପ୍ରଜା ତନ୍ତ୍ର ସୃଷ୍ଟି ହୋଇ ପାରିବ l ଭଗବତ ଗୀତାରେ କୁହା ଯାଇଛି :-
ଯଦ୍ୟଦାଚରତି ଶ୍ରେଷ୍ଠସ୍ତଭଦେବେତରୋ ଜନଃ l
ସ ଯତ୍ ପ୍ରମାଣମ୍ କୁରୁତେ
ଲୋକସ୍ତଦନୁବର୍ତ୍ତତେ ll
ଏହା ମଧ୍ୟ ଅତିବଡ଼ି ଜଗନ୍ନାଥ ଦାସ କୃତ ଆମର ଓଡ଼ିଆ ଭାଗବତରେ କୁହାଯାଇଛି l
ମହତେ ଯାହା ଆଚରିବେ l
ଇତରେ ତାହା ହିଁ କରିବେ ll
ଭାରତର ଏହି ସବୁ ମୂଲ୍ୟବୋଧ ଗୁଡ଼ିକ ବିଦେଶୀ ମାନଙ୍କ ପ୍ରବେଶରେ ଲୁପ୍ତପ୍ରାୟ ହୋଇଗଲା l ଗୁପ୍ତ ଶାସନ କାଳର ସୁବର୍ଣ୍ଣ ଯୁଗର ଅବସାନ ହେଲା l ଲୁଣ୍ଠନକାରୀମାନେ ଭାରତରୁ ଲୁଣ୍ଠନ କରିନେଲେ ଧନ ରତ୍ନ ସହ.ଏହି ବୌଦ୍ଧିକ ସମ୍ପତ୍ତି l ଅନ୍ୟାନ୍ୟ ଧର୍ମ ଧାରାକୁ ନେଇ ଶାସନ ପରିଚାଳିତ ହେଲା l ଲଦି ଦିଆଗଲା ଶାସ୍ତ୍ର ପରିବର୍ତ୍ତେ ଶସ୍ତ୍ରର ଶାସନ l ପରାଧୀନ ଭାରତର ନାଗରିକ ବହୁକାଳ ପର୍ଯ୍ୟନ୍ତ ଦୁଃଖ ଦୁର୍ଦଶାରେ କାଳ କଟାଇଲେ l ଭାରତ ଖଣ୍ଡ ବିଖଣ୍ଡିତ ହୋଇ ଏକଛତ୍ର ବାଦୀ ଶାସନ ଭିତରେ ନିଜର ମୌଳିକତା ଓ ନୈତିକତାର ସତ୍ତା ହରାଇ ବସିଲା l ତା ପରେ ଗଣତନ୍ତ୍ରର ପ୍ରତିଷ୍ଠା ଓ ବିକାଶ ସାରା ପୃଥିବୀରେ ଭାରତରୁହିଁ ସମ୍ଭବ ହୋଇପାରି ଥିଲା l ଭାରତ ଶାସନର ସଂହିତା ଆମ ସମ୍ବିଧାନ ସର୍ବୋତ୍କୃଷ୍ଟ l ବ୍ରିଟିଶ ସମ୍ବିଧାନର ବିଶେଷଜ୍ଞ ସାର ଆଇଭର ଜେନିଙ୍ଗ କହନ୍ତି, ଭାରତୀୟ ସମ୍ବିଧାନ
ପୃଥିବୀର ସର୍ବବୃହତ ଲିଖିତସମ୍ବିଧାନ l ଭାରତର ସମ୍ବିଧାନର ବିଶାଳ ରୂପରେ ସନ୍ନିବେଶିତ ହୋଇ ରହିଛି ବ୍ରିଟିଶ, ଆମେରିକା, ଜର୍ମାନୀ,ଆୟର୍ଲାଣ୍ଡ, କାନାଡ଼ା,ଫ୍ରାନ୍ସ ପ୍ରଭୃତି ଦେଶମାନଙ୍କ ସମ୍ବିଧାନର ବିଶେଷତା ଏବଂ ସାରତତ୍ତ୍ୱ l ଜେନିଙ୍ଗ ଭାରତୀୟ ସମ୍ବିଧାନର ବିଶାଳ ରୁପକୁ ‘ଆଇନଜୀବୀ ମାନଙ୍କ ନନ୍ଦନ କାନନ’ ବୋଲି ଅଭିହିତ କରିଛନ୍ତି l ଆମ ସମ୍ବିଧାନ ଆମର ଗର୍ବ,ଗୌରବ,ସ୍ୱାଭିମାନ ତଥା ଶକ୍ତିର ପ୍ରତୀକ l ଦୁଃଖର ସେ ଦିନ ଚାଲିଯାଇଛି l ଆମେ ଆଜି ସ୍ୱାଧୀନ l ଅର୍ଦ୍ଧ ଶତାବ୍ଦୀରୁ ଉର୍ଦ୍ଧ୍ୱକାଳ ଆମେ ଗଣ ତନ୍ତ୍ରର ସୁଫଳ ଭୋଗି ସାରିଲେଣି l ପ୍ରାଚୀନ ଭାରତର ସୁଶାସନକୁ ସ୍ମରଣକରି ଆମ ଗଣତନ୍ତ୍ରଶାସନ ଯେମିତି ତିଷ୍ଠି ରହିପାରିବ,ସେଥି ପାଇଁ ଦେଶର ସମସ୍ତ ନାଗରିକ ଯତ୍ନବାନ ହେବା ସର୍ବାଦୌ ଆବଶ୍ୟକ l ଆସନ୍ତୁ ଆମେ ସମସ୍ତେ ଏ ପବିତ୍ର ସାଧାରଣ ତନ୍ତ୍ର ଦିବସ ଅବସରରେ ଆମ ତ୍ରିରଙ୍ଗା ତଳେ ଜାତି ପ୍ରଗତି ପଥରେ ନିୟୋଜିତ ହେବା ପାଇଁ ଦୃଢ଼ ସଂକଳ୍ପ ନେବା ଏବଂ ଜାତୀୟ ମୁଖ୍ୟ ସ୍ରୋତରେ ନିଜକୁ ସାମିଲ କରିବା l
ବିଜୟୀ ବିଶ୍ୱ ତୀରଙ୍ଗା ପ୍ୟାରା l
ଝଣ୍ଡା ଉଞ୍ଚା ରହେ ହମାରା ll
ସଦା ଶକ୍ତି ସରସାନେ ଵାଲା l
ବିରୋ କି ହର୍ଷାନେ ଵାଲା ll
ଶାନ୍ତି ସୁଦ୍ଧା ବର୍ଷାନେ ଵାଲା,
ମାତୃଭୂମିକା ତନମନ ସାରା ll !
ଝଣ୍ଡା ଉଞ୍ଚାରହେ ହମାରା,
ଝଣ୍ଡା ଉଞ୍ଚାରହେ ହମାରା ll
🙏🙏🙏
ଅର୍ଜୁନୀ
—————-
ଅର୍ଜୁନୀ ଚରଣ ବେହେରା
ମୋ – 7693091971

Comments are closed.