ବାଲେଶ୍ଵର, ୨୪/୭(କୃଷ୍ଣ କୁମାର ମହାନ୍ତି): ଗ୍ରାମୀଣ ମହିଳାଙ୍କୁ ଆର୍ଥିକ ଦୃଷ୍ଟିରୁ ସ୍ବାବଲମ୍ବୀ କରିବା ଲକ୍ଷ୍ୟରେ ଚାନ୍ଦିପୁର ପାନ୍ଥନିବାସ ପରିସରରେ ଏକ ଦୁଇ ଦିବସୀୟ ଆର୍ଥିକ ସାକ୍ଷରତା ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି।
ତାଲିମଦାତା ମାନଙ୍କୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ ‘ଯୁବ ବିକାଶ’ର ପ୍ରତିଷ୍ଠାତା ଚେୟାରମ୍ୟାନ ଗୋବିନ୍ଦ ବଲ୍ଲଭ ଦଳାଇ।
ଏହି ତାଲିମ କାର୍ଯ୍ୟକ୍ରମରେ ୩୦ ଜଣ ଗ୍ରାମୀଣ ଅଗ୍ରଣୀ ସ୍ବେଚ୍ଛାସେବୀ ମହିଳା ଏବଂ ୫ ଜଣ ଗୋଷ୍ଠୀ ତାଲିମଦାତା ଅଂଶଗ୍ରହଣ କରିଥିଲେ। ଆଗାମୀ ଦିନରେ ସେମାନେ ନିଜ ଗାଁର ମହିଳାମାନଙ୍କୁ ଆର୍ଥିକ ସାକ୍ଷରତା ବିଷୟରେ ସଚେତନ କରାଇବାରେ ଅଗ୍ରଣୀ ଭୂମିକା ନେବେ।

ଉଦଘାଟନୀ ସମାରୋହରେ ଏସ୍.ଏମ୍.ଏଫ୍.ଜି.ର ସିଏସଆର ମୁଖ୍ୟ ଅମୋଲ ଭାଲେରାଓ, ‘ଯୁବ ବିକାଶ’ର ଉପ ସଭାପତି ଅଭ୍ରଦୀପ ଦାସ ଏବଂ କଲିକତାରୁ ଆସିଥିବା ‘ସିନି’ର ସିନିୟର ପ୍ରୋଗ୍ରାମ ମ୍ୟାନେଜର ବିନୟ ଭଟ୍ଟାଚାର୍ଯ୍ୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
ତାଲିମ ମାଧ୍ୟମରେ ଅଂଶଗ୍ରହଣକାରୀଙ୍କୁ ଆର୍ଥିକ ସାକ୍ଷରତାର ଆବଶ୍ୟକତା ସହ ସଞ୍ଚୟ, ବୀମା, ନିବେଶ ଏବଂ ଡିଜିଟାଲ ଆର୍ଥିକ କାରବାରର ସରଳ ଉପାୟ ସମ୍ପର୍କରେ ବିଶେଷ ଜ୍ଞାନ ଓ କୌଶଳ ପ୍ରଦାନ କରାଯାଇଥିଲା। କିପରି ଛୋଟ ସଞ୍ଚୟରୁ ବଡ ଲାଭ ମିଳିପାରିବ ଏବଂ ଡିଜିଟାଲ ମାଧ୍ୟମରେ ସୁରକ୍ଷିତ ଭାବେ ଟଙ୍କା କାରବାର କରା ଯାଇପାରିବ ସେ ନେଇ ବିସ୍ତୃତ ଆଲୋଚନା ହୋଇଥିଲା।
ଏହି ଅବସରରେ ‘ସିନି’ର ଆର୍ଥିକ ସାକ୍ଷରତା ପ୍ରକଳ୍ପ ମୁଖ୍ୟ ଅସିତ ଦଳାଇ, ‘ବଣଧୂଳିର ଫୁଲ’ ଟ୍ରଷ୍ଟର ପ୍ରତିଷ୍ଠାତା ଅଧ୍ୟକ୍ଷ ବିଜୟ ଆଚାର୍ଯ୍ୟ, ପରିବେଶ ଫାଉଣ୍ଡେସନର ଜ୍ଞାନ ରଞ୍ଜନ ମହାପାତ୍ର, ଗୌରୀଶଙ୍କର ରାଜ, ସଂଯୁକ୍ତା ବେହେରା, ରାଖାଲ ମାଇତି, ସୁଜୟ, ଚୁମୁକି ମାଝୀ, ଯୁବ ବିକାଶର ଶୁଭସ୍ମିତା ମହାନ୍ତି, ବିନତି ପରିଡା, ସୁଧୀର ଭକ୍ତା, ଦୀନବନ୍ଧୁ ରାଉତ, ଜିତେନ୍ଦ୍ର ମହାନ୍ତ, ଜଗଦୀଶ ପରିଡ଼ା, ପ୍ରେରଣା ଫାଉଣ୍ଡେସନର ଶୁଭେନ୍ଦୁ ଗିରି ପ୍ରମୁଖ ଉପସ୍ଥିତ ଥିଲେ।
ଆୟୋଜକମାନେ ଆଶାବ୍ୟକ୍ତ କରିଛନ୍ତି ଯେ ଏଭଳି ତାଲିମ ମାଧ୍ୟମରେ ଗ୍ରାମାଞ୍ଚଳର ମହିଳାମାନେ ଆର୍ଥିକ ନିଷ୍ପତ୍ତି ନେବାରେ ସକ୍ଷମ ହେବେ ଏବଂ ପରିବାର ଓ ସମାଜର ଆର୍ଥିକ ବିକାଶରେ ସହାୟକ ହେବେ।