ଚାରି ଦିନର ସେବାଯତ୍ନ ପରେ ନିଖୋଜ ବ୍ୟକ୍ତିଙ୍କୁ ପରିବାର ସହ ମିଳାଇଲା ଆରପିଏଫ୍

0
ବାଲେଶ୍ୱର, ଜୁଲାଇ ୧୪ (କୃଷ୍ଣ କୁମାର ମହାନ୍ତି): ମାନବିକତା ଓ ତତ୍ପରତାର ଏକ ଉଦାହରଣ ସୃଷ୍ଟି କରି ବାଲେଶ୍ୱର ରେଳ ସୁରକ୍ଷା ବଳ (ଆରପିଏଫ୍) ଗୁଜରାଟର ଜଣେ ନିଖୋଜ ବ୍ୟକ୍ତିଙ୍କୁ ଚାରି ଦିନ ଧରି ସୁରକ୍ଷିତ ଭାବେ ରଖି ଯତ୍ନ ନେବା ପରେ ତାଙ୍କ ପରିବାର ସହ ପୁନର୍ମିଳନ କରାଇଛି।
ଆରପିଏଫ୍ ସୂତ୍ରରୁ ପ୍ରକାଶ ଯେ, ଜୁଲାଇ ୯ ତାରିଖରେ ଟ୍ରେନ୍ ନଂ ୧୮୦୪୩ରେ ଯାତ୍ରା କରୁଥିବା ଜଣେ ନିଖୋଜ ବ୍ୟକ୍ତିଙ୍କ ସମ୍ପର୍କରେ ‘ରେଳ ମଦଦ’ ମାଧ୍ୟମରେ ଅଭିଯୋଗ ଆସିଥିଲା। ଖଡ଼ଗପୁର ସିକ୍ୟୁରିଟି କଣ୍ଟ୍ରୋଲରୁ ସୂଚନା ପାଇବା ପରେ ଆରପିଏଫ୍‌ର ଏଏସଆଇ ଏସ୍. ସିଂହ ଅଭିଯୋଗକାରୀ ଗୁଜରାଟର ଭାବନଗର ନିବାସୀ ସରବାଇୟା ତେଜପାଲ ସିଂହ ବାନୁଭାଙ୍କ ସହ ଯୋଗାଯୋଗ କରିଥିଲେ। ସେ ଜଣାଇଥିଲେ ଯେ ତାଙ୍କ ଭାଇ ସରବାଇୟା କୃପାଳସିଂହ ବାନେସିଂହ ପ୍ରାୟ ଏକ ସପ୍ତାହ ଧରି ନିଖୋଜ ଥିଲେ। ପରେ ସେ ଉକ୍ତ ଟ୍ରେନରେ ଯାତ୍ରା କରୁଥିବା ସୂଚନା ପାଇ ରେଳ ମଦଦ ୧୩୯ ହେଲ୍ପଲାଇନ୍ ମାଧ୍ୟମରେ ତାଙ୍କୁ ବାଲେଶ୍ୱର ଷ୍ଟେସନରେ ସୁରକ୍ଷିତ ଭାବେ ଓହ୍ଲାଇ ରଖିବାକୁ ଅନୁରୋଧ କରିଥିଲେ।
ଜୁଲାଇ ୯ ତାରିଖ ସକାଳ ୧୦ଟା ୩୮ ମିନିଟରେ ଟ୍ରେନ୍ ବାଲେଶ୍ୱର ରେଳ ଷ୍ଟେସନର ପ୍ଲାଟଫର୍ମ ନଂ ୨ରେ ପହଞ୍ଚିବା ପରେ ଏଏସଆଇ ଏସ୍. ସିଂହ ଓ ହେଡ୍ କନଷ୍ଟେବଳ ମନୋଜ କୁମାର ଭୋଇ ନିଖୋଜ ବ୍ୟକ୍ତିଙ୍କୁ ଚିହ୍ନଟ କରି ସୁରକ୍ଷିତ ଭାବେ ଆରପିଏଫ୍ ପୋଷ୍ଟକୁ ନେଇଥିଲେ ଏବଂ ତାଙ୍କ ପରିବାରକୁ ଖବର ଦେଇଥିଲେ।
ଅଭିଯୋଗକାରୀଙ୍କୁ ଭାବନଗରରୁ ବାଲେଶ୍ୱର ଆସିବାକୁ ପ୍ରାୟ ଅଢ଼େଇ ଦିନ ସମୟ ଲାଗିଥିବାରୁ ଆରପିଏଫ୍ ନିଖୋଜ ବ୍ୟକ୍ତିଙ୍କୁ ଚାରି ଦିନ ଧରି ନିଜ ତତ୍ତ୍ୱାବଧାନରେ ରଖିଥିଲା। ଏହି ସମୟରେ ତାଙ୍କୁ ଖାଦ୍ୟ, ଜଳଖିଆ ଓ ଅନ୍ୟାନ୍ୟ ଆବଶ୍ୟକ ସୁବିଧା ଯୋଗାଇ ନିୟମିତ ଯତ୍ନ ନିଆଯାଇଥିଲା।
ଜୁଲାଇ ୧୩ ତାରିଖରେ ସମସ୍ତ ଆବଶ୍ୟକୀୟ ପ୍ରକ୍ରିୟା ସମାପ୍ତ ହେବା ପରେ ସରବାଇୟା କୃପାଳସିଂହ ବାନେସିଂହଙ୍କୁ ତାଙ୍କ ବଡ଼ ଭାଇ ସରବାଇୟା ତେଜପାଲସିଂହ ବାନୁଭାଙ୍କ ଜିମାରେ ସୁସ୍ଥ ଓ ସୁରକ୍ଷିତ ଅବସ୍ଥାରେ ହସ୍ତାନ୍ତର କରାଯାଇଥିଲା। ଭାଇଙ୍କୁ ସୁରକ୍ଷିତ ଭାବେ ଫେରି ପାଇ ସେ ବାଲେଶ୍ୱର ଆରପିଏଫ୍‌ର ଅଧିକାରୀ ଓ କର୍ମଚାରୀଙ୍କୁ ସମୟୋଚିତ ସହଯୋଗ, ନିଷ୍ଠାପୂର୍ଣ୍ଣ ସେବା ଏବଂ ମାନବିକ ବ୍ୟବହାର ପାଇଁ କୃତଜ୍ଞତା ଜଣାଇଥିଲେ।
ଏହି ଘଟଣା ଯାତ୍ରୀଙ୍କ ସୁରକ୍ଷା ଏବଂ ମାନବିକ ସେବା ପ୍ରତି ରେଳ ସୁରକ୍ଷା ବଳର ଦୃଢ଼ ପ୍ରତିବଦ୍ଧତାକୁ ପୁଣିଥରେ ପ୍ରତିପାଦିତ କରିଛି।
Leave A Reply

Your email address will not be published.