(RBI) କିଶାନ କ୍ରେଡିଟ୍ କାର୍ଡ (KCC) ଯୋଜନାରେ ବ୍ୟାପକ ସଂସ୍କାର ଆଣିବା ପାଇଁ ଏକ ନୂତନ ଚିଠା ମାର୍ଗଦର୍ଶିକା ଜାରି

ମୁମ୍ବାଇ : ୧୫ା୨ –  ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) କିଶାନ କ୍ରେଡିଟ୍ କାର୍ଡ (KCC) ଯୋଜନାରେ ବ୍ୟାପକ ସଂସ୍କାର ଆଣିବା ପାଇଁ ଏକ ନୂତନ ଚିଠା ମାର୍ଗଦର୍ଶିକା ଜାରି କରିଛି। କୃଷି ଓ ଆନୁଷଙ୍ଗିକ କାର୍ଯ୍ୟକଳାପ ପାଇଁ ଋଣ ପ୍ରକ୍ରିୟାକୁ ଅଧିକ ସରଳ, ନମନୀୟ ଏବଂ ଆଧୁନିକ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଛି। ଏହି ନୂତନ ନିୟମ ସମସ୍ତ ବାଣିଜ୍ୟିକ ବ୍ୟାଙ୍କ, ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ ଏବଂ ସମବାୟ ବ୍ୟାଙ୍କ ଗୁଡ଼ିକ ପାଇଁ ଲାଗୁ ହେବ।

ନିୟମରେ ହେବାକୁ ଥିବା ୫ଟି ପ୍ରମୁଖ ପରିବର୍ତ୍ତନ ଗୁଡ଼ିକ ହେଲା:

୧. ସମଗ୍ର ଦେଶ ପାଇଁ ଏକକ ବ୍ୟବସ୍ଥା:
ବର୍ତ୍ତମାନ କୃଷି ଏବଂ ଏହାର ଆନୁଷଙ୍ଗିକ କାର୍ଯ୍ୟ ପାଇଁ ଅଲଗା ଅଲଗା ନିୟମ ରହିଛି। କିନ୍ତୁ RBI ର ପ୍ରସ୍ତାବିତ ଚିଠା ଅନୁସାରେ, ଏସବୁକୁ ଗୋଟିଏ ଛାତ ତଳକୁ ଅଣାଯିବ। ଫଳରେ ବ୍ୟାଙ୍କ ଗୁଡ଼ିକ ପାଇଁ ଯୋଜନା ଚଳାଇବା ସହଜ ହେବ ଏବଂ ଅଧିକରୁ ଅଧିକ ଚାଷୀ ଏହାର ଲାଭ ପାଇପାରିବେ।

୨. ଫସଲ ଋତୁ ପାଇଁ ସମାନ ନିୟମ:
ଋଣ ପରିଶୋଧ କରିବାରେ ଯେପରି ଚାଷୀମାନେ ଦ୍ୱନ୍ଦ୍ୱରେ ନପଡ଼ନ୍ତି, ସେଥିପାଇଁ ଫସଲ ଋତୁର ଏକ ନିର୍ଦ୍ଧିଷ୍ଟ ସମୟ ସୀମା ଧାର୍ଯ୍ୟ କରାଯାଇଛି। ସ୍ଵଳ୍ପ ଅବଧିର ଫସଲ ପାଇଁ ୧୨ ମାସ ଏବଂ ଦୀର୍ଘ ଅବଧିର ଫସଲ ପାଇଁ ୧୮ ମାସର ଚକ୍ର ଅନୁସରଣ କରାଯିବ।

୩. ଋଣ ଅବଧି ୬ ବର୍ଷକୁ ବୃଦ୍ଧି:
ସବୁଠାରୁ ବଡ଼ ପରିବର୍ତ୍ତନ ହେଉଛି KCC ଋଣର ଅବଧିକୁ ୬ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯିବ। ଏହା ବିଶେଷ କରି ସେହି ଚାଷୀମାନଙ୍କୁ ସାହାଯ୍ୟ କରିବ ଯେଉଁମାନେ ଦୀର୍ଘ ଅବଧିର ଫସଲ ଚାଷ କରନ୍ତି। ଏହାଦ୍ୱାରା ଫସଲ ଅମଳ ଏବଂ ଆୟ ଅନୁସାରେ କିସ୍ତି ପରିଶୋଧ କରିବା ସହଜ ହେବ।

୪. ଚାଷ ଖର୍ଚ୍ଚ ଅନୁଯାୟୀ ଋଣ ସୀମା:
ନୂତନ ନିୟମ ଅନୁସାରେ, ଚାଷୀଙ୍କୁ ମିଳୁଥିବା ଋଣ ପରିମାଣ ବାସ୍ତବରେ ଚାଷ ପାଇଁ ହେଉଥିବା ଖର୍ଚ୍ଚ ଉପରେ ଆଧାରିତ ହେବ। ଏହାଦ୍ୱାରା ଚାଷୀମାନେ ପର୍ଯ୍ୟାପ୍ତ ଅର୍ଥ ପାଇପାରିବେ ଏବଂ ଅର୍ଥ ଅଭାବରୁ ଚାଷ କାମ ବାଧାପ୍ରାପ୍ତ ହେବ ନାହିଁ।

୫. ଆଧୁନିକ ଚାଷ ଖର୍ଚ୍ଚ ପାଇଁ ଅର୍ଥ ସହାୟତା:
ଏବେ କେବଳ ଚାଷ ନୁହେଁ, ବରଂ ଆଧୁନିକ ଜ୍ଞାନକୌଶଳ ପାଇଁ ମଧ୍ୟ KCC ଅର୍ଥ ବ୍ୟବହାର କରିହେବ। ମୃତ୍ତିକା ପରୀକ୍ଷା, ପାଣିପାଗ ସୂଚନା ଏବଂ ଜୈବିକ ଚାଷର ପ୍ରମାଣପତ୍ର ହାସଲ ପାଇଁ ହେଉଥିବା ଖର୍ଚ୍ଚକୁ ମଧ୍ୟ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। କୃଷି ସମ୍ପତ୍ତିର ରକ୍ଷଣାବେକ୍ଷଣ ପାଇଁ ଉଦ୍ଦିଷ୍ଟ ଅତିରିକ୍ତ ୨୦% ପାଣ୍ଠିରୁ ଏହି ଖର୍ଚ୍ଚ କରାଯାଇପାରିବ।

Comments are closed.