ରାଜ୍ୟସଭା ପ୍ରାର୍ଥୀ ଘୋଷଣା କଲା ବିଜେଡି,

ଭୁବନେଶ୍ୱର: ଶେଷରେ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଆଜି ବିଜେଡି ପକ୍ଷରୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରାଯାଇଛି | ବିଜେଡି ସଭାପତି ବାରବାଟୀ-କଟକର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ଯୁବ ନେତା ଶୁଭାଶିଷ ଖୁଣ୍ଟିଆଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି | ବିଜେଡି ପକ୍ଷରୁ ଜାରି କରାଯାଇଥିବା ପ୍ରେସ ବିଜ୍ଞପ୍ତି ମୁତାବକ ଏହି ଦୁଇ ଜଣଙ୍କୁ ରାଜ୍ୟସଭା ପଠାଇବାକୁ ସୁପ୍ରିମୋ ଘୋଷଣା କରିଛନ୍ତି | ଉଲ୍ଲେଖ ଥାଉ କି ଓଡ଼ିଶାର ୩ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ପ୍ରଶାନ୍ତ ନନ୍ଦ ଓ ଅଶ୍ବିନୀ ବୈଷ୍ଣବଙ୍କ କାର୍ଯ୍ୟକାଳ ଆସନ୍ତା ଏପ୍ରିଲ୍ ୩ରେ ଶେଷ ହେଉଛି। ଏହି ତିନିଟି ଆସନ ପାଇଁ ଫେବ୍ରୁଆରି ୨୭ ତାରିଖରେ ନିର୍ବାଚନ ହେବ। ଆଉ ଆଜି ୨ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଥିଲେ ବି ଆଉ ଜଣଙ୍କ ନାମ ଘୋଷଣା ହୋଇନାହିଁ | କୁହାଯାଉଛି ଯେ ଆସନ୍ତାକାଲି ଆଉ ଜଣେ ପ୍ରାର୍ଥୀଙ୍କ ନାମ ଘୋଷଣା କରି ବିଜେଡି ସୁପ୍ରିମୋ ସମସ୍ତଙ୍କୁ ଚମକାଇଦେଇପାରନ୍ତି ,

ଅମର ପଟ୍ଟନାୟକ ଓ ପ୍ରଶାନ୍ତ ନନ୍ଦ ବିଜେଡିରୁ ଏବଂ ବିଜେଡି ସମର୍ଥନରେ ବିଜେପି ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ବର୍ତ୍ତମାନ ବିଧାନସଭାରେ ସଂଖ୍ୟା ଦୃଷ୍ଟିରୁ ବିଜେଡି ତିନିଟି ଯାକ ଆସନ ଦଖଲ କରିବାରେ ଆପାତତଃ କୌଣସି ସମସ୍ୟା ନାହିଁ। ଏବେ ବିଧାନସଭାରେ ବିଜେଡିର ୧୦୯ ଜଣ ବିଧାୟକ ଥିଲା ବେଳେ ବିଜେପିର ୨୨, କଂଗ୍ରେସର ୯, ସିପିଆଇ(ଏମ୍)ର ଜଣେ ବିଧାୟକ ଅଛନ୍ତି। ଏହା ବାଦ୍ ୫ ଜଣ ସ୍ବାଧୀନ ବିଧାୟକ ଅଛନ୍ତି, ଯେଉଁମାନଙ୍କ ମଧ୍ୟରେ ୪ ଜଣ ବିଜେଡିରୁ ବହିଷ୍କୃତ ହୋଇଛନ୍ତି। ସୂର୍ଯ୍ୟନାରାୟଣ ପାତ୍ରଙ୍କ ପରଲୋକ ପରେ ଗୋଟିଏ ଆସନ ଖାଲି ରହିଛି।

Comments are closed.