ରାଜ୍ୟର ସମସ୍ତ ଟ୍ରାଫିକ ଉଲ୍ଲଂଘନକାରୀଙ୍କୁ ମିଳିଛି ଆଶ୍ୱସ୍ତି

ଭୁବନେଶ୍ୱର:  ୨୦୧୯ ପର୍ଯ୍ୟନ୍ତ ବିନା ହେଲମେଟରେ ଗାଡ଼ି ଚାଳନା, ବିନା ସିଟ ବେଲ୍ଟରେ ଗାଡ଼ି ଚାଳନା, ତିନିଜଣିଆ ବାଇକ ଯାତ୍ରା ଆଦି ବିଭିନ୍ନ ପ୍ରକାରର ଟ୍ରାଫିକ ଉଲ୍ଲଂଘନରେ କଟିଥିବା ଚାଲାଣକୁ ରାଜ୍ୟ ପରିବହନ ବିଭାଗ ବାତିଲ କରିଦେଇଛି । ରାଜ୍ୟ ସରକାରଙ୍କର ଏହି ନିଷ୍ପତ୍ତି ଫଳରେ ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବା ଗାଡ଼ି ଚାଳକଙ୍କୁ ଆଶ୍ୱସ୍ତି ମିଳିଛି ।୨୦୧୯ ଡିସେମ୍ବର ମାସ ପୂର୍ବରୁ ବିଭିନ୍ନ ଆରଟିଓ ଏବଂ ପୋଲିସ ନିକଟରେ ପଡ଼ି ରହିଥିବା ସମସ୍ତ ଭେଇକିଲ ଚେକିଂ ରିପୋର୍ଟ (ଭିସିଆର)କୁ ବାତିଲ କରାଯାଇଛି । ଅନ୍ୟପକ୍ଷରେ ୨୦୧୯ ଡିସେମ୍ବର ପରଠାରୁ କଟିଥିବା ଚାଲାଣ ନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ । ସାଧାରଣ ଭାବେ ଗାଡ଼ି ଚାଳକ ନିୟମ ନ ମାନିଲେ ପୋଲିସ କିମ୍ବା ପରିବହନ ଅଧିକାରୀ ଚାଲାଣ କାଟିଥାନ୍ତି । ଚାଲାଣ କଟିବାର ୧୫ ଦିନ ମଧ୍ୟରେ ଜରିମାନା ନଦେଲେ ପୋଲିସ ଉକ୍ତ କେସକୁ ମାଜିଷ୍ଟ୍ରେଟଙ୍କ କୋର୍ଟକୁ ପଠାଇବାର ବ୍ୟବସ୍ଥା ରହିଛି ।

ତେବେ ପରିବହନ ବିଭାଗର ନିୟମ ଅନୁଯାୟୀ, ଯେଉଁ ଭିସିଆର କଟାଯାଏ ସେଥିରେ କାହାର ବୈଧତା କେତେ ତାହା ମାମଲା ଦୃଷ୍ଟିରୁ ଧାର୍ଯ୍ୟ ହୋଇଛି । କେବଳ ଜରିମାନା ଦଣ୍ଡ ଥିବା ଭିସିଆରର ବୈଧତା ୬ ମାସରୁ ଅଧିକ ହେବ ନାହିଁ । ସେହିପରି ଯେଉଁ ଭିସିଆରରେ ଜରିମାନା ସହ ୧ ବର୍ଷରୁ କମ୍ ଜେଲଦଣ୍ଡର ବ୍ୟବସ୍ଥା ରହିଛି ସେ କ୍ଷେତ୍ରରେ ସେହି ଭିସିଆରର ବୈଧତା ୧ ବର୍ଷ ପର୍ଯ୍ୟନ୍ତ ରହିଛି ।ପୋଲିସ ଦ୍ୱାରା କଟାଯାଉଥିବା ଭିସିଆରର ବୈଧତା ୬-୧୨ ମାସ ରହିଥିବା ବେଳେ ଏହାକୁ ଧାର୍ଯ୍ୟ ସମୟ ମଧ୍ୟରେ କୋର୍ଟକୁ ପଠା ଯାଉ ନଥିବାରୁ ତା’ର ବୈଧତା ସରିଯାଇଥାଏ । ଫଳରେ ଜରିମାନା ଅର୍ଧ ଆଦାୟ ହୋଇପାରି ନଥାଏ । ଗତ ମାସରେ ହାଇକୋର୍ଟର ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ୨୦୨୦ ଜାନୁଆରୀରୁ ଚଳିତ ବର୍ଷ ଜୁଲାଇ ୧୫ ସୁଦ୍ଧା ଯେତେ ଇ-ଚାଲାଣ କଟାଯାଇଛି ତା’ର ଭିସିଆରକୁ ସମ୍ପୃକ୍ତ ଜୁଡିସିଆର ମାଜିଷ୍ଟ୍ରେଟଙ୍କ ନିକଟକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

Comments are closed.