ନୂଆଦିଲ୍ଲୀ :ଓଡ଼ିଶାରେ ଖାଲି ପଡ଼ିଥିବା ଗୋଟିଏ ରାଜ୍ୟସଭା ସାଂସଦ ପଦ ପାଇଁ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ନିର୍ବାଚନ ଆୟୋଗ। ଜୁନ ୧୮ରେ ଭୋଟ ସହ ଗଣତି ପରିଣ ବିଜ୍ଞପ୍ତିରେ ପ୍ରକାଶ।
ବିଜେଡ଼ି ସହ ରାଜ୍ୟସଭା ସାଂସଦ ପଦ ଛାଡ଼ିଛନ୍ତି ସାଂସଦ ଦେବାଶିଷ ସାମନ୍ତରାୟ। ଫଳରେ ଓଡିଶାରୁ ଗୋଟିଏ ଆସନ ଫାଙ୍କ ରହିଥିଲା। ଦେବାଶିଷଙ୍କ ଇସ୍ତଫା ପରେ ଏହି ଆସନକୁ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଖାଲି ହୋଇଥିବା ଗୋଟିଏ ଆସନ ପାଇଁ ଜୁନ୍ ୧ରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ୮ରେ ନାମାଙ୍କନ ଦାଖଲର ଶେଷ ତାରିଖ ଧାର୍ଯ୍ୟ କର ଯାଇଛି। ଜୁନ୍ ୧୧ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି। ଜୁନ୍ ୧୮ ତାରିଖ ସକାଳ ୯ରୁ ଅପରାହ୍ଣ ୪ଟା ମଧ୍ୟରେ ଭୋଟ୍ ଗ୍ରହଣ କରାଯିବ। ଜୁନ୍ ୧୮ ତାରିଖ ଅପରାହ୍ଣ ୫ଟାରେ ଭୋଟ୍ ଗଣତି ସହ ଫଳାଫଳ ଘୋଷଣା କରାଯିବ ବୋଲି ଭାରତୀୟ ନିର୍ବାଚନ ଆୟୋଗ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।
ବିଜେଡିରୁ ଇସ୍ତଫା ଦେବା ପରେ ଦେବାଶିଷ ବିଜେପିରେ ମିଶିଛନ୍ତି। ତେବେ ଏହି ଗୋଟିଏ ଆସନ ପାଇଁ ଦେବାଶିଷଙ୍କ ନାମ ସର୍ବାଗ୍ରେ ରହିଛି। ୨୦୨୪ ସାଧାରଣ ନିର୍ବାଚନ ପରେ ବିଜେଡ଼ିରୁ ଏ ପର୍ଯ୍ୟନ୍ତ ୩ଜଣ ରାଜ୍ୟସଭା ସାଂସଦ ଇସ୍ତଫା ଦେଇ ବିଜେପିରେ ମିଶି ସାରିଛନ୍ତି। ସାଂସଦ ସୁଜିତ କୁମାର ଓ ମମତା ମହନ୍ତ ପୂର୍ବରୁ ବିଜେଡ଼ି ଛାଡ଼ି ବିଜେପିରେ ମିଶିବା ପରେ ଉଭୟ ଉପନିର୍ବାଚନରେ ଅପ୍ରତିଦ୍ବନ୍ଦି ଭାବେ ଜିତି ରାଜ୍ୟସଭା ଯାଇଛନ୍ତି। ଏଥର ବି ଦେବାଶିଷଙ୍କ କ୍ଷେତ୍ରରେ ସମାନ ପରିସ୍ଥିତି ହେବ ବୋଲି ଅନୁମାନ କରାଯାଉଛି।
Comments are closed.