ରାଜ୍ୟ ରାଜପଥରେ ପରିବହନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ

ଭୁବନେଶ୍ୱର : ବିଗତ ୧୫ ଦିନ ମଧ୍ୟରେ ହେଲମେଟ୍ ନପିନ୍ଧି ବାଇକ୍ ଚଳାଇବା ଓ ଟ୍ରାଫିକ ନିୟମ ଉଲ୍ଲଘଂନ କରିଥିବା କାରଣରୁ ରାଜ୍ୟ ପରିବହନ ପ୍ରାଧିକରଣ ବିଭାଗ ମୋଟ ୧୨୫୪୫ ଜଣ ବାଇକ୍ ଆରୋହୀଙ୍କ ଡ୍ରାଇଭିଂ ଲାଇସେନ୍ସକୁ ବାତିଲ କରିଛନ୍ତି । ଏହାସହିତ ମୋଟ ୨୪୪୭୪ ଜଣଙ୍କୁ ଗାଡ଼ି ଚଳକଙ୍କୁ ଇ-ଚାଲାଣ ମଧ୍ୟ ଜାରି କରିଛନ୍ତି । ରାଜ୍ୟ ପରିବହନ ପ୍ରାଧିକରଣ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ, ଅଗଷ୍ଟ ୧୬ ରୁ ୩୦ତାରିଖ ମଧ୍ୟରେ ଜାତୀୟ ଓ ରାଜ୍ୟ ରାଜପଥରେ ପରିବହନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନରେ ଟ୍ରାଫିକ ନିୟମ ଉଲ୍ଲଘଂନ ଓ ହେଲମେଟ୍ ପିନ୍ଧିନଥିବା ଯୋଗୁ ମୋଟ ୬୩ ଲକ୍ଷ ୯୮ହଜାର ୧୧୮ଟଙ୍କା ଜୋରିମାନା ଆଦାୟ ହୋଇଛି ।

କେବଳ ହେଲମେଟ୍ ପିନ୍ଧିନଥିବା ଯୋଗୁ ୧୨୫୪୫ଜଣଙ୍କ ଡ୍ରାଇଭିଂ ଲାଇସେନ୍ସକୁ ବାତିଲ କରାଯାଇଛି । ଡ୍ରାଇଭିଂ ଲାଇସେନ୍ସ ନଥାଇ ଗାଡ଼ି ଚଳାଉଥିବା ଯୋଗୁ ୮୮୮ଟି ଗାଡ଼ିକୁ ଜବତ କରାଯାଇଛି । ଅତିରିକ୍ତ ପରିବହନ କମିଶନର ଲାଲମୋହନ ସେଠୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ପ୍ରାଧିକରଣ ପକ୍ଷରୁ ରାସ୍ତାରେ ଦୁର୍ଘଟଣା ହ୍ରାସ କରିବା ନିମନ୍ତେ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଥିଲା । ରାସ୍ତା ଦୁର୍ଘଟଣା ଜନିତ କ୍ଷୟକ୍ଷତି ହ୍ରାସ କରିବା ନିମନ୍ତେ ଲୋକଙ୍କୁ ସଚେତନ କରାଇବା ଏହାର ମୁଖ୍ୟ ଲକ୍ଷ୍ୟ ଥିଲା । ବାଇକ ଚାଳକଙ୍କ ପାଇଁ ଜାତୀୟ ଓ ରାଜ୍ୟ ରାଜପଥରେ ଅଧିକାଂଶ ଦୁର୍ଘଟଣା ହେଉଛି। ତେଣୁ ବିନା ହେଲମେଟରେ ଗାଡ଼ି ଚଳାଉଥିବା ଚଳକଙ୍କ ପାଇଁ ଏହି ଅଭିଯାନକୁ ଜୋରଦାର କରାଯାଇଥିଲା ।ସୂଚନାଯୋଗ୍ୟ ଯେ, ୨୦୨୧ ମସିହାରେ ରାସ୍ତା ଦୁର୍ଘଟଣାରେ ୮୬୮ଜଣ ବାଇକ ଚାଳକ ଓ ପଛରେ ବସିଥିବା ୪୪୦ଜଣଙ୍କ ସମେତ ମୋଟ ୧୩୦୮ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଲମେଟ୍ ପିନ୍ଧିନଥିବା ଦେଖା ଯାଇଥିଲା । ଦୁର୍ଘଟଣା କାରଣରୁ ବାଇକ୍ ଆରୋହୀଙ୍କ ମଧ୍ୟରୁ ୧୨୮୦ଜଣ ଗୁରୁତର ଆହତ ଓ ୭୪୭ଜଣ ସାମାନ୍ୟ ଆହତ ହୋଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.