ପୁଲିସ–ମାଓବାଦୀ ଗୁଳିବିନିମୟ; ମହିଳା ନକ୍ସଲ ମୃତ

ଫୁଲବାଣୀ: ଆଜି ସନ୍ଧ୍ୟା ପର ଠାରୁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ସୁଡ୍ରା ପଞ୍ଚାୟତର ସିନ୍ଧ୍ରିଗାଁ ଜଙ୍ଗଲରେ ପୁଲିଓ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିବା ସୂଚନା ମିଳିଛି। ଏ ନେଇ କନ୍ଧମାଳ ଏସ୍‌.ପି ଭିନୀତ୍‌ ଅଗ୍ରୱାଲ୍‌ଙ୍କ ସହ ଯୋଗାଯୋଗ କରିବାରୁ ସିନ୍ଧ୍ରିଗାଁ ଜଙ୍ଗଲରେ ପୁଲିସ ପକ୍ଷରୁ ମାଓ ଦମନ ଅପରେସନ୍‌ ଜାରି ରହିଥିବା କଥା ସ୍ବୀକାର କରିଛନ୍ତି। ତେବେ ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ଜିଲ୍ଲା ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ସବିଶେଷ ସୂଚନା ଦେବେ ବୋଲି ଏସ୍‌.ପି ଶ୍ରୀ ଅଗ୍ରୱାଲ୍‌ କହିଛନ୍ତି। ସ୍ଥାନୀୟ ଅଞ୍ଚଳର ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଆଜି ଦିନତମାମ୍‌ ସିନ୍ଧିଗାଁ ଜଙ୍ଗଲରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ସ୍ଥାନୀୟ ଲୋକେ ବନ୍ଧୁକରୁ ଗୁଳି ଫୁଟୁଥିବା ଶଦ୍ଦ ଏବେ ବି ଶୁଣୁଥିବା କହିଛନ୍ତି। ତେବେ ଆଜି ରାତିରେ ପୁଲିସ ଗୁଳିରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିବା ସୂଚନା ମିଳିଛି। ପୁଲିସ ମଧ୍ୟ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛି ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ, ଗତ କିଛ ଦିନ ତଳେ କେକେବିଏନ୍‌ ମାଓ ଡିଭିଜନ୍‌ର ମାଓବାଦୀମାନେ ବାଲିଗୁଡ଼ାର ଖମନଖୋଲ ଅଞ୍ଚଳରେ ମାଓ ପୋଷ୍ଟର୍‌ ଲଗାଇ ନିଜର ଉପସ୍ଥିତି ଜାହିର କରିଥିଲେ। ଖମନଖୋଲ, ସିନ୍ଧ୍ରିଗାଁ ଜଙ୍ଗଲରେ ମାଓବାଦୀ ଡେରା ପକାଇ ଥିବା ସୂଚନା ପାଇ ଏସ୍‌ଓଜି ଏବଂ କନ୍ଧମାଳ ପୁଲିସର ସ୍ବତନ୍ତ୍ର ବାହିନୀ ସର୍ଚ୍ଚ ଅପରେସନ୍‌ ଆରମ୍ଭ କରି ଦେଇଥିଲେ। ପୁଲିସ ମାଓବାଦୀଙ୍କ ଉପରକୁ ଗୁଳି ଚାଳନା କରିବା ପରେ ମାଓବାଦୀମାନେ ପାଲଟା ଗୁଳି ଚଳାଇଛନ୍ତି। ଫଳରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି ବୋଲି ଏସ୍‌.ପି ଶ୍ରୀ ଅଗ୍ରୱାଲ କହିଛନ୍ତି।

ବର୍ତ୍ତମାନ ମାଓବାଦୀ ଗୋଛାପଡ଼ା-ବାଲନ୍ଦାପଡ଼ା ଛାଡ଼ି ବାଲିଗୁଡ଼ା ଅଞ୍ଚଳରେ ସକ୍ରିୟ ରହିଛନ୍ତି। କିଛି ମାସ ତଳେ ମାଓବାଦୀ ଜିଲ୍ଲାର ଗୋଛାପଡ଼ା ଥାନା ଅନ୍ତର୍ଗତ ସାଡ଼ିଙ୍ଗିଆ, ବାଲନ୍ଦାପଡ଼ା ଅଞ୍ଚଳରେ ବ୍ୟାପକ ଅଘଟଣ ଘଟାଇଥିଲେ। ସାଡ଼ିଙ୍ଗିଆଠାରେ ମାଓ ପୋଷ୍ଟର୍‌ ଲଗାଇବା ସହ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ଏକ ଠିକା ସଂସ୍ଥାର ଜେସିବି ମେସିନ୍‌ ଓ ଗାଡ଼ି ଧ୍ବଂସ କରି ଦେଇଥିଲେ। ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ଜଣେ ସ୍ଥାନୀୟ ଯୁବକଙ୍କର ମୃତ୍ୟୁ ହୋଇଥିଲା।

Comments are closed.