ପୂଜାଷ୍ପଦ ହେଲା ଗୋଷ୍ପଦ ପୁଷ୍କର

ଅର୍ଜୁନୀ ଚରଣ ବେହେରା 

ଭଗବାନ୍ ବିଷ୍ଣୁଙ୍କ ବରାହ ଅବତାର ବେଳର କଥା l ନିଜ ବଡ଼ପଣକୁ ନେଇ ଦିନେ ସୃଷ୍ଟିକର୍ତ୍ତା ବ୍ରହ୍ମା ଏବଂ ଭଗବାନ ବରାହଙ୍କ ମଧ୍ୟରେ କନ୍ଦଳ ଲାଗିଲା l ଏହି କଳହର ବିଚାରପାଇଁ ଉଭୟେ ଭଗବାନ୍ ଶଙ୍କରଙ୍କୁ ମଧ୍ୟସ୍ଥି ରଖିଲେ l ବିଚାରରେ ଶଙ୍କର ଗୋଟିଏ ସର୍ତ୍ତ ରଖି କହିଲେ,ମୋ ପାଦଠାରୁ ମସ୍ତକ ପର୍ଯ୍ୟନ୍ତ ଯିଏ ଯାଇ ଆଗ ଫେରିଆସିବ ତାକୁହିଁ ମୁଁ ସବୁଠାରୁ ବଡ଼ ବୋଲି ମାନିବି l ଦୁହେଁ ଏଥି ନିମନ୍ତେ ଚେଷ୍ଟାକଲେ l ଭଗବାନ ବରାହ, ଶିବଙ୍କ ମସ୍ତକ ପର୍ଯ୍ୟନ୍ତ ନ ଯାଇ ପାରି ଅଧ ବାଟରୁ ଫେରିଆସି ଶିବଙ୍କୁ କହିଲେ, ହେ ଦେବ ଦେବ ମହାଦେବ ! ଆପଣଙ୍କ ପାଦରୁ ମସ୍ତକ ପର୍ଯ୍ୟନ୍ତ ଯିବାକୁ କେହି ମଧ୍ୟ ସମର୍ଥ ନୁହଁନ୍ତି l ଆପଣ ଅସୀମ l ବ୍ରହ୍ମା ବରାହ ଭଗବାନ ଯାଇଥିବା ବାଟର କିଛିବାଟ ମାତ୍ର ଆଗକୁ ଯାଇଛନ୍ତି ବାଟରେ ତାଙ୍କର କେତକୀ ଫୁଲ ସହ ଭେଟ ହେଲା l ଶିବଙ୍କ ମସ୍ତକ ପର୍ଯ୍ୟନ୍ତ ଯାଇ ଥିଲେ ବୋଲି, ସେ କେତକୀ ଫୁଲକୁ ମିଥ୍ୟା ସାକ୍ଷ ଦେବା ନିମନ୍ତେ ଅନୁରୋଧ କରି ଫେରି ଆସିଲେ ଓ ଆସି ଶିବଙ୍କୁ କହିଲେ, ହେ ଦେବେଶ ! ଆପଣଙ୍କ ମସ୍ତକପର୍ଯ୍ୟନ୍ତ ମୁଁ ଯାଇଥିଲି ଓ ଆପଣଙ୍କ ମସ୍ତକରୁ କେତକୀ ପୁଷ୍ପ ଖସି ପଡୁଥିବାର ଦେଖିଛି l ଏହା ଆପଣ କେତକୀ ଫୁଲକୁ ପଚାରି ପାରନ୍ତି l

କେତକୀ ମହାଦେବଙ୍କୁ ସେହିପରି କହିଲା l ଶଙ୍କର କିନ୍ତୁ ଏହା ମିଥ୍ୟାବୋଲି ଜାଣି ପାରିଲେ l କ୍ରୋଧରେ ବ୍ରହ୍ମାଙ୍କୁ ମିଥ୍ୟାବାଦୀ ବୋଲି କହି ଅଭିଶାପ ଦେଲେ ” ଏ ମିଥ୍ୟାଚରଣ ପାଇଁ ତୁମେ ସଂସାରରେ ସର୍ବଦା ଅପୂଜ୍ୟ ରହିବ l ତୁମର କେହିହେଲେ ପୂଜା କରିବ ନାହିଁ” l ପୁଣି ସେ କେତକୀକୁ ଅଭିଶାପ ଦେଲେ ତୁ କେବେ ହେଲେ ମୋ ପୂଜାରେ ଲାଗି ପାରିବୁ ନାହିଁ l ବ୍ୟଥିତହୋଇ କେତକୀ ଶିବଙ୍କୁ ଅନୁରୋଧ କଲାରୁ ସେ କେତକୀ ଫୁଲକୁ ବରଦେଲେ, ‘ମୋ ଅଭିଶାପ ନିଷ୍ଫଳ ଯିବନାହିଁ, କିନ୍ତୁ ତୋର ପ୍ରାର୍ଥନା ଅନୁଯାୟୀ ସ୍ୱୀକାର କରୁଛି,ଶିବରାତ୍ରି ଗୋଟିଏ ଦିନ ତୁ ମୋର ଶିର ମଣ୍ଡନ କରିବୁ”l

ଭଗବାନ୍ ଶିବଙ୍କ ଠାରୁ ଅଭିଶପ୍ତ ହୋଇ ବେଦପତି ବ୍ରହ୍ମା ଯୁଗଯୁଗ ପାଇଁ ଅପୂଜ୍ୟରହିଲେ l ସେଥିପାଇଁ ତାଙ୍କର କେଉଁଠି ହେଲେ ପୂଜାହେବା ଦେଖା ଯାଏ ନାହିଁ କି କୁତ୍ରାପି ତାଙ୍କର ମନ୍ଦିର ଥିବା ଦେଖା ଯାଏ ନାହିଁ l କିନ୍ତୁ ରାଜସ୍ଥାନର ଆଜମିର ଠାରୁ ମାତ୍ର ୧୪ କି ମି ଦୂରରେ ଥିବା ପୁଷ୍କର ତୀର୍ଥରେ ରହିଛି ବ୍ରହ୍ମାଙ୍କ ବିଶ୍ୱର ଏକମାତ୍ର ମନ୍ଦିର l ଆରାବଳୀ ପର୍ବତମାଳାର ନାଗ ପର୍ବତ ଉପରେ ରହିଛି ଏହି ମନ୍ଦିର ଓ ପବିତ୍ର ପୁଷ୍କର ହ୍ରଦ, ଯାହା ଭଗବାନ୍ ବ୍ରହ୍ମାଙ୍କ ନିବାସ ସ୍ଥଳୀ ଭାବେ ପରିଗଣିତ ହୋଇଥାଏ l ପୁଷ୍କର ହିନ୍ଦୁମାନଙ୍କ ପାଇଁ ଏକ ପରମ ପାବନ ତୀର୍ଥକ୍ଷେତ୍ର l ସ୍ନାନ ତର୍ପଣ ପାଇଁ ଏଠାରେ ପୁଣ୍ୟ କାର୍ତ୍ତିକ ମାସରେ ବହୁ ଧର୍ମାର୍ଥି ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ l ମାନ୍ୟତା ରହିଛି, ପ୍ରତ୍ୟେକ ବ୍ୟକ୍ତି ଜୀବନରେ ଅନ୍ତତଃ ଥରେ ହେଲେ ପୁଷ୍କରଯାତ୍ରା କରିବାଉଚିତ୍ l ପୁଷ୍କର ତୀର୍ଥର ମହତ୍ତ୍ଵ ପ୍ରୟାଗ, ବନାରସ ତୁଲ୍ୟ l କୁହାଯାଏ ପୁଷ୍କର ତୀର୍ଥ ଦର୍ଶନ ବିନା ଚତୁର୍ଦ୍ଧାମ ଯାତ୍ରା ଅପୂର୍ଣ୍ଣ ରହେ l

ପୌରାଣିକ କାହାଣୀରୁ ଜ୍ଞାତହୁଏ ଏକଦା ବେଦପତି ବ୍ରହ୍ମା ଗୋଟିଏ ବୃହତ୍ ଯଜ୍ଞ କରିବା ପାଇଁ ଚାହିଁଲେ l ଯଜ୍ଞର ଶୁଭ ମୂହୁର୍ତ୍ତ ସ୍ଥିର ହୋଇ ଅୟୋଜନ ଆରମ୍ଭ ହେଲା l ଯଜ୍ଞ ବିଷୟରେ ବ୍ରହ୍ମା, ପତ୍ନୀ ସରସ୍ଵତୀଙ୍କୁ କହିଲେ l ସରସ୍ଵତୀ ଉପଯୁକ୍ତ ସମୟରେ ଉପସ୍ଥିତ ରହି ପାରିବେ ନାହିଁ କହି, ବ୍ରହ୍ମାଙ୍କୁ ଅପେକ୍ଷା କରିବା ପାଇଁ କହିଲେ l ଶୁଭମୁହୂର୍ତ୍ତ ତ ସ୍ଥିର ହୋଇସାରିଛି l ଏଣୁ ବ୍ରହ୍ମା ଅନନ୍ୟୋପାୟ ହୋଇ ତାଙ୍କର ଦ୍ୱିତୀୟା ପତ୍ନୀ ଗାୟତ୍ରୀଙ୍କୁ ଘେନି ଯଜ୍ଞ ସମାପ୍ତ କରିନେଲେ l ସରସ୍ୱତୀ ଏହାଜାଣି ଅତ୍ୟନ୍ତ କୁପିତାହୋଇ ବ୍ରହ୍ମାଙ୍କୁ ଅଭିଶାପ ଦେଲେ,ଜାଣିଶୁଣି ତୁମେ ମୋତେ ଅବଜ୍ଞା କଲ, ତୁମକୁ ଆଜିଠାରୁ ଆଉ କେହି ପୂଜା କରିବେ ନାହିଁ l ସରସ୍ୱତୀଙ୍କୁ ଅନ୍ୟ ଦେଵତା ମାନେ ପ୍ରାର୍ଥନା କରିବାରୁ ସେ କହିଲେ, ବ୍ରହ୍ମା କେବଳ ପୁଷ୍କର ତୀର୍ଥ ଠାରେ ପୂଜା ପାଇବେ l ଅନ୍ୟ କେଉଁଠି ତାଙ୍କ ପୁଜା ହେବନାହିଁ l ବ୍ରହ୍ମା ଚାଲିଲେ ପୁଷ୍କର l ଏଥିରୁ ଉତ୍ପତ୍ତି ହେଲା ପୁଷ୍କର ତୀର୍ଥ l

ପଦ୍ମ ପୁରାଣର ବର୍ଣ୍ଣନା ଅନୁସାରେ, ବେଦପତି ବ୍ରହ୍ମା ଯେତେବେଳେ ଯଜ୍ଞ ପାଇଁ ଗୋଟିଏ ଉପଯୁକ୍ତ ସ୍ଥାନ ଖୋଜି ବୁଲୁ ଥିଲେ, ସେତେବେଳେ, ତାଙ୍କ ହାତରୁ ବ୍ରହ୍ମ କମଳର କେତୋଟି ପାଖୁଡ଼ା ପୃଥିବୀ ଉପରେ ଖସିପଡ଼ିଲା l ସେ ପାଖୁଡ଼ାରୁ ତିନିବୁନ୍ଦ ଜଳ ନିର୍ଗତ ହୋଇ ତିନୋଟି ଯାଗାରେ ପଡ଼ିଲା l ପୁଷ୍କର ଠାରେ ପଡ଼ିଥିବା ବୁନ୍ଦାରୁ ସୃଷ୍ଟି ହେଲା ପୁଷ୍କର ସରୋବର l ଏହି ପୁଷ୍କର ସରୋବର ତୀରରେ ସ୍ଥାପିତ ହୋଇଛି ଚତୁର୍ମୁଖ ବ୍ରହ୍ମାଙ୍କ ଭବ୍ୟ ମନ୍ଦିର ଓ ପାର୍ଶ୍ଵରେ ରହିଛି ମା’ ଗାୟତ୍ରୀଙ୍କ ଏକ କ୍ଷୁଦ୍ର ମନ୍ଦିର l

କୁହାଯାଏ ରମଣୀୟ ପୁଷ୍କର ସରୋବର ସୃଷ୍ଟି ଆଦ୍ୟ କାଳରୁ ରହିଛି l ପୁଷ୍କର ତୀର୍ଥର ବର୍ଣ୍ଣନା ମହାକାବ୍ୟ ରାମାୟଣ ଓ ମହଭାରତରେ ମଧ୍ୟ ଦେଖିବାକୁ ମିଳି ଥାଏ l ଚତୁର୍ଥ ଶତାବ୍ଦୀରେ ଭାରତ ଭ୍ରମଣରେ ଆସି ଥିବା ଚୀନ ପରିବ୍ରାଜକ, ଫାହିୟାନ, ତାଙ୍କ ଭ୍ରମଣ ବୃତ୍ତାନ୍ତରେ ପୁଷ୍କର ତୀର୍ଥ କଥା ଉଲ୍ଲେଖ କରିଛନ୍ତି l ଏହା ପୁଷ୍କର ତୀର୍ଥର ପ୍ରାଚୀନତାକୁ ପ୍ରମାଣ କରେ l ସୁନ୍ଦର ପୁଷ୍କର ସରୋବରରେ ଶ୍ରଦ୍ଧାଳୁଙ୍କ ସ୍ନାନପାଇଁ ରହିଛି ବାଉନଟି ଘାଟ l ଏଠାରେ ଶ୍ରାଦ୍ଧ କର୍ମ ପାଇଁ ସୁନିୟନ୍ତ୍ରିତ ବ୍ୟବସ୍ଥା ରହିଛି l

ଏଠାରେ କାର୍ତ୍ତିକମାସରେ ହେଉଥିବା ପୁଷ୍କର ମେଳା ବିଶ୍ୱରେ ଏକ ବୃହତ ମେଳାର ଖ୍ୟାତି ଲାଭ କରିଛି l ମେଳାର ବିଶେଷ ଆକର୍ଷଣ ହେଉଛି ଓଟ ବଜାର l

ଏହି ମେଳା କାର୍ତ୍ତିକ ଶୁକ୍ଲ ଅଷ୍ଟମୀରୁ ଆରମ୍ଭ ହୋଇ ପୁର୍ଣିମା ଦିନ ଉଦଯାପିତ ହୋଇଥାଏ l ଏହି ମେଳା ପାଇଁ ଭାରତର ନନା ସ୍ଥାନରୁ ଯାତ୍ରୀ ଓ ସାଧୁମାନେ ଆସି ଏଠାରେ ରୁଣ୍ଡ ହୁଅନ୍ତି ଓ ପବିତ୍ର ପୁଷ୍କରିଣୀରେ ସ୍ନାନ କରି ନିଜକୁ ଧନ୍ୟ ମଣନ୍ତି l ପୁଷ୍କର ତୀର୍ଥରେ ସ୍ନାନ ପରମ ମୋକ୍ଷଦାୟକ ବୋଲି ବିଶ୍ୱାସ ରହିଛି l ତେଣୁ ବର୍ଷ ସାରା ଏଠାକୁ ଧର୍ମାର୍ଥୀ ଓ ପର୍ଯ୍ୟଟକଙ୍କ

ସୁଅ ଛୁଟିଥାଏ l

କ୍ଷୁଦ୍ର ଅଥଚ ପ୍ରସିଦ୍ଧ ପୁଷ୍କର ତୀର୍ଥକୁ ଆମ ରମଣୀୟ ଅଂଶୁପା ହ୍ରଦ ସହିତ ତୁଳନା କରି, ଦିନେ କବିବର ରାଧାନାଥ ରାୟ ମା’ ସରସ୍ଵତୀଙ୍କୁ ସମ୍ବୋଧନ କରି କହିଥିଲେ :-

ସୁରୂପା ଅଂଶୁପା ଲୋକେ ଆଗୋଚର !

ପୂଜାସ୍ପଦ ହେଲା, ଗୋଷ୍ପଦ ପୁଷ୍କର ll

ତୋର କୃପା ବଳେ କ୍ଷୁଦ୍ର ମହୀୟାନ l

ତୋ କୃପା ବିହୁନେ ବଡ଼ ହୁଏ ସାନ ll

ଓଁ ନମଃ ବିଶ୍ୱସୃଜ୍ୟେ ତୁଭ୍ୟଂ

ସତ୍ୟାୟ ପରମାତ୍ମନେ l

🙏🙏🙏

ଅର୍ଜୁନୀ

—————

ଅର୍ଜୁନୀ ଚରଣ ବେହେରା

ମୋ -7693091971

Comments are closed.