ଡବଲିନ/ଭୁବନେଶ୍ବର: ଯୁବ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ନିର୍ମିତ ଓ ନିର୍ଦ୍ଦେଶିତ ବହୁ ପ୍ରତୀକ୍ଷିତ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ ବିଦେଶରେ ପ୍ରଦର୍ଶିତ ହୋଇଛି। ଜଗନ୍ନାଥଙ୍କ କୃପାରୁ ଏହି ଚଳଚ୍ଚିତ୍ରଟି ଗତ ୧୩ ତାରିଖରେ ଡବଲିନ୍ର ସାଇଣ୍ଟୋଲୋଜି କମ୍ୟୁନିଟି ସେଣ୍ଟରରେ ପ୍ରଦର୍ଶିତ ହୋଇଛି। ଏହି କାର୍ଯ୍ୟକ୍ରମରେ ୬୦ରୁ ଅଧିକ ଲୋକ ଯୋଗ ଦେଇଥିଲେ। ଓଡ଼ିଆ ବ୍ୟତୀତ ଅଳ୍ପ ସଂଖ୍ୟକ ବଙ୍ଗୀୟ ଲୋକ ଏବଂ ଇଟାଲୀୟମାନେ ଏହି ଫିଲ୍ମ ଦେଖିଛନ୍ତି। ସେମାନେ ଓଡ଼ିଶା ଏବଂ ଏହାର ସଂସ୍କୃତିକୁ ପ୍ରଶଂସା କରିଥିଲେ। ଏହି ଚଳଚ୍ଚିତ୍ରକୁ ସେମାନେ ଉପଭୋଗ କରିଥିଲେ ବୋଲି କହିଥିଲେ। ଏତଦ ବ୍ୟତୀତ ଦର୍ଶକମାନେ ଓଡ଼ିଆ ଖାଦ୍ୟ ଝାଲମୁଢ଼ି ଏବଂ ସିଙ୍ଗଡ଼ାର ମଜ଼ା ମଧ୍ୟ ନେଇଥିଲେ। ଆୟର୍ଲାଣ୍ଡର ଓଡ଼ିଆମାନେ ଭବିଷ୍ୟତରେ ଓଡ଼ିଆ ସିନେମା ଏବଂ କଳା ସାହିତ୍ୟକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରତିଶୃତି ଦେଇଛନ୍ତି। ଡବଲିନରେ ଓଡ଼ିଆ ସିନେମା ପ୍ରଦର୍ଶନ କରିବାରେ ସମ୍ବିତ ମିଶ୍ର, ଦେବାଶିଷ ପଣ୍ଡା, ପ୍ରଦ୍ୟୁମ୍ନ ମିଶ୍ର, ସୋଜିତ ମହାରାଣା, ଶ୍ଵେତା, ଶୁଭସ୍ମିତା ପ୍ରମୁଖ ସହଯୋଗ କରିଥିଲେ। ଗୋଟିଏ ମଧ୍ୟବିତ୍ତ ପରିବାରରେ ବାପ ପୁଅଙ୍କ ସମ୍ପର୍କ, ଆଉ ଚାକିରି ପାଇଁ କେମିତି ପୁଅକୁ ଭୋଗିବାକୁ ପଡୁଛି ସମସ୍ୟା ସେହି କଥା କହୁଛି ଚଳଚ୍ଚିତ୍ର ପ୍ରତୀକ୍ଷା। ଔପନ୍ୟାସିକ ଗୌରହରି ଦାସଙ୍କ ଏକ ଗଳ୍ପ ଉପରେ ଆଧାରିତ ଏହି କାହାଣୀକୁ ବହୁ ପସନ୍ଦ କରିଛନ୍ତି ଦର୍ଶକ। ଏହି ଚଳଚ୍ଚିତ୍ରଟି ଗତବର୍ଷ ଡିସେମ୍ବର ୨ ତାରିଖରେ ରିଲିଜ ହୋଇଥିଲା। ଫିଲ୍ମରେ ଦୀପନ୍ବିତ ଦାସମହାପାତ୍ର, ଚୌଧୁରୀ ଜୟପ୍ରକାଶ ଦାସ, ବର୍ଷା ପଟ୍ଟନାୟକ, ଶ୍ରୀଲା ତ୍ରିପାଠୀ ଓ ସିଦ୍ଧାନ୍ତ ମହାପାତ୍ରଙ୍କ ଅଭିନୟ ଦର୍ଶକଙ୍କ ମନ ଛୁଇଁଛି। କେବଳ ଭୁବନେଶ୍ଵରରେ ପ୍ରତ୍ୟେକ ଦିନ ୧୫ରୁ ଅଧିକ ସୋ’ ଦେଖିବାର ସୁଯୋଗ ପାଇଥିଲେ ଦର୍ଶକ। ତେବେ ଓଡ଼ିଶାର ବିଭିନ୍ନ ହଲ୍ରେ ପ୍ରତୀକ୍ଷା ଦର୍ଶକଙ୍କ ମନକୁ ଛୁଇଁଥିବା ବେଳେ ମୁମ୍ବାଇ, ପୁଣେ ଓ ବେଙ୍ଗାଲୁରୁରେ ବି ଏହି ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.
Comments are closed.