ପ୍ରବୀଣ ଶିକ୍ଷକ ପ୍ରଭାସ ଚନ୍ଦ୍ର ପଣ୍ଡାଙ୍କ ପରଲୋକ

ଭୁବନେଶ୍ୱର: ଗତ ଜାନୁଆରୀ ୩ ତାରିଖ ଦିନ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲ୍‌ରେ ପ୍ରବୀଣ ଶିକ୍ଷକ ପ୍ରଭାସ ଚନ୍ଦ୍ର ପଣ୍ଡାଙ୍କର ୯୨ ବର୍ଷରେ ପରଲୋକ ହୋଇଯାଇଛି । ସେ ନିମୋନିଆରେ ପୀଡ଼ିତ ଥିଲେ । ସେ ତାଙ୍କର କର୍ମମୟ ଜୀବନ ଭଦ୍ରକ ଜିଲ୍ଲାସ୍ଥିତ ନିଜ ପୈତୃକ ଗ୍ରାମ ଅଡ଼ାଳପଙ୍କରୁ ଆରମ୍ଭ କରିଥିଲେ । ତାଙ୍କର ପିତା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ଉପେନ୍ଦ୍ର ନାଥ ପଣ୍ଡା ଦୈନିକ ଖବରକାଗଜ ‘ପ୍ରଜାତନ୍ତ୍ର’ର ପ୍ରଥମ ସଂପାଦକ ଥିଲେ । ରାଉରକେଲାରେ ସେ ତାଙ୍କର କାର୍ଯ୍ୟକାଳ ୧୯୬୩ ମସିହାରେ ଇସ୍ପାତ ବିଦ୍ୟାଳୟରେ ଆରମ୍ଭ କରି ସେକଟର-୨ ସ୍ଥିତ ଇସ୍ପାତ୍‌ ଉଚ୍ଚ ବିଦ୍ୟାଳୟରୁ ସହକାରୀ ପ୍ରଧାନ ଶିକ୍ଷକ ଭାବେ ୧୯୮୮ ମସିହାରେ ଚାକିରିରୁ ଅବସର ନେଇଥିଲେ । ସ୍ୱର୍ଗତ ପଣ୍ଡା ଗଣିତ ଓ ବିଜ୍ଞାନରେ ଶିକ୍ଷକତା କରି ଜଣେ ଉଚ୍ଚକୋଟୀର ଶିକ୍ଷକ ଭାବେ ବହୁ ସୁନାମ ଅର୍ଜନ କରିଥିଲେ । ତାଙ୍କର ଅନେକ ଛାତ୍ର ଭାରତୀୟ ପ୍ରଶାସନିକ ସେବାଠାରୁ ଆରମ୍ଭ କରି ଇଂଜିନିୟରିଂ ଓ ଡାକ୍ତରୀ ଆଦି ଅନ୍ୟାନ୍ୟ କ୍ଷେତ୍ରରେ ପ୍ରତିଷ୍ଠିତ ହୋଇ ରାଜ୍ୟ ତଥା ଦେଶ ପାଇଁ ସୁନାମ ଆଣିପାରିଛନ୍ତି । ତାଙ୍କୁ ସେଲ୍‌ (ଷ୍ଟିଲ ଅଥରିଟି ଅଫ୍‌ ଇଣ୍ଡିଆ) ତରଫରୁ ଅନେକ ଥର ପୁରସ୍କୃତ କରାଯାଇଥିଲା ।
ମୃତୁ୍ୟଶଯ୍ୟା ନିକଟରେ ତାଙ୍କର ପନିୀ, ଦୁଇପୁତ୍ର ଓ ପୁତ୍ରବଧୂ ଉପସ୍ଥିତ ଥିଲେ । ଓଡ଼ିଶାର ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ଡ. ଅରୁଣ ପଣ୍ଡା ଏବଂ ଏସ୍‌ଆର୍‌ ଷ୍ଟିଲର ପୂର୍ବତନ ଜଏଣ୍ଟ ଜେନେରାଲ୍‌ ମ୍ୟାନେଜର ଡ. କିରଣକାନ୍ତି ପଣ୍ଡା ତାଙ୍କର ଦୁଇପତ୍ର ଅଟନ୍ତି । ସ୍ୱର୍ଗତ ପଣ୍ଡାଙ୍କର ଶେଷକୃତ୍ୟ ପୁରୀ ସ୍ୱର୍ଗଦ୍ୱାରରେ ସମାପନ ହୋଇଥିଲା । ଜ୍ୟେଷ୍ଠପୁତ୍ର ଡ. ଅରୁଣ ପଣ୍ଡା ମୁଖାଗ୍ନି ଦେଇଥିଲେ । ସ୍ୱର୍ଗତ ପଣ୍ଡାଙ୍କ ବିୟୋଗରେ ରାଉରକେଲାରେ ଶୋକର ଛାୟା ଖେଳି ଯାଇଛି ।

Comments are closed.