ପୋଷା କୁକୁର କାମୁଡ଼ିଲେ ୧୦,୦୦୦ ଟଙ୍କା ଜରିମାନା ଦେବା ସହ ଆହତଙ୍କ ଚିକିତ୍ସା ଦାୟିତ୍ବ ନେବେ ମାଲିକ: ନଏଡ଼ା କର୍ତ୍ତୃପକ୍ଷ

ନଏଡ଼ା: ଗତ ଅଳ୍ପ କେତେ ମାସ ହେବ ସହର ଓ ତା’ର ଆଖପାଖ ଅଞ୍ଚଳରେ କୁକୁର କାମୁଡ଼ା ଘଟଣା ବୃଦ୍ଧି ପାଉଥିବାରୁ କୁକୁର ମାଲିକଙ୍କ ଉପରେ ୧୦, ୦୦୦ ଟଙ୍କା ଜରିମାନା କରିବା ପାଇଁ ନଏଡ଼ା କର୍ତ୍ତୃପକ୍ଷ ନିଷ୍ପତ୍ତି ଗ୍ରହଣ କରିଛନ୍ତି।

କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି ଅନୁସାରେ, ଯଦି କୌଣସି ପୋଷା କୁକୁର ଅଥବା ବିରାଡ଼ି କାହାକୁ ଆକ୍ରମଣ କରେ ତା’ର ମାଲିକଙ୍କ ଉପରେ ୧୦,୦୦୦ ଟଙ୍କା ଜରିମାନା କରାଯିବ ଏବଂ ଆହତଙ୍କ ଚିକିତ୍ସା ଖର୍ଚ୍ଚ ମଧ୍ୟ ସେ ବହନ କରିବେ। ୨୦୨୩ ମାର୍ଚ ପହିଲାରୁ ଏହି ନିୟମ ଲାଗୁ ହେବ।

ବୁଲା କୁକୁରଙ୍କ ଦୌରାତ୍ମ୍ୟ ଏବଂ ପୋଷା କୁକୁରଙ୍କ ଆକ୍ରମଣ ପ୍ରସଙ୍ଗରେ ଆଲୋଚନା କରିବା ଲାଗି ଶନିବାର ଦିନ ନଏଡା କର୍ତ୍ତୃପକ୍ଷ ବୋର୍ଡ ମିଟିଙ୍ଗ୍‌ ଡକାଇଥିଲେ। ଏହି ବୈଠକ ଶେଷ ହେବା ପରେ ନଏଡ଼ା କର୍ତ୍ତୃପକ୍ଷ ଜାରି କରିଥିବା ଆଦେଶ ଅନୁସାରେ, ୨୦୨୩ ମାର୍ଚ ୧ ତାରିଖରୁ ଯଦି ପୋଷା କୁକୁର କି, ବିରାଡ଼ି ଯୋଗୁଁ କୌଣସି ଅପ୍ରୀତିକର ଘଟଣା ଘଟେ, ତେବେ ତା’ର ମାଲିକଙ୍କ ଉପରେ ଅର୍ଥଦଣ୍ଡ ପଡ଼ିବ। ଏହାଛଡ଼ା, ଉକ୍ତ ପ‌ୋଷାଜନ୍ତୁର ମାଲିକ ମଧ୍ୟ ଆହତଙ୍କ ଚିକିତ୍ସା ଦାୟିତ୍ବ ନେବେ।

‘ପ୍ରାଣୀ ମଙ୍ଗଳ ବୋର୍ଡ’ ନିୟମ ଅନୁସାରେ, ନୀତି ନିର୍ଦ୍ଧାରଣ କରିବା ଲାଗି ଏହି ବୈଠକରେ ନଏଡ଼ା କର୍ତ୍ତୃପକ୍ଷ ସବିଶେଷ ମାର୍ଗଦର୍ଶିକା ଜାରି କରିଛନ୍ତି। ସେହିପରି, ୨୦୨୩ ମାର୍ଚ ସୁଦ୍ଧା ‘ନଏଡା ଅଥରିଟି ପେଟ୍ ରେଜିଷ୍ଟ୍ରେସନ୍‌ ଆପ୍‌’ ଜରିଆରେ ପୋଷା କୁକୁର ଓ ବିରାଡ଼ିମାନଙ୍କର ପଞ୍ଜିକରଣ ବାଧ୍ୟତାମୂଳକ କରାଯାଇଛି। ପୋଷାଜନ୍ତୁଙ୍କୁ ପଞ୍ଜିକରଣ ନ କଲେ ବି ଜରିମାନା ପଡ଼ିବ। ଏହାଛଡ଼ା, କୁକୁରମାନଙ୍କୁ ଜଳାତଙ୍କ-ନିରୋଧୀ ଟିକା ଦେବା ମଧ୍ୟ ବାଧ୍ୟତାମୂଳକ କରାଯାଇଛି। ଏହାକୁ ଉଲ୍ଲଂଘନ କଲେ ୨୦୨୩ ମାର୍ଚ ପହିଲାରୁ ମାସକୁ ୨୦୦୦ ଟଙ୍କା ଲେଖାଏଁ ଜରିମାନା ପଡ଼ିବ।

Comments are closed.