ବାଲେଶ୍ୱର, ୧୪ ଅକ୍ଟୋବର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲ୍ଲା ଆଇନ ସେବା ପ୍ରାଧିକରଣ (DLSA)ର ସହଯୋଗରେ ସଦର ବ୍ଲକ ଅନ୍ତର୍ଗତ ଶାସଙ୍ଗ ଗ୍ରାମ ପଞ୍ଚାୟତର କଲ୍ୟାଣ ମଣ୍ଡପଠାରେ ଗତ ୯ ତାରିଖ ମଧ୍ୟାହ୍ନ ୧୨ଟାରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମାନବାଧିକାର କର୍ମୀ ସୁଧାକର ସେଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀ (SHG)ର ମହିଳା ଓ ଗ୍ରାମବାସୀମାନେ ଯୋଗ ଦେଇଥିଲେ।
ଜିଲ୍ଲା ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତର ବିଚାରପତି ତଥା ବାଲେଶ୍ୱର ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ସୁମନ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେ ମହିଳା, ଶିଶୁ, ଦିବ୍ୟାଙ୍ଗ, ଆର୍ଥିକ ଦୁର୍ବଳ ବର୍ଗ ଏବଂ ଆଦିବାସୀ ସମ୍ପ୍ରଦାୟର ଲୋକଙ୍କ ପାଇଁ ଉପଲବ୍ଧ ନିଃଶୁଳ୍କ ଆଇନ ସହାୟତା ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ। ଏଥିସହ ଯୋଗ୍ୟ ବ୍ୟକ୍ତିମାନେ ଏହି ସେବାର ସୁଯୋଗ ନେବାକୁ ସେ ଆହ୍ୱାନ ଦେଇଥିଲେ।
ଶ୍ରୀ ଜେନା କହିଥିଲେ ଯେ, ଜାତୀୟ ଆଇନ ସେବା ପ୍ରାଧିକରଣର ଟୋଲ୍ ଫ୍ରି ହେଲ୍ପଲାଇନ୍ ନମ୍ବର ୧୫୧୦୦ରେ ଯୋଗାଯୋଗ କରି କିମ୍ବା ଜିଲ୍ଲା ଆଇନ ସେବା ପ୍ରାଧିକରଣ କାର୍ଯ୍ୟାଳୟକୁ ଯାଇ ଲୋକମାନେ ଆଇନ ସହାୟତା ପାଇପାରିବେ। ସେ ବାଲ୍ୟବିବାହ ନିଷେଧ ଆଇନ, ଶିକ୍ଷା ଅଧିକାର ଆଇନ ଏବଂ ଶିଶୁ ଶ୍ରମ ନିଷେଧ ଆଇନର ପ୍ରମୁଖ ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ଆଲୋକପାତ କରିଥିଲେ। ଶିଶୁ ଓ ସମାଜର ଦୁର୍ବଳ ବର୍ଗଙ୍କ ଅଧିକାର ସୁରକ୍ଷା ପାଇଁ ଆଇନ ସଚେତନତା ଅତ୍ୟନ୍ତ ଜରୁରୀ ବୋଲି ସେ ମତବ୍ୟକ୍ତ କରିଥିଲେ।
ଜିଲ୍ଲାର ସମସ୍ତ ଲୋକଙ୍କ ପାଇଁ ନ୍ୟାୟକୁ ସୁଗମ କରିବା ଉଦ୍ଦେଶ୍ୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଜଣେ ସତର୍କ ଅଭିଭାବକ ଭଳି ନିରନ୍ତର କାର୍ଯ୍ୟ କରୁଛି। ଆବଶ୍ୟକ କରୁଥିବା ଲୋକଙ୍କୁ ଆଇନ ସହାୟତା ଯୋଗାଇଦେବା ଏବଂ ନ୍ୟାୟ ପାଇବାର ସୁଯୋଗ ସୁନିଶ୍ଚିତ କରିବା ପ୍ରାଧିକରଣର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିଥିଲେ।
କାର୍ଯ୍ୟକ୍ରମର ସଫଳ ଆୟୋଜନରେ ଶାସଙ୍ଗ ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରଫୁଲ୍ଲ କୁମାର ଦ୍ୱିବେଦୀ ସହଯୋଗ କରିଥିଲେ। ଏହି ଅବସରରେ ନାଏବ ସରପଞ୍ଚ ପୁଷ୍ପଲତା ବାରିକ, ଶୁଭଶ୍ରୀ ବାରିକଙ୍କ ସମେତ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମଞ୍ଚାସୀନ ଥିଲେ।
ରୀନା ମଲ୍ଲିକ ଅତିଥିମାନଙ୍କୁ ମଞ୍ଚରେ ସ୍ୱାଗତ କରିଥିବାବେଳେ ମନୋରଞ୍ଜନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଭାସ୍କର ମଲ୍ଲିକ, ରତିକାନ୍ତ ସେଠୀ, ତରୁଣ ସେଠୀ, ମନୋରଞ୍ଜନ ମଲ୍ଲିକ, ଶଙ୍କର୍ଷଣ ଶତପଥୀ ଓ ଦୋଳଗୋବିନ୍ଦଙ୍କ ସମେତ ଅନ୍ୟମାନେ ସହଯୋଗ କରିଥିଲେ।
ଏହି ଶିବିର ମାଧ୍ୟମରେ ଗ୍ରାମାଞ୍ଚଳର ଲୋକଙ୍କୁ ନିଃଶୁଳ୍କ ଆଇନ ସହାୟତା, ଶିଶୁ ଅଧିକାର ଓ ବିଭିନ୍ନ ଆଇନର ବ୍ୟବସ୍ଥା ସମ୍ପର୍କରେ ସଚେତନ କରାଯାଇଥିଲା।