ପଟ୍ଟାମୁଣ୍ଡାଇ ପୋଲିସର ବଡ ସଫଳତା: ଚୋରୀର ୨୪ଘଣ୍ଟା ମଧ୍ୟରେ ୩ଚୋର ଗିରଫ, କୋର୍ଟ ଚାଲାଣ
ପଟ୍ଟାମୁଣ୍ଡାଇ୧୨/୮:ପଟ୍ଟାମୁଣ୍ଡାଇ ବଜାର ସମେତ ବେଲତଳ ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଚୋରୀ ଘଟଣା ପଟ୍ଟାମୁଣ୍ଡାଇ ପୋଲିସ ପ୍ରତି ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା I ଚୋର ଦଳକୁ ଗିରଫ କରି ସମସ୍ତ ଚୋରୀ ଘଟଣାର ପର୍ଦାଫାଶ କରିବା ପାଇଁ କେନ୍ଦ୍ରାପଡ଼ା ଏସ ପି ସିଦ୍ଧାର୍ଥ କଟାରିଆଙ୍କ ନିର୍ଦେଶରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇ ଆଇ ସି ବନ୍ଦନା ପାତ୍ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ I ସୁଯୋଗ ଅପେକ୍ଷାରେ ଥିବା ପୋଲିସକୁ ଗତକାଲି ପଟ୍ଟାମୁଣ୍ଡାଇ ବଜାର ହୋଲସେଲ ଫଳ ଦୋକାନ ଚୋରୀ ଘଟଣା ଓ ସେଠାରେ ଥିବା ସି ସି କ୍ୟାମେରା ପୋଲିସକୁ ଚୋର ଧରିବା ପାଇଁ ସାହାଯ୍ୟ କରିଥିଲା I ପ୍ରକାଶ ଯେ ଗତକାଲି ବିଳମ୍ବିତ ରାତିରେ ପଟ୍ଟାମୁଣ୍ଡାଇ ବଜାରସ୍ଥ ହୋଲସେଲ ଫଳ ଦୋକାନୀ କଷଣଅଣ୍ଟା ଗ୍ରାମର ଅଭିରାମ ସ୍ୱାଇଁଙ୍କ ଦୋକାନ ତାଲା ଭାଙ୍ଗି ଚୋରମାନେ ଦୋକାନ ମଧ୍ୟରେ ପ୍ରବେଶ କରି ନଗଦ ୭୦ହଜାର ଟଙ୍କା ଚୋରୀ କରି ନେଇଥିଲେ I

ଫଳ ଦୋକାନୀ ଅଭିରାମ ସ୍ୱାଇଁ ଏ ନେଇ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ I ପଟ୍ଟାମୁଣ୍ଡାଇ ବଜାର ସମେତ ପୌରାଞ୍ଚଳର ବିଭିନ୍ନ ସ୍ଥାନରେ ଚୋରୀ ଘଟଣା ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିବାରୁ ଆଦର୍ଶ ଥାନା ଆଇ ଆଇ ସି ବନ୍ଦନା ପାତ୍ର ଏହାକୁ ଗୁରୁତର ସହ ନେଇ ତ୍ୱରିତ ତଦନ୍ତ ଆରମ୍ଭ କରିଥିଲେ I ତେବେ ସେଠାରେ ଥିବା ସି ସି ଟି ଭି ଫୁଟେଜ ଯାଞ୍ଚ ପରେ ଗୋଟିଏ ଚୋରକୁ ପୋଲିସ ଚିହିଁ ପାରିଥିଲା I ଏହି ଘଟଣା ଜାଣି ପାରି ଆଜି ଚୋର ମାନେ ପଟ୍ଟାମୁଣ୍ଡାଇ ଛାଡି ଫେରାର ହେବାକୁ ଉଦ୍ୟମ କରୁଥିବାବେଳେ ଆଦର୍ଶ ଥାନା ଆଇ ଆଇ ସି ବନ୍ଦନା ପାତ୍ର ସଦଳବଳେ ପୋଲିସ ଟିମ ସହିତ କଷଣଅଣ୍ଟା ନିକଟରେ ୩ଜଣ ଚୋରକୁ ମାଡି ବସିଥିଲେ I ଉକ୍ତ ଚୋର ମାନଙ୍କୁ ଥାନାକୁ ଧରି ଆଣି ଜେରା କରିବା ପରେ ସେମାନେ ପଟ୍ଟାମୁଣ୍ଡାଇ ବଜାର ଫଳ ଦୋକାନ, ବେଲତଳ ଚୋରୀ ଘଟଣା ସମେତ ପୌରାଞ୍ଚକର ବିଭିନ୍ନ ଚୋରୀ ଘଟଣାରେ ସମ୍ପୃକ୍ତ ଥିବା ସ୍ୱୀକାର କରିଥିଲେ I ସ୍ଥାନୀୟ ପୋଲିସ ଥାନା ଜେଶ ନଂ ୩୩୨ରେ ଏକ
ଚୋରୀ ମୋକଦମା ରୁଜୁ କରି ପଟ୍ଟାମୁଣ୍ଡାଇ ପୌର ପରିଷଦ ୧୧ନଂ ୱାର୍ଡ ମୁସଲମାନବସ୍ତିର ସେକ ସମସେର ଓରଫ ଜୈନୁଲ ଖାଁ(୨୦),ସେକ ଗରିବୁଲ୍ଲା(୨୫),ସବୀରୁଦ୍ଦିନ ଖାଁ (୩୩)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି I ଉକ୍ତ ଚୋର ମାନଙ୍କ ଠାରୁ ନଗଦ ୩୫ହଜାର ଟଙ୍କା ଜବତ କରିଛି I ଏହି ଚୋରୀ ସମ୍ପୃକ୍ତ ଅନ୍ୟ ୨ଜଣ ଚୋର ଫେରାର ଥିବାରୁ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ସେମାନଙ୍କୁ ଗିରଫ କରିବା ପାଇଁ ଜାଲ ବିଚାଇଛି I ସେମାନେ ଖୁବ ଶୀଘ୍ର ଗିରଫ ହେବେ ବୋଲି ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇ ଆଇ ସି ବନ୍ଦନା ପାତ୍ର ପ୍ରକାଶ କରିଛନ୍ତି I