ଅବିବାହିତ ଦିବ୍ୟାଙ୍ଗ (ମୂକ) ଯୁବକଙ୍କୁ ବିବାହିତ ଦର୍ଶାଇ ପରିବାର ନିୟୋଜନ ଅସ୍ତ୍ରୋପଚାର

ମାଲକାନଗିରି: ମାଲକାନଗିରି ଜିଲ୍ଲା ଆମ୍ବଗୁଡା ଗାଁର ଦିବ୍ୟାଙ୍ଗ (ମୂକ) ଅବିବାହିତ ଯୁବକଙ୍କୁ ପରିବାର ନିୟୋଜନ ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ।ଜାତୀୟ ସ୍ବାସ୍ଥ୍ୟ ମିଶନ ଡିପିଏମ ଓ ଆଶା କୋର୍ଡିନେଟର ତଦନ୍ତ କରିବେ। ଏମାନେ ମାଥିଲି ବ୍ଲକ ଆମ୍ବଗୁଡା ଯାଇ ପୀଡ଼ିତଙ୍କୁ ଭେଟିବେ। ତଦନ୍ତ ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରଫୁଲ୍ଲ କୁମାର ନନ୍ଦ ସୂଚନା ଦେଇଛନ୍ତି। ମାଲକାନଗିରି ଜିଲ୍ଲା ଆମ୍ବଗୁଡା ଗାଁର ଚମ୍ପା ଦୁରୁଆଙ୍କ ସହ ସ୍ୱାସ୍ଥ୍ୟ ବିଭାଗ ଏମିତି ଖେଳ ଖେଳିଛି ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ସ୍ୱାମୀଙ୍କ ମୃତ୍ୟୁ ପରେ ଦିବ୍ୟାଙ୍ଗ ପୁଅ ଗଙ୍ଗା ଦୁରୁଆଙ୍କୁ ନେଇ ଚମ୍ପାଙ୍କ ଆଖିରେ ଥିଲା ଆଖିଏ ସ୍ୱପ୍ନ। ପୁଅ ବାହା କରାଇବ, ନାତି ନାତୁଣୀଙ୍କ ମେଳରେ ତାର ଶେଷ ଜୀବନ କଟିବ। ହେଲେ ସ୍ୱାସ୍ଥ୍ୟ ବିଭାଗ ନିରୀହ ସରଳ ଆଦିବାସୀ ମହିଳା ଚମ୍ପା ଦୁରୁଆଙ୍କ ସ୍ୱପ୍ନକୁ ଛଡ଼ାଇ ନେଲ । ବାପ ଛେଉଣ୍ଡ ପୁଅ ଗଙ୍ଗା ଦୁରୁଆଙ୍କ ସରଳତାର ସୁଯୋଗ ନେଇ କିଛି ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ପରିବାର ନିୟୋଜନ ଅସ୍ତ୍ରୋପଚାର କରିଥିବା ଅଭିଯୋଗ ହୋଇଛି। ସାଂଘାତିକ କଥା ହେଉଛି ଅବିବାହିତ ଗଙ୍ଗାକୁ କାଗଜପତ୍ରରେ ବିବାହିତ ଦର୍ଶାଇ ଅସ୍ତ୍ରୋପଚାର କରାଯାଇଛି। କେବଳ ପରିବାର ନିୟୋଜନ ଅସ୍ତ୍ରୋପଚାର ସଂଖ୍ୟା ବଢାଇବାକୁ ଯାଇ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଜଣେ ନିରୀହ ଆଦିବାସୀ ପରିବାରର ବଂଶ ବୁଡ଼ାଇ ଦେଇଛନ୍ତି। ଗତ ୩ ତାରିଖରେ ମାଥିଲି ସବଡିଭିଜନ ମେଡିକାଲ ପରିସରରେ ଘଟିଛି ଏହି ଅଭାବନୀୟ ଘଟଣା। ଅସ୍ତ୍ରୋପଚାର ପରେ କିଛି ଔଷଧ ଓ ୨ ହଜାର ଟଙ୍କା ଦେଇ ଗଙ୍ଗା ଦୁରୁଆଙ୍କୁ ଘରକୁ ପଠାଇ ଦେଇଥିଲେ କର୍ମଚାରୀ। ଘଟଣା ସାମ୍ନାକୁ ଆସିବା ପରେ ଅଞ୍ଚଳରେ ଏହାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି । ଆଦିବାସୀ ପରିବାରର ସରଳତାର ସୁଯୋଗ ନେଇ ଓ ବନ୍ଧ୍ୟାକରଣ ସଂଖ୍ୟା ବଢାଇବା ପାଇଁ ଏଭଳି ଅନ୍ୟାୟ କରିଥିବା କୁହାଯାଉଛି। ଏହାକୁ ତୀବ୍ର ବିରୋଧ କରି ସଂପୃକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା।

Comments are closed.