ପାରଳାଖେମୁଣ୍ଡି ପୋଲିସ ଦ୍ୱାରା ୧୧ କିଲୋଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ ।

ଗଜପତି,10.8(ମନୋଜ ପାଢ଼ୀ) :– ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହରରେ ପୋଲିସ ପକ୍ଷରୁ ଏସ୍‌.ଆଇ. ଶ୍ରୀ ପ୍ରଫୁଲ୍ଲ ଜଗରଙ୍ଗାଙ୍କ ନେତୃତ୍ୱରେ ନିୟମିତ ପେଟ୍ରୋଲିଂ ଚାଲିଥିବା ସମୟରେ ସକାଳ ପ୍ରାୟ ୬ ଘଣ୍ଟା ସମୟରେ ବାଟଗୌଡ଼ ସାହି ଛକ ନିକଟରେ ଜଣେ ବ୍ୟକ୍ତି ସନ୍ଦିଗ୍ଧ ଅବସ୍ଥାରେ ଗୋଟିଏ ବ୍ୟାଗ୍ ଧରି ଠିଆ ହୋଇଥିବା ଦେଖିଥିଲେ। ଯାଞ୍ଚ ପରେ ସେଥିରେ ନିଷିଦ୍ଧ ଗଞ୍ଜେଇ ଦେଖିବାକୁ ମିଳିଥିଲା। ଅଭିଯୁକ୍ତ ଜଣକ ସ୍ଥାନୀୟ ପାରଳାଖେମୁଣ୍ଡି ବାଟଗୌଡ଼ ସାହିର ୪୫ ବର୍ଷୀୟ ସଦାଶିବ ପାଣିଗ୍ରାହୀ ବୋଲି ଜଣାପଡ଼ିଛି। ଆଇନଗତ ପ୍ରକ୍ରିୟା ଅନୁସରଣ କରି ଜଣେ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ ଏବଂ ସ୍ୱାଧୀନ ସାକ୍ଷୀମାନଙ୍କ ଉପସ୍ଥିତିରେ ଉକ୍ତ ବ୍ୟାଗ୍‌କୁ ତଲାସି କରାଯାଇ ସେଥିରୁ ୧୧ କିଲୋଗ୍ରାମ ଗଞ୍ଜେଇ ଜବତ କରିଯାଇଥିଲା।ପୋଲିସ ଉକ୍ତ ଗଞ୍ଜେଇ ସହିତ ଗୋଟିଏ ମୋବାଇଲ୍ ଫୋନ୍ ମଧ୍ୟ ଅଭିଯୁକ୍ତଠାରୁ ଜବତ କରିଥିବା ଜଣାପଡିଛି ।ପ୍ରାଥମିକ ତଦନ୍ତରୁ ଉକ୍ତ ଗଞ୍ଜେଇ ସ୍ଥାନୀୟ ଅଞ୍ଚଳରୁ ସଂଗ୍ରହ କରାଯାଇ ବିକ୍ରି ଉଦ୍ଦେଶ୍ୟରେ ବ୍ରହ୍ମପୁର ଅଭିମୁଖେ ଚାଲାଣ କରାଯାଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଗଞ୍ଜେଇର ଉତ୍ସ, ଏବଂ ଚୋରାଚାଲାଣରେ ସମ୍ପୃକ୍ତ ଅନ୍ୟ ବ୍ୟକ୍ତିମାନଙ୍କୁ ଚିହ୍ନଟ ଓ ଗିରଫ କରିବା ପାଇଁ ଅଧିକ ତଦନ୍ତ ଜାରି ରହିଥିବା ପ୍ରେସ ବିବୃତି ମାଧ୍ୟମରେ ସୂଚନା ପ୍ରଦାନ କରାଯାଇଛି। ଅଭିଯୁକ୍ତ ସଦାଶିବ ପାଣିଗ୍ରାହୀଙ୍କୁ ଗିରଫ କରାଯାଇ ଆଜି ମାନ୍ୟବର ଅଦାଲତକୁ ଚାଲାଣ କରାଯାଇଛି। ଏ ସଂକ୍ରାନ୍ତରେ ଏନଡିପିଏସ୍ ନିୟମ ଅନ୍ତର୍ଗତ ଧାରା ୨୦ (ବି)ii/ବି/୨୯ (ii) ଅନୁଯାୟୀ ପାରଳାଖେମୁଣ୍ଡି ଥାନାରେ ମାମଲା ନମ୍ବର ୩୩୧/୨୦୨୬ ରେ ପଞ୍ଜୀକୃତ କରାଯାଇ ଅଧିକ ତଦନ୍ତ ଜାରି ରହିଥିବା ଜଣାପଡିଛି।

Comments are closed.