ଗୁମ୍ମା ରେଡାଲ ଗ୍ରାମରେ ୨ ମାସ ହେଲା ଠପ୍ ମୋବାଇଲ୍ ନେଟୱର୍କ, ଯୋଗାଯୋଗରୁ ବିଚ୍ଛିନ୍ନ ଗ୍ରାମବାସୀ।

0

ଗଜପତି,୧୦.୮(ମନୋଜ ପାଢ଼ୀ):– ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଉଖୁରା ପଞ୍ଚାୟତର ରେଡାଲ ଗ୍ରାମରେ ଦୀର୍ଘ ଦୁଇ ମାସ ହେଲା ମୋବାଇଲ୍ ନେଟୱର୍କ ସେବା ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇପଡ଼ିଛି। ଫଳରେ ଶହ ଶହ ଗ୍ରାମବାସୀ ଯୋଗାଯୋଗ ବ୍ୟବସ୍ଥାରୁ ବିଚ୍ଛିନ୍ନ ହୋଇ ନିତିଦିନ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ନେଟୱର୍କ ସେବା ବନ୍ଦ ଯୋଗୁଁ ଛାତ୍ରଛାତ୍ରୀଙ୍କ ଅନଲାଇନ୍ ପାଠପଢ଼ା, ଶିକ୍ଷାମୂଳକ ସାମଗ୍ରୀ ଡାଉନଲୋଡ୍, ପ୍ରବେଶିକା ପରୀକ୍ଷା ଓ ଛାତ୍ରବୃତ୍ତି ସମ୍ବନ୍ଧୀୟ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ସେହିପରି ଆଧାର ସଂଯୋଗ, ଅନଲାଇନ୍ ଆବେଦନ, ବ୍ୟାଙ୍କିଙ୍ଗ କାର୍ଯ୍ୟ, ଓଟିପି ଯାଞ୍ଚ ଓ ବିଭିନ୍ନ ସରକାରୀ ପୋର୍ଟାଲରେ କାମ କରିବା ମଧ୍ୟ କଷ୍ଟକର ହୋଇପଡ଼ିଛି। ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ଜରୁରୀ ସମୟରେ ଯୋଗାଯୋଗ। ଅସୁସ୍ଥ ରୋଗୀ, ପ୍ରସୂତି ମହିଳା କିମ୍ବା ଅନ୍ୟ କୌଣସି ଆପତ୍କାଳୀନ ପରିସ୍ଥିତିରେ ଆମ୍ବୁଲାନ୍ସ ଓ ଅନ୍ୟ ଜରୁରୀ ସେବା ପାଇଁ ଫୋନ୍ କରିବାରେ ଲୋକେ ଅସୁବିଧା ଭୋଗୁଛନ୍ତି। ନେଟୱର୍କ ଖୋଜିବା ପାଇଁ ଦୂର ସ୍ଥାନକୁ ଯିବାକୁ ପଡ଼ୁଥିବାରୁ ଅଘଟଣ ଆଶଙ୍କା ମଧ୍ୟ ପ୍ରକାଶ ପାଇଛି। ସମସ୍ୟାର ସମାଧାନ ଦାବିରେ ଗତ ୨୭ ତାରିଖରେ ଗ୍ରାମବାସୀ ଜିଲ୍ଲାପାଳଙ୍କ ଜନଅଭିଯୋଗ ଶୁଣାଣିରେ ଲିଖିତ ଅଭିଯୋଗ ଦେଇଥିଲେ। ଏହା ସତ୍ତ୍ୱେ ଏପର୍ଯ୍ୟନ୍ତ ନେଟୱର୍କ ସେବା ସ୍ୱାଭାବିକ ହୋଇନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି।ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ବାରମ୍ବାର ସମ୍ପୃକ୍ତ ବିଭାଗ ଓ ଟେଲିକମ୍ ସଂସ୍ଥାର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ହୋଇନାହିଁ। ଏହାର ପ୍ରଭାବରେ ଛାତ୍ରଛାତ୍ରୀଙ୍କ ସହ ଚାଷୀ, ବ୍ୟବସାୟୀ ଓ ସାଧାରଣ ଲୋକେ ମଧ୍ୟ ହଇରାଣ ହେଉଛନ୍ତି। ତୁରନ୍ତ ରେଡାଲ ଗ୍ରାମର ନେଟୱର୍କ ସମସ୍ୟାର ସମାଧାନ କରି ନିରବଚ୍ଛିନ୍ନ ମୋବାଇଲ୍ ସେବା ଯୋଗାଇବାକୁ ଗ୍ରାମବାସୀ ଜିଲ୍ଲା ପ୍ରଶାସନ ଓ ସମ୍ପୃକ୍ତ ଟେଲିକମ୍ ସଂସ୍ଥା ନିକଟରେ ଦାବି କରିଛନ୍ତି। ଦାବି ପୂରଣ ନହେଲେ ଆଗାମୀ ଦିନରେ ଗଣଆନ୍ଦୋଳନ କରିବାକୁ ଜଙ୍ଗଲିଆସ ଦୋରା, ଜବଦିଆସ ମଣ୍ଡଳ, ରାଜେନ୍ଦ୍ର ଗମାଙ୍ଗ ଏବଂ ଇଣ୍ଡିମ ମଣ୍ଡଳ ସହ ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.