ପୁରୀ : ଶ୍ରୀମନ୍ଦିରରେ ପାଳନ ହେବାକୁ ଥିବା ବିଭିନ୍ନ ପର୍ବପର୍ବାଣି ଓ ଯାନିଯାତ୍ରାର ସୂଚନା ବିଭିନ୍ନ ପଞ୍ଜିକାରେ କିଭଳି ତ୍ରୁଟିଶୂନ୍ୟ ଭାବେ ପ୍ରକାଶିତ ହେବ ସେଥିପାଇଁ ଏକ ସ୍ବତନ୍ତ୍ର ବୈଠକ ଗୁରୁବାର ଅପରାହ୍ଣରେ ଶ୍ରୀମନ୍ଦିର ସଦର କାର୍ଯ୍ୟାଳୟ ସଭାକକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୫ଟି ପାଞ୍ଜି ପ୍ରକାଶନ ସଂସ୍ଥାର ପ୍ରକାଶକ ଓ ପଞ୍ଜିକାର ଯୋଗ ଦେଇଥିଲେ। ୨୦୨୬-୨୭ବର୍ଷ ପାଇଁ ୫ଟି ପଞ୍ଜିକାକୁ ମୁକ୍ତିମଣ୍ଡପ ପଣ୍ଡିତ ସଭା ଅନୁମୋଦନ କରିଛି।
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨୦୨୬ରେ ପଞ୍ଜିକା ପ୍ରକାଶନ ପାଇଁ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଥିଲା। ବୈଠକରେ ଭାଗ ନେବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୮ଟି ପଞ୍ଜିକା ସଂସ୍ଥାକୁ ନିମନ୍ତ୍ରଣ କରାଯାଇଥିଲା। ହେଲେ ମାତ୍ର ୫ଟି ପଞ୍ଜିକା ପ୍ରକାଶନ ସଂସ୍ଥା ପକ୍ଷରୁ ପାଣ୍ଡୁଲିପି ଦାଖଲ କରାଯାଇଥିଲା। ଆଗାମୀ ଦିନରେ ଏହି ପଞ୍ଜିକା ସଂସ୍ଥା କିଭଳି ବୃଦ୍ଧି ପାଇବ ଓ ନିର୍ଭୁଲ ହେବ ତାହା ଉପରେ ଗୁରୁତ୍ୱ ଦିଆଯାଇଥିବା ଛତିଶା ନିଯୋଗ ମହାନାୟକ କହିଛନ୍ତି। ପ୍ରକାଶଯୋଗ୍ୟ, ଶ୍ରୀମନ୍ଦିରରେ ବିଭିନ୍ନ ପର୍ବପର୍ବାଣି ଓ ଯାନିଯାତ୍ରା ଦିବସକୁ ନେଇ ବିଭିନ୍ନ ପାଞ୍ଜି ଏବଂ କ୍ୟାଲେଣ୍ଡରରେ ଅନେକ ସମୟରେ ଭିନ୍ନ ଭିନ୍ନ ତଥ୍ୟ ରହୁଛି। ଫଳରେ ଭକ୍ତ ଓ ଶ୍ରଦ୍ଧାଳୁ ବିଭ୍ରାନ୍ତ ହେଉଛନ୍ତି। ଏହାକୁ ନେଇ ସେମାନଙ୍କ ମଧ୍ୟରେ ଅନେକ ସମୟରେ ଅସନ୍ତୋଷ ପ୍ରକାଶ ପାଉଛି। ହେଲେ ତ୍ରୁଟିପୂର୍ଣ୍ଣ ପାଞ୍ଜି ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀମନ୍ଦିର ପ୍ରଶାସନର କ୍ଷମତା ନାହିଁ କିମ୍ବା ଶ୍ରୀମନ୍ଦିର ଆଇନରେ ବ୍ୟବସ୍ଥା ନାହିଁ ବୋଲି ମୁକ୍ତି ମଣ୍ଡପ ପଣ୍ଡିତ ସଭା ସ୍ପଷ୍ଟ କରିଛନ୍ତି। ଚଳିତଥର କୋହେନୂର, ରାଧାରମଣ, ଭାଗ୍ୟଦୀପ, ଜିଏନ୍ ତ୍ରିପାଠୀ, ଅରୁଣୋଦୟ ପ୍ରକାଶନୀ ସଂସ୍ଥା ପକ୍ଷରୁ ଆଗାମୀ ଦିନରେ ବଜାରରେ ଉପଲବ୍ଧ ହେବାକୁ ଥିବା ପଞ୍ଜିକାରେ ଶ୍ରୀମନ୍ଦିରର ସମସ୍ତ ପର୍ବପର୍ବାଣି ଓ ଯାନିଯାତ୍ରା ସମ୍ପର୍କିତ ସୂଚନା ପ୍ରକାଶ କରାଯିବ।
ବୈଠକରେ ତ୍ରୁଟିଶୂନ୍ୟ ତିଥି, ବାର ରହିବାକୁ ଶ୍ରୀମନ୍ଦିର ପ୍ରଶାସନ ଗୁରୁତ୍ବ ଦେଇଛି। ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତ ସଭା, ଗଜପତି ମହାରାଜା ଓ ଶଙ୍କରାଚାର୍ଯ୍ୟଙ୍କ ଦ୍ବାରା ସ୍ବୀକୃତ ଏହି ୫ଟି ପାଞ୍ଜି ଏକ ପ୍ରକାର ପ୍ରସ୍ତୁତ ହୋଇଛି। ମୁକ୍ତିମଣ୍ଡପ ପଣ୍ଡିତ ସଭା ଦ୍ବାରା ସଂଶୋଧନ ପରେ ଏହି ୫ଟି ପାଞ୍ଜି ନିର୍ଭୁଲ ଓ ତ୍ରୁଟିଶୂନ୍ୟ ହୋଇପାରିଛି ବୋଲି ବୈଠକରେ ଆଲୋଚନା ହୋଇଛି। ରାଜ୍ୟରେ ପ୍ରକାଶ ପାଉଥିବା ସମସ୍ତ ପାଞ୍ଜି କିଭଳି ନିର୍ଭୁଲ ହେବ ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ପଦକ୍ଷେପ ନେଉଥିବା ସୂଚନା ଦିଆଯାଇଛି। ବୈଠକରେ ଶ୍ରୀମନ୍ଦିର ନୀତି ପ୍ରଶାସକ, ମୁକ୍ତିମଣ୍ଡପ ପଣ୍ଡିତ ସଭାର କର୍ମକର୍ତ୍ତା, ପୂଜାପଣ୍ଡା ନିଯୋଗ ସହ ବିଭିନ୍ନ ସେବାୟତ ନିଯୋଗର ପ୍ରତିନିଧି, ଶ୍ରୀମନ୍ଦିର ଜ୍ୟୋତିଷ, ବିଭିନ୍ନ ପାଞ୍ଜି ପ୍ରକାଶନୀ ସଂସ୍ଥାର ପ୍ରକାଶକ, ପଞ୍ଜିକାର ଓ ଗଣନାକାରୀ ଉପସ୍ଥିତ ରହି ସମସ୍ତ ତିଥି, ନକ୍ଷତ୍ର ଅନୁଶୀଳନ କରି ଚଳିତ ବର୍ଷର ବିଭିନ୍ନ ପର୍ବପର୍ବାଣି ସମ୍ବନ୍ଧରେ ଆଲୋଚନା କରିଥିଲେ।
Comments are closed.