ପହିଲି ଭୋଗ

ଅର୍ଜୁନୀ ଚରଣ ବେହେରା

ପହିଲି ଭୋଗ
==============
ଶ୍ରୀମନ୍ଦିରେ ବିଜେ ଜଗତ ଠାକୁର
ନୀଳଚକ୍ରେ ଉଡ଼େ ଧ୍ବଜା l
ସିଂହଦ୍ୱାରେ ଉଭା ପଟୁଆର ଗୋଟି
ବାଜଇ ତେଲିଙ୍ଗି ବାଜା ll
ବରୁଣ ପୁରରୁ ଚାରଣ ଆସିଛି
ଆହେ ନୀଳାଦ୍ରୀ ଚନ୍ଦ୍ରମା l
ପଉଷ ମାସରେ ବାପଘର ଯିବେ
ମହାଲକ୍ଷ୍ମୀ ସିନ୍ଧୁ ଜେମା ll
ଛପନ ନୈବେଦ୍ୟ ଷାଠିଏ ପଉଟି
ରାନ୍ଧି ଥାନ୍ତି ଠାକୁରାଣୀ l
ମଣୋହି କିପରି ହୋଇବ ମଣିମା
ଚିତ୍ତେ ଚିନ୍ତ ଚିନ୍ତାମଣି ll
ସଜ ହୋଇଲେଣି ମାଆ ସଙ୍ଗେ ଧରି
ଯେତେ ଦାସୀ ପରିବାରି l
ଦେଢ଼ଶୂର ଦେଲେ ସମ୍ମତି ତହିଁରେ
ଆଗ ପଛ ନ ବିଚାରି ll
ମହାପ୍ରଭୁ ତହୁଁ କହନ୍ତି ଵିହସି ଶୁଣ
ପଣ୍ଡା ପଢ଼ିଆରୀ l
ଗୋପପୁରୁ ତୁମ୍ଭେ ଯଶୋଦା ମାତାଙ୍କୁ
ଘେନିଆସ ବେଗ କରି ll
ମନେପଡ଼େ ମୋର ଦ୍ୱାପରର କଥା
ମମତା ଯଶୋଦା ମାତା l
କୋଳରେ ବସାଇ ଭୁଞ୍ଜାଇ ଦିଅନ୍ତି
କହି କେତେ ଉପକଥା ll
ସାଦରେ ଭୁଞ୍ଜାନ୍ତି ଗୋଟିକା, ଅଧାମ
ସର,ଦଧି ଓ ଲବଣୀ l
ଗେଲ କରୁ ଥାନ୍ତି ଗୁମୁରି ଗୁମୁରି
ଦୁଃଖୀଧନ ନୀଳମଣି ll
ଗୋପପୁରେ ଯାଇ ଖବର ରଟିଲା
ଉସତ ଯଶୋଦା ମାତା l
ନୀଳମଣି ମୋର ମଥୁରାକୁ ଗଲା
ମନେରଖିଛି ମୋ କଥା ll
କେତେ ଯୁଗ ଧରି ଚାହିଁ ରହିଛି ମୁଁ
ଆଖିରୁ ମଲାଣି ପାଣି l
ନୀଳାଚଳୁଁ ଆଜି ବାରତା ଆସିଛି
ଡାକିଛି ମୋ ନେତ୍ରମଣି ll
ଗୋପପୁରୁ ମାଆ ଯଶୋଦା ଆସିଲେ
ଆନନ୍ଦ ଭଦ୍ରା ଗୋବିନ୍ଦ l
ପହିଲି ଭୋଗରେ ପ୍ରଭାତ ମଣୋହି
ହସୁଥାନ୍ତି ବଳଭଦ୍ର ll
🙏🙏🙏
ଅର୍ଜୁନୀ
—————
ଅର୍ଜୁନୀ ଚରଣ ବେହେରା
ମୋ -7693091971

Comments are closed.