ଗୋଟିଏ ଦିନରେ ନାମାଙ୍କନ ଭରିଲେ ତିନି ପ୍ରମୁଖ ଦଳର ପ୍ରାର୍ଥୀ, ସମସ୍ତେ କହିଲେ- ଆମେ ଜିତିବୁ ପଦ୍ମପୁର ଲଢେଇ

ଭୁବନେଶ୍ଵର: ପଦ୍ମପୁର ଉପ ନିର୍ବାଚନ ପାଇଁ  ସରିଲା ପ୍ରାର୍ଥୀପତ୍ର ଦାଖଲପ୍ରକ୍ରିୟା । ପ୍ରଥମଥର ପାଇଁ ଗୋଟିଏ ଦିନରେ ନାମାଙ୍କନ ଭରିଲେ ତିନି ପ୍ରମୁଖ ଦଳ ସହିତ ଜଣେ ସ୍ଵାଧୀନ ପ୍ରାର୍ଥୀ । ବିଜେଡି ପ୍ରାର୍ଥୀ ବର୍ଷାରାଣୀ ସିଂ ବରିହା, ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ, କଂଗ୍ରେସ ପ୍ରାର୍ଥୀ ସତ୍ୟ ଭୂଷଣ ସାହୁ ନାମାଙ୍କନ ଦାଖଲ କରିଥିବା ବେଳେ ସ୍ବାଧୀନ ପ୍ରାର୍ଥୀ ଭାବେ ଜୟନ୍ତ ଥାପ୍ପା ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଆଉ ଏବେ ନଜର ନିର୍ବାଚନ ପ୍ରଚାର ଉପରେ ।  ଆଜି ଦିନ ତମାମ ପଦ୍ମପୁରରେ ପ୍ରାର୍ଥୀଙ୍କ ନୋମିନେସନକୁ ନେଇ  ରାଜନୈତିକ ବାତାବରଣ ସରଗରମ ଥିଲା ।

ପଦ୍ମପୁର ଉପନିର୍ବାଚନ ପାଇଁ ଗତ ୧୦ ତାରିଖରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିଲେ  ହେଁ ସବୁ ଦଳର ପ୍ରାର୍ଥୀଙ୍କ ପାଇଁ ଅଡ଼ୁଆ ହୋଇଥିଲା ଚାଷୀ ଓ ପଦ୍ମପୁର ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ଆନ୍ଦୋଳନ। ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ନିକଟରେ ପ୍ରାର୍ଥୀ ପତ୍ର ଦାଖଲ କରିବାକୁ ଯାଇଥିଲେ  ହେଁ ଚାଷୀଙ୍କ ଦାବିକୁ ସମର୍ଥନ କରି ନାମାଙ୍କନପତ୍ର ଭରିନଥିଲେ।  ଛକାପଞ୍ଝା ଭିତରେ ଶେଷ ଦିନକୁ ଅପେକ୍ଷା କରିଥିଲେ ସବୁ ଦଳର ପ୍ରାର୍ଥୀ । ଶେଷରେ ଆଜି ସେମାନେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ।

ତିନି ପ୍ରମୁଖ ଦଳର ଶହ ଶହ ଆଖି ଏବେ ଗୋଟିଏ ଆସନ ଉପରେ କେନ୍ଦ୍ରୀତ ହୋଇଛି ଆଉ ସେଇଟା ହେଉଛି ପଦ୍ମପୁର ଆସନ। ଦୋଷ ଲଦା ଲଦି ଭିତରେ ସମୟ କାଢ଼ି ଆଜି ଉପଜିଲ୍ଲାପାଳ କାର୍ଯ୍ୟାଳୟ ନିକଟରେ ଜମିଥିଲା ତିନି ଦଳର ସମର୍ଥକଙ୍କ ଭିଡ । ପ୍ରଥମେ ବିଜେଡି ପ୍ରାର୍ଥୀ ବର୍ଷାରାଣୀ ସିଂ ବରିହା ପ୍ରାର୍ଥୀ ପତ୍ର ଦାଖଳ କରିଥିବା ବେଳେ ଦ୍ଵିତୀୟରେ ନାମାଙ୍କନ ଭରିଥିଲେ ସ୍ଵାଧୀଣ ପ୍ରାର୍ଥୀ ଜୟନ୍ତ ଥାପ୍ପା। ଏହା ପରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ କଂଗ୍ରେସ ପ୍ରାର୍ଥୀ ସତ୍ୟ ଭୂଷଣ ସାହୁ ।ସବା ଶେଷରେ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ। ତିନିଦଳ ପ୍ରମୁଖ ନେତାମାନେ  ନିଜ ଦଳର ବରିଷ୍ଠ ନେତା ଏବଂ ସମର୍ଥକଙ୍କ ପଟୁଆର ସହିତ ନାମାଙ୍କନ ଭରିଛନ୍ତି । ପ୍ରାର୍ଥୀ ପତ୍ର ଦାଖଲ ପରେ ନିଜ ନିଜର ବିଜୟକୁ ନେଇ ସବୁ ଦଳର ପ୍ରାର୍ଥୀ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ।

ଉପ ନିର୍ବାଚନରେ ପଦ୍ମପୁରର ବିକାଶ ସଂପର୍କିତ ଅନେକ ପ୍ରସଙ୍ଗ ମୁଣ୍ଡ ଟେକିଛି, ଯାହାକୁ ନେଇ ବିଜେଡି ଏବଂ ବିଜେପି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ଚାଷୀ ମାନଙ୍କୁ ଇନପୁଟ ସହାୟତା ଯୋଗାଇବା, ପଦ୍ମପୁର ଚାଷୀ ମାନଙ୍କୁ ୨୦୨୧ ଫସଲବୀମା ପ୍ରାପ୍ୟ ପ୍ରଦାନ କରିବା, ପଦ୍ମପୁର ଉପଖଣ୍ଡକୁ ଜିଲ୍ଲାର ମାନ୍ୟତା ଦେବା ମୁଖ୍ୟ ପ୍ରସଙ୍ଗ ପାଲଟିଛି।

ଚାଷୀ ବୀମା ରାଶିକୁ ନେଇ କେନ୍ଦ୍ର ଆଉ ରାଜ୍ୟ ପରସ୍ପରକୁ ଦୋଷ ଦେଇ ଚାଲିଛନ୍ତି । ସେଥିପାଇଁ ତୁହାକୁ ତୁହା ପ୍ରେସ କନଫରେନ୍ସ କରି ତାତ୍ସଲ୍ୟ କରିବାକୁ ପଛାଉ ନାହାନ୍ତି । କିନ୍ତୁ ଚାଷୀମାନଙ୍କ ସମ୍ୟା ଦୂର ହେବ କି ନାହିଁ ତାହା ଉପରେ କାହାର ନଜର ନାହିଁ । ଆସନ୍ତା ୫ ତାରିଖରେ ଭୋଟ ହେବାକୁ ଥିବା ବେଳେ ଏବେ ଠାରୁ ସବୁ ଦଳ ପଦ୍ମପୁରରେ ଡେରା ପକାଇଲେଣି । ଧାମନଗର ବିଜୟୀ ହେବା ପରେ ବିଜେପି ଆତ୍ମବିଶ୍ୱାସ ବଢ଼ିବାରେ ଲାଗିଛି ।

ସେପଟେ ଶାସକ ଦଳ ଧାମନଗର ଭୁଲକୁ ଆଉ ଥରେ ନ ଦୋହରାଇବାକୁ ପଣ କରିଛି । ସେଥିପାଇଁ ଦଳ ସ୍ଥାନୀୟ ତଥା ପୁରୁଖା ମନ୍ତ୍ରୀ ମାନଙ୍କ ହାତରେ ପଦ୍ମପୁରକୁ ଟେକି ଦେଇଛି । ଆଉ ସୁପ୍ରିମୋଙ୍କୁ ମନକୁ ଉଣା ନକରିବା ପାଇଁ ମନ୍ତ୍ରୀ ମାନେ ତାଙ୍କର ଆପ୍ରାଣ ଉଦ୍ୟମ ମଧ୍ୟ ଚଳାଇଛନ୍ତି । ଦେଖିବା ବାକି ରହିଲା ମଣ୍ଡି ସମସ୍ୟା ଠାରୁ ଆରମ୍ଭ କରି ଏମଏସପି , ବୀମା ରାଶି ଆଦିକୁ ନେଇ ବହୁ ସମସ୍ୟା ଘେରରେ ରହିଥିବା ପଦ୍ମପୁରବାସୀଙ୍କୁ ତିନି ରାଜନୈତିକ ବିଜେଡି, ବିଜେପି ଏବଂ କଂଗ୍ରେସ କେମିତି ମନାଉଛନ୍ତି। ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ପ୍ରମୁଖ ଦଳ କେଉଁ କେଉଁ ରଣନୀତି ଆଉ କେଉଁ ପ୍ରତିଶୃତିରେ ଦେଉଛନ୍ତି ତାରି ଉପରେ ସଭିଙ୍କ ନଜର। ଆଉ ପଦ୍ମପୁରବାସୀ ନିଜର ଉନ୍ନତି ପାଇଁ କେଉଁ ଦଳ ଉପରେ ଆସ୍ଥା ପ୍ରକଟ କରିବେ,କାହାକୁ ବିଜେତା କରିବେ ତାହା ଦେଖିବା ବାକି ରହିଲା।

 

 

Comments are closed.