ପଢୁଆଁ ହେବେ ମହାପ୍ରଭୁ

ଅର୍ଜୁନୀ ଚରଣ ବେହେରା

ଉତ୍କଳୀୟ ପର୍ବ ଆଜି ପଢୁଆଁ ଅଷ୍ଟମୀ l
ପଢୁଆଁହୋଇବେ ପ୍ରଭୁ ଜଗତର ସ୍ୱାମୀ ll
ନିଆଳୀର ଦାଣ୍ଡେ ଆଜି ପଡ଼ିଅଛି ହୁରି l
ନିଆଳିମାଧବ ମାମୁଁ ଯିବେ ଆଜ ପୁରୀ ll
ଓଡ଼ିଆର ବଡ଼ ଭାଇ ନୀଳାଚଳ ଚାନ୍ଦ l
ପଢୁଆଁ କରିବେ ମାମୁଁ ଶ୍ରୀମାଧବାନନ୍ଦ ll
ସଜ ହୋଇଲାଣି ଭାର ପ୍ରସ୍ତୁତ ଭାରୁଆ l
ଖୋଳକର୍ତ୍ତାଳର ସାଥେ ସବୁ କୀର୍ତ୍ତନିଆ ll
ଭଣଜାଙ୍କ ପାଇଁ ସଜ ଶାନ୍ତିପୁରୀ ଯୋଡ଼ l
ଫଳ,ସଞ୍ଚା,ମିଠାଇର ଚାଲିଛି ଯୋଗାଡ଼ ll
ପାଚିଲା କଦଳୀ, ବିରି, ଚାଉଳ ଅରୁଆ l
ଗୀତଗୋବିନ୍ଦ ଅଙ୍କିତ କେନ୍ଦୁଲି ଖଣ୍ଡୁଆ ll
ନୟାଗଡ ଗୁଡ଼,ସାକ୍ଷୀଗୋପାଳ ନଡ଼ିଆ l
ନବ ଦ୍ୱୀପରୁ ଆସିଛି ସୁ ମିଷ୍ଟ ବିଡ଼ିଆ ll
ସାଲେପୁର ମିଠା,ଘିଅ,ଛେନା,ବସାଦହି l
ଭଣଜା ଭାଣିଜି ସୁଖେ କରିବେ ମଣୋହି ll
ମଣ୍ଡା, ଆରିସା, ଏଣ୍ଡୁରି, ଚକୁଳି, ଗଇଁଠା l
ସରପୁଳି, ଛୁଞ୍ଚିପତ୍ର କେତେ ଜାତି ପିଠା ll
ଭାଣିଜୀ ସୁଭଦ୍ରା ପାଇଁ କଳାମେଘି ପାଟ l
ଭାରଧରି ମହୋଲ୍ଲାସେ ବାହାରିଲା ଥାଟ ll
ପ୍ରଥମାଅଷ୍ଟମୀ ଭାର ଶ୍ରୀକ୍ଷେତ୍ରେ ହାଜର l
କି ଆନନ୍ଦ ଦ୍ୱାପରେ ମଉଳା ଗଞ୍ଜାଙ୍କର ll
ସେବକ ଉତ୍ତାରିନେଲେ ଭାର ସାମଗିରି l
ରତ୍ନ ବେଦିରେ ହସନ୍ତି ପ୍ରଭୁ କିରି କିରି ll
ନମଃନମଃ ବଡ଼ଦିଅଁ ବିଜେ ନୀଳାଚଳେ l
କେତେ ପରଵ ଖଞ୍ଜିଛ ବିରାଜି ଉତ୍କଳେ ll
ମାଆ ଲକ୍ଷ୍ମୀଙ୍କର କିଛି ନାହିଁ ଗର ଗର l
ହରି ଛଡ଼ାଇବେ ତୁମ ଭାଇ ଭଗ୍ନୀଙ୍କର ll
🙏🙏🙏
ଅର୍ଜୁନୀ
———–
ଅର୍ଜୁନୀ ଚରଣ ବେହେରା
ମୋ – 7693091971

Comments are closed.