ସରକାରୀ କର୍ମଚାରୀ ମାନ୍ୟତା ଦାବିରେ ପାଚିକା ସଂଘ ପକ୍ଷରୁ ସ୍ମାରକପତ୍ର ପ୍ରଦାନ : ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଦାବି

ଭୋଗରାଇ : ୧୭/୯: ଭୋଗରାଇ ବ୍ଲକର ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ ପାଚିକା ସହାୟିକାମାଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଭୋଗରାଇ ବିଡିଓଙ୍କ ଜରିଆରେ ପ୍ରଦାନ କରିଛନ୍ତି ଓଡ଼ିଶା ମିଳିତ ବିଦ୍ୟାଳୟ ପାଚିକା ସହାୟିକା ସଂଘ।  ସ୍ୱଳ୍ପ ଦରମାରେ ବିନା ଛୁଟିରେ ସରକାରୀ ସ୍କୁଲ ମାନଙ୍କରେ ନିଷ୍ଠାର ସହିତ ଓ ନିରବଛିନ୍ନ ଭାବରେ ମଧ୍ୟାହ୍ନ ଭୋଜନ ରୋଷେଇ କାମକରି ଆସୁଥିବା ପାଚିକା ଓ ସହାୟିକା ମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ଦାବିରେ ଏହି ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏହାସହ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବା,ମଧ୍ୟାହ୍ନ ଭୋଜନ ପ୍ରକ୍ରିୟାର ପରିଚାଳନା ଦାୟିତ୍ୱ ଘରୋଇ ସଂସ୍ଥା ହାତରେ ନଦେବାକୁ ଦାବି କରିଛନ୍ତି।

ଲକ୍ଷାଧିକ ଅସହାୟ ମହିଳାମାନଙ୍କର ଜୀବିକା ଛଡାଇ ନେବାର ଅପଚେଷ୍ଟାରୁ କ୍ଷାନ୍ତ ହେବା,୨୦୧୮ ମସିହାରୁ ମାସିକ ୨୦୦୦ ଟଙ୍କା ପ୍ରଦାନ ପାଇଁ ଦେଇଥିବା ପ୍ରତିଶ୍ରୁତି ପାଳନ କରିବା, ନିଯୁକ୍ତି ପାଇବା  ଦିନରୁ ରହିଆସିଥିବା ବକେୟା ଦରମା ପ୍ରଦାନ କରିବା,ନିୟମିତ ଦରମା ପ୍ରଦାନ କରିବା,ସ୍କୁଲ ବନ୍ଦ ଓ ମିଶ୍ରଣ ନୀତି ଲାଗୁ କରିବା ଫଳରେ କର୍ମଚ୍ୟୁତ ହୋଇଥିବା ପାଚିକା ସହାୟକାମାନଙ୍କୁ ପୁନଃ ନିଯୁକ୍ତି ଦେବା ପଇଁ ମଧ୍ୟ ଦାବି କରାଯାଇଛି।

ଦାବିରେ ଆହୁରି କୁହାଯାଇଛି ଯେ ସରକାରଙ୍କ ଦ୍ଵାରା ଘୋଷଣା କରାଯାଇଥିବା ସର୍ବନିମ୍ନ ମଜୁରୀ ହିସାବରେ ଦରମା ପ୍ରଦାନ କରିବା,ମଧ୍ୟାହ୍ନ ଭୋଜନ କାମ ବ୍ୟତୀତ ଅନ୍ୟାନ୍ୟ କାମରେ ପାଚିକାମାନଙ୍କୁ ନିୟୋଜିତ ନ କରିବା,ବର୍ଷକୁ ଦୁଇ ହଳ ଶାଢ଼ୀ ପ୍ରଦାନ କରିବା,ପାଚିକା  ସହାୟିକାମାନଙ୍କୁ ଛଟେଇ ବନ୍ଦ କରିବା,୬୦ ବର୍ଷ ପରେ ପେନସନ ବ୍ୟବସ୍ଥା କରିବା,ଦୂର୍ଘଟଣା ଜନିତ ଚିକିତ୍ସା ସହାୟତା, ବୀମା,ଛୁଟି ନେବାର ବ୍ୟବସ୍ଥା କରିବା,ଶ୍ରମିକ ବିରୋଧୀ କଳା ଶ୍ରମ କୋର୍ଡ ବାତିଲ କରିବା ଆଦି ଦାବି ସମ୍ବଳିତ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି।

ଏହି ସବୁ ସମସ୍ୟାଗୁଡିକୁ ସମାଧାନ କରିବା ପାଇଁ ସରକାର ଅବିଳମ୍ବେ ବିଧିବଦ୍ଧ ପଦକ୍ଷେପ ଗ୍ରହଣ ନ କଲେ ପାଚିକା ଓ ସହାୟିକା ମାନେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦିଆଯାଇଛି।ଶ୍ରମିକ ନେତା ନିରାକାର ପାଣ୍ଡଵ ଓ ହରେକୃଷ୍ଣ ଦାସଙ୍କ ନେତୃତ୍ୱରେ ପାଚିକା ସଂଘର ଆବାହକ ସସ୍ମିତା ମହାନ୍ତି,ହରପ୍ରିୟା ସାହୁ,କବିତା ସେନାପତି,ପାର୍ବତୀ ପାତ୍ର,ସୁମତି ପ୍ରଧାନ,ଆରତୀ ଦାସ,ସବିତା ପାତ୍ର ପ୍ରମୁଖଙ୍କୁ ନେଇ ଏକ ପ୍ରତିନିଧି ଦଳ ବିଡିଓ ଶଙ୍କର ପଟ୍ଟନାୟକଙ୍କୁ ସାକ୍ଷାତ କରି ଏହି ସ୍ମାରକପତ୍ର ପ୍ରଦାନ କରିଥିଲେ।

Comments are closed.