ଆସନ୍ତା ୨୮ରେ OTET ସହ OSSSC ପରୀକ୍ଷା, ଚିନ୍ତାରେ ପରୀକ୍ଷାର୍ଥୀ

OTET ଓ OSSSC ପରୀକ୍ଷା ଏକାଦିନରେ ହେବାକୁ ଥିବାରୁ ହଜାର ହଜାର ପରୀକ୍ଷାର୍ଥୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଉଭୟ ପରୀକ୍ଷା ପାଇଁ ଆବେଦନ କରିଥିବା ଅନେକ ଆଶାୟୀ ପରୀକ୍ଷା ସୂଚୀ ପରିବର୍ତ୍ତନ କରିବାକୁ ଦାବି କରୁଛନ୍ତି।

ଭୁବନେଶ୍ୱର : ଆସନ୍ତା ଜୁନ୍ ୨୮, ରବିବାର। ଦିନ ଗୋଟିଏ, ପରୀକ୍ଷା ଦୁଇଟି। ଆଉ ଉଭୟ ପରୀକ୍ଷା ପାଇଁ ଅଧିକାଂଶ ହେଉଛନ୍ତି ସମାନ ଆବେଦନକାରୀ। ଯେଉଁଥିପାଇଁ ଆଶାୟୀଙ୍କ ଟେନ୍ସନ୍ ବଢିଯାଇଛି। ଚଳିତ ମାସ ୨୮ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି, OSSSC ବା ଓଡ଼ିଶା ସବ୍ ଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ କମିଶନ୍ ପରୀକ୍ଷା। ଯେଉଁଥିରେ RI, ICDS ସୁପରଭାଇଜର୍, ଅମିନ୍ ଓ ସର୍ଭେୟର୍ ପଦବି ପାଇଁ ନିଯୁକ୍ତି ପରୀକ୍ଷା ଅନୁଷ୍ଠିତ ହେବ। ଆଉ ସେହିଦିନ ହିଁ ଅନୁଷ୍ଠିତ ହେବାକୁ ଯାଉଛି OTET ପରୀକ୍ଷା। ପୂର୍ବରୁ ଜୁନ ୨୦ରେ OSSSC ପରୀକ୍ଷା ଅନୁଷ୍ଠିତ ହେବାକୁ ସମୟ ଧାର୍ଯ୍ୟ କରାଯାଇଥିଲା। ମାତ୍ର ଜୁନ୍ ୨୧ରେ ନିଟ୍ ପରୀକ୍ଷା ଥିବାରୁ ପ୍ରଶାସନିକ କାରଣ ଦର୍ଶାଇ ଏହାକୁ ସ୍ଥଗିତ କରାଯାଇଥିଲା। ପରେ ୨୮ରେ OSSSC ପରୀକ୍ଷା ଆୟୋଜନ କରିବାକୁ ଘୋଷଣା କରାଯାଇଛି।

ଆଶାୟୀଙ୍କ  କହିବା ହେଲା, ଓଟିଇଟି ଏବଂ OSSSC ପରୀକ୍ଷା ଦୁଇଟି ଭିନ୍ନ କ୍ଷେତ୍ର ସହ ଜଡ଼ିତ ହୋଇଥିଲେ ମଧ୍ୟ ଅଧିକାଂଶ ଆଶାୟୀ ଉଭୟ ପରୀକ୍ଷା ପାଇଁ ଆବେଦନ କରିଥିଲେ। ଏବେ ଗୋଟିଏ ଦିନରେ ଦୁଇଟି ଯାକ ପରୀକ୍ଷା ଥିବାରୁ ସେମାନଙ୍କୁ ଅନିଚ୍ଛାକୃତ ଭାବେ ଗୋଟିଏ ପରୀକ୍ଷା ଛାଡ଼ିବାକୁ ପଡ଼ିବ। OTET ପେପର୍-୧ ପରୀକ୍ଷା ସକାଳ ୯ଟାରୁ ପୂର୍ବାହ୍ନ ୧୧ଟା ୩୦ ଓ ପେପର୍-୨ ପରୀକ୍ଷା ଅପରାହ୍ଣ ୨ଟାରୁ ୪ଟା ୩୦ ମଧ୍ୟରେ ଅନୁଷ୍ଠିତ ହେବ। ଏନେଇ ମେ’ ୨୨ରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତେବେ OSSSC ପକ୍ଷରୁ ଜୁନ୍ ୧୮ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପରୀକ୍ଷା ସମୟ ପ୍ରକାଶ ପାଇନାହିଁ। ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ଦୃଷ୍ଟିରୁ ପରୀକ୍ଷା ସୂଚୀ ପରିବର୍ତ୍ତନ କରିବାକୁ ଆଶାୟୀମାନେ ଦାବି କରିଛନ୍ତି।

ନିଟ୍ ଗଡ଼ବଡ଼ି ସୁଧାରିବା ପାଇଁ ପୁରା ପ୍ରଶାସନ ଲାଗିପଡ଼ିଥିଲା। କିନ୍ତୁ ନିଟ୍ ଗଣ୍ଠି ଫିଟାଉ ଫିଟାଉ ରାଜ୍ୟ ସରକାର ପୁଣି ଛନ୍ଦି ହୋଇଛନ୍ତି ପରୀକ୍ଷା ଅଡୁଆରେ। ଗୋଟିଏ ପରେ ଗୋଟିଏ ପରୀକ୍ଷା ଓ ଶିକ୍ଷା ସଂପର୍କିତ ବିଭ୍ରାଟ ଘଟୁଥିବାରୁ ରାଜନୀତି ତେଜିଛି। ସରକାରକୁ ଟାର୍ଗେଟ କରିଛନ୍ତି ବିରୋଧୀ। ଅନ୍ୟପଟେ ରାଜସ୍ବ ମନ୍ତ୍ରୀ କହିଛନ୍ତି ପିଲାଙ୍କ ସ୍ବାର୍ଥ ଦୃଷ୍ଟିରୁ ପରୀକ୍ଷା ତାରିଖ ଘୁଞ୍ଚାଇବା ପାଇଁ OSSSC ସହ ଆଲୋଚନା କରିବେ। ଏବେ ଦେଖିବାର କଥା ଆଶାୟୀଙ୍କ ଦାବିକୁ କେତେଦୂର ବିଚାରକୁ ନେଇ ସରକାର ପଦକ୍ଷେପ ନେଉଛନ୍ତି।

Comments are closed.