ଓଡ଼ିଶାର ବିକାଶ ପାଇଁ ବାଧକ ହେବନି ଅର୍ଥ – ପ୍ରଧାନମନ୍ତ୍ରୀ

ଡେସ୍କ: ଦିନିକିଆ ଓଡିଶା ଗସ୍ତରେ ଆସି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଓଡ଼ିଶାର ବିକାଶରେ କେବେବି ଅର୍ଥ ବାଧକ ହେବ ନାହିଁ। ପ୍ରଧାନମନ୍ତ୍ରୀ ଆଜି ସମ୍ବଲପୁରରେ ୬୮ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପର ଉଦଘାଟନ କରିଛନ୍ତି। ଶ୍ରୀ ମୋଦୀ ଅନେକ ଶକ୍ତି, ସଡକ ଏବଂ ରେଳ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ୪୦୧ କୋଟି ଟଙ୍କା ମୂଲ୍ୟର ସମ୍ବଲପୁରର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ-ଆଇଆଇଏମର ସ୍ଥାୟୀ କ୍ୟାମ୍ପସ ରହିଛି। ଶ୍ରୀ ମୋଦୀ ପୁରୀ-ସୋନପୁର-ପୁରୀ ସାପ୍ତାହିକ ଏକ୍ସପ୍ରେସ ଟ୍ରେନର ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହା ଉପକୂଳ ଏବଂ ପଶ୍ଚିମ ଓଡିଶା ଅଞ୍ଚଳ ମଧ୍ୟରେ ସଂଯୋଗକୁ ଉନ୍ନତ କରିବ। ଏହା ବ୍ୟତୀତ ସେ ଝାରସୁଗୁଡା ମୁଖ୍ୟ ପୋଷ୍ଟ ଅଫିସ୍ ହେରିଟେଜ୍ ବିଲ୍ଡିଂକୁ ଦେଶ ପାଇଁ ଉତ୍ସର୍ଗ କରିଥିଲେ।

ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଜଗଦୀଶପୁର-ହଳଦିଆ ଏବଂ ବୋକାରୋ-ଧାମରା ପାଇପଲାଇନ ପ୍ରକଳ୍ପର ଧାମରା-ଅନୁଗୁଳ ପାଇପଲାଇନ ଖଣ୍ଡର ଉଦଘାଟନ କରିଛନ୍ତି। ସେ ୨୭ ହଜାର କୋଟିରୁ ଅଧିକ ମୂଲ୍ୟର ନେଭେଲି ଲିଗ୍ନାଇଟ୍ କର୍ପୋରେସନର ତଲାବିରା ଥର୍ମାଲ୍ ପାୱାର୍ ପ୍ରୋଜେକ୍ଟର ଶିଳାନ୍ୟାସ କରିଛନ୍ତି। ପ୍ରାୟ ୨ ହଜାର ୧୧୦ କୋଟି ଟଙ୍କା ବ୍ୟୟରେ ବିକଶିତ ତିନୋଟି ଜାତୀୟ ରାଜପଥ ସଡକ ପ୍ରକଳ୍ପର ପ୍ରଧାନମନ୍ତ୍ରୀ ମଧ୍ୟ ଉଦଘାଟନ କରିଛନ୍ତି। ଏହା ବ୍ୟତୀତ ସେ ୨ ହଜାର ୧୪୬ କୋଟି ଟଙ୍କା ମୂଲ୍ୟର ରେଳ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ସମ୍ବଲପୁର ରେଳ ଷ୍ଟେସନର ପୁନଃନିର୍ମାଣ ପାଇଁ ଶ୍ରୀ ମୋଦୀ ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ଅବସରରେ ଓଡିଶା ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବ ଉପସ୍ଥିତ ଥିଲେ।

Comments are closed.