ଭୁବନେଶ୍ୱର: ଭାରତର ପୂର୍ବତନ ଉପରାଷ୍ଟ୍ରପତି ଏମ. ଭେଙ୍କେୟା ନାଇଡୁ ବୁଧବାର ଦିନ ଲୋକଭବନ ଭୁବନେଶ୍ୱର ପରିସରରେ ନୂତନ ଭାବେ ବିକଶିତ ପରିବେଶ ଉଦ୍ୟାନ ‘ଅଟଳ ବନ’ର ଉଦଘାଟନ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱ ଏବଂ ରାଷ୍ଟ୍ର ନିର୍ମାଣରେ ତାଙ୍କର ମହନୀୟ ଅବଦାନକୁ ସମ୍ମାନ ଜଣାଇ ଏହି ପାର୍କକୁ ତାଙ୍କ ନାମରେ ନାମିତ କରାଯାଇଛି। ଓଡିଶାର ରାଜ୍ୟପାଳ ଡ ହରି ବାବୁ କମ୍ଭମପାଟି, ରାଜ୍ୟର ପ୍ରଥମ ମହିଳା ଡ଼. ଜୟଶ୍ରୀ କମ୍ଭମପାଟି, ଓଡିଶା ବିଧାନସଭାର ବାଚସ୍ପତି ସୁରମା ପାଢୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବ ସେବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସମେତ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉଦଘାଟନୀ ସମାରୋହରେ ଯୋଗ ଦେଇଥିଲେ।
ସ୍ଥାୟୀତ୍ୱ ଉପରେ ଗୁରୁତ୍ୱ ଦେଇ ବିକଶିତ ଏହି ଅଟଳ ବନର ବିକାଶ ପ୍ରକ୍ରିୟା ସମୟରେ ଖନନ କରାଯାଇଥିବା ପଥର ବ୍ୟବହାର କରି ସୁନ୍ଦର ଭାବରେ ପ୍ରଦର୍ଶିତ କରାଯାଇଛି। ଏହି ଅଟଳ ବନରେ ସବୁଜିମା, ଜଳାଶୟ ଏବଂ ଝରଣା ସଂରଚନା କରାଯାଇଛି। ଏହି ପାର୍କର ଏକ ପ୍ରମୁଖ ଆକର୍ଷଣ ହେଉଛି ଏକ T-୫୫ ଯୁଦ୍ଧ ଟ୍ୟାଙ୍କ ଯାହା ଏକଦା ଭାରତୀୟ ସେନାକୁ ଶକ୍ତିଶାଳୀ କରିଥିଲା ଏବଂ ୧୯୭୧ ଯୁଦ୍ଧ ତଥା ବିଭିନ୍ନ ଅପରେସନ ସମୟରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲା। ଅନ୍ୟ ଏକ ପ୍ରମୁଖ ଆକର୍ଷଣ ହେଉଛି ରାଫେଲ ବହୁମୁଖୀ ଲଢ଼ୁଆ ଯୁଦ୍ଧ ବିମାନର ଏକ ପ୍ରୋଟୋଟାଇପ୍, ଯାହା ବର୍ତ୍ତମାନ ଭାରତୀୟ ବାୟୁସେନା ଏବଂ ଭାରତୀୟ ନୌସେନା ଦ୍ୱାରା ବ୍ୟବହୃତ ହେଉଛି। ଭାରତ ସରକାରଙ୍କ ‘ୱେଷ୍ଟ ଟୁ ୱେଲଥ’ ମିଶନ ଅଧୀନରେ ଅଟୋମୋବାଇଲ୍ ସ୍କ୍ରାପ୍ ଏବଂ ଜିଆଇ ସିଟ୍ ରୁ ନିର୍ମିତ ଏହି ମଡେଲ୍ ୧୫ ଫୁଟ ଲମ୍ବା, ୪ ଫୁଟ ୬ ଇଞ୍ଚ ଉଚ୍ଚତା ଏବଂ ୯ ଫୁଟ ୧୧ ଇଞ୍ଚ ଡେଣା ବିଶିଷ୍ଟ। ଲୋକଭବନର ଅନୁରୋଧ କ୍ରମେ ଭୁବନେଶ୍ୱରର ସରକାରୀ ପଲିଟେକ୍ନିକ୍ ଟିମ ଦ୍ୱାରା ଏହି ପ୍ରୋଟୋଟାଇପ୍ ଡିଜାଇନ୍ ଏବଂ ନିର୍ମାଣ କରାଯାଇଥିଲା।
Comments are closed.