ଭୁବନେଶ୍ୱର, ଅକ୍ଟୋବର ୩୦ (କୃଷ୍ଣ କୁମାର ମହାନ୍ତି): ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି)ର ସ୍ୱତନ୍ତ୍ର ପ୍ରତିବେଦକ ଶ୍ରୀ ଏସ୍.କେ. ଶତପଥୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଅକ୍ଟୋବର ୩୦ ତାରିଖରେ ଉତ୍କଳ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରି ମାନସିକ ସ୍ୱାସ୍ଥ୍ୟ, ଆତ୍ମହତ୍ୟା ନିରୋଧ ଏବଂ ସ୍ୱାସ୍ଥ୍ୟସେବା ସମ୍ପର୍କିତ ଅନୁଷ୍ଠାନିକ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।
ବିଶ୍ୱବିଦ୍ୟାଳୟର କୁଳସଚିବ ଡ. ସ୍ୱାତୀ ମିଶ୍ର ଏବଂ ପିଜି କାଉନସିଲ୍ ଅଧ୍ୟକ୍ଷ ପ୍ରଫେସର ଜଗନେଶ୍ୱର ଦଣ୍ଡପାଟ ଉକ୍ତ ପ୍ରତିନିଧି ଦଳକୁ ସ୍ୱାଗତ କରିଥିଲେ। ଏହି ଅବସରରେ ଛାତ୍ର କଲ୍ୟାଣ ନିର୍ଦ୍ଦେଶକ, ପିଜି ହଷ୍ଟେଲ ୱାର୍ଡେନ, ଉପକୁଳସଚିବ (ସାଧାରଣ), ମେଡିକାଲ ଅଫିସର, ମନୋବିଜ୍ଞାନ ବିଭାଗ ମୁଖ୍ୟ ପ୍ରଫେସର ଭାସ୍ୱତୀ ପଟ୍ଟନାୟକ ଏବଂ ବିଶ୍ୱବିଦ୍ୟାଳୟର ମାନସିକ ସ୍ୱାସ୍ଥ୍ୟ ପରାମର୍ଶଦାତା ଉପସ୍ଥିତ ଥିଲେ।

ଏହି ପରିଦର୍ଶନ ସମୟରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଛାତ୍ରଛାତ୍ରୀଙ୍କ ମାନସିକ ସୁସ୍ଥତା, ମାନସିକ ସ୍ୱାସ୍ଥ୍ୟ ସଚେତନତା ଏବଂ ସେମାନଙ୍କ ପାଇଁ ଉପଲବ୍ଧ ବିଭିନ୍ନ ସହାୟତା ବ୍ୟବସ୍ଥା ସମ୍ପର୍କରେ ଅବଗତ କରାଯାଇଥିଲା।
ଏକ ସୁରକ୍ଷିତ, ସହଯୋଗପୂର୍ଣ୍ଣ ଓ ଛାତ୍ରଛାତ୍ରୀ ଅନୁକୂଳ କ୍ୟାମ୍ପସ ପରିବେଶ ସୃଷ୍ଟି କରିବା ସହ ମାନସିକ ସ୍ୱାସ୍ଥ୍ୟ ସେବା, ଆତ୍ମହତ୍ୟା ନିରୋଧ ଏବଂ ଛାତ୍ର କଲ୍ୟାଣ ପ୍ରତି ବିଶ୍ୱବିଦ୍ୟାଳୟର ପ୍ରତିବଦ୍ଧତାକୁ ଏହି ପରିଦର୍ଶନରେ ଗୁରୁତ୍ୱ ଦିଆଯାଇଥିଲା।