ଓଡ଼ିଶାରେ ରେଳ ସଂଯୋଗକୁ ବୃଦ୍ଧି କରିବା ପାଇଁ ନୂତନ ଅମୃତ ଭାରତ ଟ୍ରେନ୍

0

ଭୁବନେଶ୍ୱର : ୧୨।୩ –  ଓଡିଶାରେ ରେଳ ସଂଯୋଗୀକରଣକୁ ଅଧିକରୁ ଅଧିକ ଗୁରୁତ୍ୱ ଦେଇ କେନ୍ଦ୍ର ସରକାର ଓଡିଶା ସହିତ ଆସାମ ଓ ତେଲଙ୍ଗାନାକୁ ସଂଯୋଗ କରିବା ପାଇଁ ଏକ ନୂଆ ଅମୃତ ଭାରତ ଟ୍ରେନ ସେବା ଆରମ୍ଭ କରିବାକୁ ଅନୁମୋଦନ ଦେଇଛନ୍ତି। ଏହା ସହିତ ଦୁଇଟି ସ୍ବତନ୍ତ୍ର ରେଳସେବାକୁ ନିୟମିତ କରିବା ପରିଣତ କରିବା ପାଇଁ ମଧ୍ୟ ଅନୁମୋଦନ ଦିଆଯାଇଛି।

ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ସମ୍ପର୍କରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସହ ଆଲୋଚନା କରି ଓଡିଶାର ଜନସାଧାରଣଙ୍କ ପାଇଁ ଅଧିକ ରେଳସେବା ଯୋଗାଇଦେବା ପାଇଁ ଅନୁରୋଧ କରିଥିଲେ। ରେଳମନ୍ତ୍ରୀ ବୈଷ୍ଣବ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ମାଧ୍ୟମରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଏକ ନୂତନ ଅମୃତ ଭାରତ ଟ୍ରେନ ଆସାମର କାମାକ୍ଷା ଏବଂ ତେଲଙ୍ଗାନାର ଚାରଲାପାଲି (ସିକନ୍ଦରାବାଦ) ମଧ୍ୟରେ ଚାଲିବ। ଏହା ଓଡିଶାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର ରୋଡ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ, ବାଲୁଗାଁ ଏବଂ ବ୍ରହ୍ମପୁର ଦେଇ ଯିବ।

ଉଲ୍ଲେଖନୀୟ ଯେ,ଭୁବନେଶ୍ୱର-ଧାନବାଦ(18403/18404) ସ୍ପେଶାଲ ଟ୍ରେନ ଧାନବାଦ ପହଞ୍ଚିବା ପୂର୍ବରୁ କଟକ, ଢେଙ୍କାନାଳ, ତାଳଚେର ରୋଡ, ଅନୁଗୋଳ, ରେଢାଖୋଲ, ସମ୍ବଲପୁର ସହର, ଝାରସୁଗୁଡା ଏବଂ ରାଉରକେଲା ଷ୍ଟେଶନ ଦେଇ ଯିବ। ଏହିଟ୍ରେନକୁ ଏବେ ନିୟମିତ କରାଯାଇଛି।

ସେହିପରି ପୁରୀ-ପାଟନା ସ୍ପେଶାଲ ଟ୍ରେନ(08439/08440)ପାଟନା ପହଞ୍ଚିବା ପୂର୍ବରୁ ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, କଟକ, ଯାଜପୁର କେନ୍ଦୁଝର ରୋଡ, ଭଦ୍ରକ ଏବଂ ବାଲେଶ୍ବର ଷ୍ଟେଶନ ଦେଇ ଯିବ। ଏହାକୁ ମଧ୍ୟ ନିୟମିତ କରାଯାଇଛି।
ରାଜ୍ୟରେ ରେଳ ସଂଯୋଗକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବା ପାଇଁ ଏହି ଟ୍ରେନ ସେବା ଅନୁମୋଦନ କରିବା ପାଇଁ ଓଡିଶା ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Leave A Reply

Your email address will not be published.