ନନ୍ଦ ଯେ କଲେ ଏକାଦଶୀ

ଅର୍ଜୁନୀ ଚରଣ ବେହେରା

ମହାମୁନୀ ଶୁକ ମରଣୋନ୍ମୁଖି ରାଜା ପରୀକ୍ଷିତଙ୍କୁ ଇନ୍ଦ୍ରଙ୍କ ଗର୍ବଗଞ୍ଜନ ଓ ସ୍ୱର୍ଗଗାଭୀ ସୁରଭିଙ୍କ ଦ୍ୱାରା ଶ୍ରୀକୃଷ୍ଣଙ୍କୁ ଗୋବିନ୍ଦ ନାମ ପ୍ରଦାନ ଆଖ୍ୟାନ ପରେ ଶୁଣାଇବା ପାଇଁ ଚାହିଁଲେ,ବରୁଣ ପୁରରୁ ଅପହୃତ ନନ୍ଦ ରାଜାଙ୍କ ଉଦ୍ଧାର ପ୍ରସଙ୍ଗ l ଆରମ୍ଭ କରିବାକୁ ଯାଇ ସେ କହିଲେ,’ଶୁଣ ପରୀକ୍ଷ ରାଜଋଷି,ନନ୍ଦ ଯେ କଲା ଏକାଦଶୀ ‘l
ଶୁକମୁନି କହିଲେ ହେ ରାଜା ଏକଦା କାର୍ତ୍ତିକ ଶୁକ୍ଳ
ଏକାଦଶୀ ଦିନ ନନ୍ଦରାୟ ଏକାଦଶୀବ୍ରତ କଲେ l ଶ୍ରୀବିଷ୍ଣୁଙ୍କ ପୂଜନ କରି ରାତ୍ରୀ ଉଜାଗର ରହି ସେ ଭୋରରୁ ଯମୁନାକୁ ସ୍ନାନ ପାଇଁ ଗଲେ l ସେଇଟା ଥିଲା ଅସୁର ମାନଙ୍କ ବେଳା l ଜଳ ରାଜା,ବରୁଣ ନନ୍ଦରାଜା ସ୍ନାନକୁ ଆସିଛନ୍ତି ଜାଣି,ତାଙ୍କର ଜଣେ ରାକ୍ଷସ ଦୂତଙ୍କୁ ପଠାଇ ତାଙ୍କୁ ନିଜ ପୁରକୁ ଘେନି ଆସିଲେ l ବରୁଣଙ୍କ ଉଦ୍ଦେଶ୍ୟ ଥିଲା ନନ୍ଦ ରାଜା ଏଠାରେ ରହିଲେ,କୃଷ୍ଣ ତାଙ୍କୁ ଖୋଜିବାକୁ ନିଶ୍ଚୟ ଆସିବେ ଏବଂ ମୁଁ ତାଙ୍କର ଦର୍ଶନ ପାଇବି l ନନ୍ଦ ବିଷ୍ଣୁଙ୍କୁ ଧ୍ୟାନ କରି ଜଳରେ ପଶିଲା ବେଳକୁ ଜଳ ରାଜାଙ୍କ ଦୂତ ଆସି ତାଙ୍କୁ ଧରି ନେଲେ l ବରୁଣ ନନ୍ଦଙ୍କୁ ନେଇ ଯଥୋଚିତ ସମ୍ମାନ ଜଣାଇ, ଦିବ୍ୟ ଆସନରେ ବସାଇ କହିଲେ :-
ବୋଇଲେ ନିସ୍ତରିଲି ଆଜ l
ଏବେ ଦେଖିବି ଦେବରାଜ ll
ନନ୍ଦ ଏପରି ହଜି ଯିବାରୁ ଗୋପରେ ଚହଳ ପଡ଼ି ଗଲା l ନନ୍ଦରାଣୀ ଆକୁଳ ହୋଇ କ୍ରନ୍ଦନ କଲେ l
ଏ ପଟେ ଗୋପାଳମାନେ ନନ୍ଦଙ୍କୁ ନ ଦେଖି ଯାଇ ଯମୁନା ତଟରେ ପହଞ୍ଚି ଦେଖିଲେ, ନନ୍ଦ ରାଜାଙ୍କ ଢାଳ, କଠଉ,ପାଲଟା ବସ୍ତ୍ର ସବୁ ଥୁଆ ହୋଇଛି l କିଛି ଅଘଟଣ ଆଶଙ୍କାକରି ସମସ୍ତେ ଆସି କୃଷ୍ଣଙ୍କୁ କହିଲେ l କୃଷ୍ଣ ମୃଦୁ ମୃଦୁ ହସି ଭାଇ ବଳରାମଙ୍କୁ ଚାହିଁ କହିଲେ ଆମ୍ଭ ପିତାଙ୍କୁ ବରୁଣ ଧରିନେଇଛି, ଆପଣ ଥାଆନ୍ତୁ ମୁଁ ଯାଉଛି ବରୁଣ ପୁରକୁ l ଏହା କହି ଶ୍ରୀକୃଷ୍ଣ ଯମୁନା ଜଳରେ ପଶି ନିଜର ସ୍ୱରୂପ ଧାରଣ କଲେ ଓ ଯାଇ ବରୁଣ ପୁରୀରେ ହାଜର ହେଲେ l
ଜଳପତି ବରୁଣ କୃଷ୍ଣଙ୍କ ଦର୍ଶନରେ ଅତି ଆନନ୍ଦ ହୋଇ ତାଙ୍କ ପାଦ ପୂଜା କଲେ l ପ୍ରଭୁଙ୍କୁ ପାଦ୍ୟ ଅର୍ଘ୍ୟ ଓ ନାନା ଉପହାରମାନ ଦେଇ ତାଙ୍କୁ ଦିବ୍ୟ ଆସନରେ ବସାଇଲେ l ବରୁଣ ରାଜା କହିଲେ, ଆଜି ମୋର ଅହୋଭାଗ୍ୟ, ମୁଁ ଆପଣଙ୍କ ଦର୍ଶନ ଲାଭ କଲି l ମୋର ଜୀବନ ଧନ୍ୟ ହୋଇଗଲା l ମୋର ସୂତ, କୁଟୁମ୍ବ,ପୁର, ଦ୍ୱାର ସବୁକିଛି ପବିତ୍ର ହୋଇଗଲା l ବ୍ରହ୍ମା, ଶଙ୍କର ନିତ୍ୟ ଯେଉଁ ପଦକୁ ଧ୍ୟାନ କରିଥାନ୍ତି ସେ ପାଦ ମୋ’ ପୁରରେ ପଡ଼ିଛି l ଏହାପରେ ଜଳରାଜା ଯୋଡ଼ହସ୍ତ ହୋଇ ପ୍ରଭୁଙ୍କୁ କହିଲେ, ହେ ପ୍ରଭୁ ! ମୁଁ ମନରେ ଅହଂକାର ବହି, ଆପଣଙ୍କୁ ଦେଖିବା ଆଶାରେ ଆପଣଙ୍କ ପିତାଙ୍କୁ ଧରି ଆଣିଛି l ହେ କ୍ଷମା ସାଗର, ହେ ମୁରାରୀ, ହେ ଶରଣପଞ୍ଜର ମୋ’ ଅପରାଧ କ୍ଷମା କରନ୍ତୁ l ଏହା କହି ସେ ନିଜ ପୁରରେ ଲୁଚାଇ ରଖିଥିବା ନନ୍ଦ ରାଜାଙ୍କୁ ଆଣି,କୃଷ୍ଣଙ୍କ ନିକଟରେ ସମର୍ପଣ କରି କହିଲେ,”ହେ ପ୍ରଭୁ ! ତୁମ୍ଭର ତାତଙ୍କୁ ନିଅ l ମୋର ଅପରାଧ କ୍ଷମା କର”l ପିତା ନନ୍ଦରାଜଙ୍କୁ ଶ୍ରୀକୃଷ୍ଣ ସାଥିରେ ଆଣି ଗୋପପୁରରେ ପହଞ୍ଚିଲା କ୍ଷଣୀ ଅତି କୌତୁହଳୀ ହୋଇ ଗୋପାଳ ମାନେ ତାଙ୍କୁ ବେଢ଼ିଗଲେ l
ଗୋପାଳ ମାନେ ନନ୍ଦ ରାଜାଙ୍କୁ କହିଲେ, ତୁମର ଭାଗ୍ୟ ଟାଣ,ତୁମେ ବରୁଣପୁରରୁ ଉଦ୍ଧାର ହୋଇ ଆସିଲ l ମାତ୍ର ନନ୍ଦ ଗୋପାଳ ମାନଙ୍କୁ କହିଲେ, ଏହା ମୋର ପରମ ସୌଭାଗ୍ୟ,ମୁଁ ଦିବ୍ୟ ବରୁଣ ଭୁବନକୁ ସ୍ଵ ଚକ୍ଷୁରେ ଦେଖି ଆସିଲି l ଅଭିମାନ ଭରା କଣ୍ଠରେ ଗୋପାଳମାନେ କହିଲେ,ଶ୍ରୀକୃଷ୍ଣ ଯାହାର ପୁତ୍ର,ତାଙ୍କୁ ସିନା ଏ ସୌଭାଗ୍ୟ ମିଳିବ l ଆମ୍ଭ ଭାଗ୍ୟରେ ତାହା ଜୁଟିବ କାହୁଁ l ଆମ୍ଭ ଗତି, ମୁକ୍ତି ସବୁ ସେହି କାହ୍ନା,ଏ ଗୋକୁଳ ମଧ୍ୟ ତାହାରି ଶରଣରେ l ଗୋପାଳ ମାନଙ୍କ କଥା ଶୁଣି, କୃଷ୍ଣ ମୃଦୁ ମୃଦୁ ହସୁଥାନ୍ତି l ମନେ ମନେ ବିଚାରୁଥାନ୍ତି, କେଡ଼େ ସରଳ ଏ ଗୋପାଳ ମାନେ l ମୁଁ ଏହାଙ୍କୁ ନିଶ୍ଚୟ ବରୁଣ ପୁର ଦେଖାଇବି l ଏହା ଭାବି ସେ ପୁଣି ଗୋପାଳ ମାନଙ୍କୁ ନେଇ, ଯମୁନା ଜଳରେ ବରୁଣ ପୁରକୁ ଦେଖାଇଲେ l ଭାବଗ୍ରାହୀ, ତାହା ସହ ଗୋପାଳମାନଙ୍କୁ ମାୟା କରି ନିଜ ବୈକୁଣ୍ଠ ଭୁବନ ମଧ୍ୟ ଦେଖାଇଲେ l ଗୋପାଳମାନେ ଅତି ଆନନ୍ଦ ହେଲେ l ମାୟାଧର ମାୟା ତେଜିବାରୁ, ଗୋପାଳ ଗଣ ନିଜ ଚେତନାକୁ ଫେରି ଆସିଲେ ଏବଂ କୃଷ୍ଣଙ୍କୁ ଆଲିଙ୍ଗନ କରି ଘରକୁ ଫେରିଲେ l ଗୋପାଳ ମାନେ ଯାଇ ହରିମହିମା କଥା ଘରେ ଗୋପୀ ମାନଙ୍କ ପାଖରେ ବଖାଣି ବସିଲେ l
ଯମୁନା ଜଳରେ ଏପରି ମାୟା ଦ୍ୱାରା ଥରେ ଭକ୍ତ ଅକ୍ରୁର ବୈକୁଣ୍ଠ ଭୁବନ ଦେଖିଥିଲେ l ଶ୍ରୀ ହରିଙ୍କ ଅନୁଗ୍ରହରୁ କେବଳ ଗୋପାଳ ମାନେ ସ୍ଵଦେହରେ ଦେବ ଦୁର୍ଲଭ ବୈକୁଣ୍ଠପୁର ଦେଖିଲେ l ସେମାନେ ସେଠାରେ ଦେଖିଲେ ସର୍ବବେଦ ମୂର୍ତ୍ତିମାନ ହୋଇ ଭଗବାନ ଶ୍ରୀକୃଷ୍ଣଙ୍କ ସ୍ତୁତି କରୁଛନ୍ତି l ବ୍ୟାସକୃତ ଶ୍ରୀମଦ୍ଭାଗବତମ୍ ଅନୁସାରେ :-
ନନ୍ଦାଦୟସ୍ତୁ ତଂ ଦୃଷ୍ଟ୍ୱା ପରମାନନ୍ଦନିର୍ବୁତାଃ l
କୃଷ୍ଣମ୍ ଚ ତତ୍ରଚ୍ଛନ୍ଦୋଭି ସ୍ତୁୟମାନଂ ସୁବିସ୍ମିତା ll
!!! ଓଁ କୃଷ୍ଣମ୍ ବନ୍ଦେ ଜଗଦ୍ଗୁରୁ !!!
🙏🙏🙏
ଅର୍ଜୁନୀ
————-
ଅର୍ଜୁନୀ ଚରଣ ବେହେରା
ମୋ -7693091971

Comments are closed.