ନାବାଳିକାଙ୍କୁ ବ୍ଲାକ୍‌ମେଲ୍‌, ରୋଷେୟା ଗିରଫ

ସାମାଜିକ ଗଣମାଧ୍ୟମରେ ଫଟୋ ଭାଇରାଲ୍‌ କରୁଥିଲା

ଭୁବନେଶ୍ବର : ଦୁଇ ନାବାଳିକା ଭଉଣୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ୍ କରିବା ଓ ବ୍ଲାକମେଲ୍‌ କରିବା ଅଭିଯୋଗରେ ଭୁବନେଶ୍ବର ସାଇବର ଥାନା ପୁଲିସ ଇସ୍କନର ପୂର୍ବତନ ରୋଷେୟାକୁ ଗିରଫ କରିଛି। ସେ ହେଲା, ଢେଙ୍କାନାଳ ଝାଡ଼ବନ୍ଧର ପରୀକ୍ଷିତ ନାୟକ ଓରଫ କାଳିଆ(୩୫)। ଗତ ଜୁଲାଇ ୨୪ ତାରିଖରେ ନାବାଳିକା ସାଇବର ଥାନାରେ ଅଭିଯୋଗ କରିଥିଲେ।

ତାଙ୍କ ଅଭିଯୋଗ ଅନୁଯାୟୀ, ସେ ଓ ତାଙ୍କ ଭଉଣୀ ଯୁକ୍ତ ୨ ପ୍ରଥମ ବର୍ଷରେ ପଢ଼ୁଥିବା ବେଳେ ପରୀକ୍ଷିତ ତାଙ୍କ ହଷ୍ଟେଲ୍‌ରେ ରୋଷେୟା ଭାବେ କାମ କରୁଥିଲା। ସେ ନିଜକୁ ଇସ୍କନ୍‌ର ଜଣେ ସଦସ୍ୟ ବୋଲି ପରିଚୟ ଦେଇ ସେଠାରେ ରହିଥିଲା। କିଛି ଦିନ ରହିବା ପରେ ପରୀକ୍ଷିତ ସେଠାରେ ରହୁଥିବା ଛାତ୍ରୀମାନଙ୍କ ସହ କଥାବାର୍ତ୍ତା ହୋଇ ସଂପର୍କ ବଢ଼ାଇବାକୁ ଚେଷ୍ଟା କରିଥିଲେ। କଥାଛଳରେ ସେ ସେମାନଙ୍କର ଫୋନ୍ ନମ୍ବର ଓ ଫଟୋ ସଂଗ୍ରହ କରିଥିଲା। ଏହାର କିଛି ମାସ ପରେ ପରୀକ୍ଷିତ ସେମାନଙ୍କୁ ପ୍ରେମ ନିବେଦନ କରିଥିଲା। ବିଶେଷକରି ଏହି ନାବାଳିକା ଦୁଇ ଭଉଣୀଙ୍କୁ ବେଶି ହଇରାଣ କରିବାରୁ ସେମାନେ ହଷ୍ଟେଲ୍ ଛାଡ଼ି ଦେଇଥିଲେ। ଏହି ରାଗରେ ପରୀକ୍ଷିତ ସେମାନଙ୍କ ଫଟୋକୁ କିଛି ଅଶ୍ଳୀଳ ଫଟୋ ସହ ଯୋଡ଼ି ସାମାଜିକ ଗଣମାଧ୍ୟମରେ ଭାଇରାଲ କରିଥିଲା। ଉକ୍ତ ଫଟୋକୁ ନାବାଳିକାଦ୍ବୟଙ୍କ ଘରଲୋକଙ୍କୁ ମଧ୍ୟ ପଠାଇଥିଲା।

ଏ ସଂପର୍କରେ ସାଇବର ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପୁଲିସ ଖୋଜୁଥିବା ଜାଣି ପାରି ପରୀକ୍ଷିତ ଫେରାର୍ ହୋଇଯାଇଥିଲା। ତେବେ ଗତକାଲି ସାଇବର ଥାନା ପୁଲିସ ତାକୁ ଅନୁଗୁଳରୁ ଗିରଫ କରିଛି। ତା’ ନିକଟରୁ ମୋବାଇଲ୍ ଜବତ କରିବା ପରେ ତାକୁ କୋର୍ଟ ଚାଲାଣ କରାଯାଇଛି। ତା’ ଜାମିନ୍ ନାମଂଜୁର ହେବାରୁ ଝାରପଡ଼ା ଜେଲ୍ ପଠାଇ ଦିଆଯାଇଛି। ଅପରପକ୍ଷେ ଏହି ଘଟଣା‌ରେ ଇସ୍କନ୍‌ ପକ୍ଷରୁ କୁହାଯାଇଛି ଯେ ୯ ବର୍ଷ ହେଲା ପରୀକ୍ଷିତଙ୍କର ଇସ୍କନ୍‌ ସହ କୌଣସି ସଂପର୍କ ନାହିଁ।

Comments are closed.