ନବନିର୍ମାଣ କୃଷକ ସଙ୍ଗଠନର ସିଂହାସନ ଖାଲିକର ସମାବେଶ

କେନ୍ଦୁଝର: ନବନିର୍ମାଣ କୃଷକ ସଙ୍ଗଠନ କେନ୍ଦୁଝର ଜିଲା ସଭାପତି ଲକ୍ଷ୍ମୀଧର ପ୍ରଧାନଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର କାଳୀପଡ଼ିଆରେ ସିଂହାସନ ଖାଲିକର ସମାବେଶ ଅନୁଷ୍ଠିତ ହୋଇଯାଇଛି। ମୋଚିଗାଁସ୍ଥିତ ଫ୍ଲାଇଓଭର ନିକଟରୁ ସଙ୍ଗଠନର ଶତାଧିକ ସଦସ୍ୟ ସଦସ୍ୟା ହାତରେ ପ୍ଲାକାର୍ଡ ଧରି ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ କାଳୀ ପଡ଼ିଆରେ ଏକତ୍ରିତ ହୋଇଥିଲେ। ସଙ୍ଗଠନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅକ୍ଷୟ କୁମାର ଏଥିରେ ଯୋଗଦେଇ ଖଣିରେ ଭରପୁର କେନ୍ଦୁଝର ଜିଲାର ବିକାଶ ପରିବର୍ତ୍ତେ ଚାଷୀଓ ଆଦିବାସୀଙ୍କୁ ବିଭିନ୍ନ ସମୟରେ ଶୋଷଣ କରାଯାଇ ଆସୁଛି ବୋଲି କହିଥିଲେ। ନବନିର୍ମାଣ କୃଷକ ସଙ୍ଗଠନ ଗତ ୧୪ବର୍ଷ ଧରି ଚାଷୀଙ୍କୁ ମାସିକ ୫୦ଜାର ଟଙ୍କା ପେନସନ, ଧାନର ସହାୟକ ମୂଲ୍ୟ କ୍ୟୁଣ୍ଟାଲ ପ୍ରତି ୫ହଜାର ଟଙ୍କା, ଚାଷୀଙ୍କୁ ସମ୍ମାନ, ଚାଷୀ ଓ ବାର୍ଦ୍ଧକ୍ୟ ଭତ୍ତା ମାସିକ ୩ହଜାର ଟଙ୍କା ପ୍ରଦାନ ନିମନ୍ତେ ତା’ର ଲଢ଼େଇ ଜାରି ରଖିଛି ବୋଲି କହିଥିଲେ। ଗତ ୨୫ବର୍ଷ ଧରି ରାଜ୍ୟ ସରକାର ଚାଷୀଙ୍କୁ ଭୁବନେଶ୍ୱର ପୁରାଇ ଦେଉନଥିବା ବେଳେ ୨୦୨୨ ନଭେମ୍ବର ପରଠାରୁ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଆମର ଦରକାର ଚାଷୀ ସରକାରର ନାରା ଦେଇଆସୁଛନ୍ତି ବୋଲି ରାଷ୍ଟ୍ରୀୟ ଅଧ୍ୟକ୍ଷ ସ୍ପଷ୍ଟ କରିଥିଲେ। ଚାଷୀଙ୍କୁ ମୂଲ୍ୟ, ସମ୍ମାନ ଓ ପେନସନ ପାଇବାକୁ ହେଲେ ଚଳିତଥର ରାଜ୍ୟରେ କିଭଳି ଚାଷୀ ସରକାର ଗଠନ ହେବ ସେ ନେଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ଆଗାମୀ ନିର୍ବାଚନରେ ରାଜ୍ୟର ସମସ୍ତ ୧୪୭ ବିଧାନସଭା ଆସନରେ ସଙ୍ଗଠନ ପକ୍ଷରୁ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ବିତା କରିବେ ବୋଲି କହିଥିଲେ। ଚାଷୀର ଭାତ, ଭୋଟ ଓ ନୋଟ ନେଇ ଦୀର୍ଘ ୭୭ବର୍ଷ ହେଲା ଚାଷୀଙ୍କ କେବଳ ଭୁଆଁ ବୁଲାଇ ଆସିବାରେ ସକ୍ଷମ ହୋଇଥିବା ବେଳେ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ରାଜ୍ୟରେ ଚାଷୀ ସରକାର ଗଠନ ହେବବୋଲି ଅକ୍ଷୟ କୁମାର ଦୃଢ଼ୋକ୍ତି ପ୍ରକାଶ କରିଥିଲେ।

ସଙ୍ଗଠନର ରାଜ୍ୟ ସହସଂଯୋଜକ ଉମାକାନ୍ତ ଭାରତ ଯୋଗଦେଇ ଖଣିଜସମ୍ପଦରେ ଭରପୁର କେନ୍ଦୁଝରର ଆଦିମ ଅଧିବାସୀ ଆଜି ବି ଟୋପାଏ ବିଶୁଦ୍ଧ ପାନୀୟଜଳ ପାଇଁ ସଂଘର୍ଷରତ ଥିବାବେଳେ ଚାଷୀଙ୍କ ଜମିକୁ ଜଳସେଚନ ବ୍ୟବସ୍ଥା ନାହିଁ, ଶୀତଳଭଣ୍ଡାର ନାହିଁ, ଧାନମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ସହ କଟନୀଛଟନୀ ଚାଲିଛି, ଶିକ୍ଷିତ ବେକାରୀଙ୍କୁ ନିଯୁକ୍ତି ନାହିଁ ଏବଂ ଏହାସତ୍ତ୍ବେ ନବୀନ ପଟ୍ଟନାୟକ ଦେଶର ଏକନମ୍ବର ମୁଖ୍ୟମନ୍ତ୍ରୀ ବୋଲି ଡିଣ୍ଡିମ ପିଟି ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇବା ଆଉ ଚଳିବ ନାହିଁ ବୋଲି କହିଥିଲେ। ସମୟ ଆସିଛି ପରିବର୍ତ୍ତନ ପାଇଁ ଲଢ଼େଇ ହେବ ଏବଂ ଚାଷୀ, ମହିଳା ଓ ଯୁବକ କାନ୍ଧରେ କାନ୍ଧ ମିଳାଇ ନିର୍ବାଚନରେ ଲଢ଼େଇ କରି ବିଜୟୀ ହେବାସହ ଚଳିତଥର ରାଜ୍ୟରେ ଚାଷୀ ସରକାର ଗଠନ କରିବାକୁ ଉପସ୍ଥିତ ଚାଷୀ ଭାଇଭଉଣୀଙ୍କୁ ଆହ୍ୱାନ ଦେଇଥିଲେ। ସଙ୍ଗଠନର ଅନ୍ୟତମ ପୁରୋଧା ଇନ୍ଦ୍ରମଣି ବିଶ୍ୱାଳଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସମାବେଶରେ ଜିଲା ଯୁବ ସଭାପତି ସ୍ମୃତିରଞ୍ଜନ ମହାନ୍ତ, ଆଦିବାସୀ ସଂଘ ସଭାପତି ଚନ୍ଦ୍ରମୋହନ ନାଏକ, ସମ୍ପାଦକ ଜୀବନସିଂ ମୁଣ୍ଡା, ପାଟଣା ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀ ଦୀପକ କୁମାର ନାଏକ, ଜିଲା କାର୍ଯ୍ୟକାରୀ ସଭାପତି ଖଗେଶ୍ୱର ମହାନ୍ତ, ଶ୍ୟାମସୁନ୍ଦର ମହାନ୍ତ, ଦୁର୍ଯ୍ୟୋଧନ ମହାନ୍ତ, ପୂର୍ଣ୍ଣଚନ୍ଦ୍ର ସାହୁ, ମହିଳା ସଭାପତି ବିଳାସିନୀ ମହାନ୍ତ ପ୍ରମୁଖ ମଞ୍ଚାସୀନ ହୋଇ ବିଭିନ୍ନ ସମସ୍ୟା ସମ୍ପର୍କରେ ମତବ୍ୟକ୍ତ କରିବା ସହ ଆଗାମୀ ନିର୍ବାଚନରେ ଚାଷୀ ସରକାର ଗଠନ ଦିଗରେ ସମସ୍ତଙ୍କ ସହଯୋଗ ଲୋଡିଥିଲେ। ରାଜକିଶୋର ମହାନ୍ତ, କୁଶଧ୍ୱଜ ନାଏକ, ମାଧୁରୀ ମହାନ୍ତ, ବାବୁଲି ମହାନ୍ତ, ସୁମିତ୍ରା ମାରାଣ୍ଡି, ଉମାକାନ୍ତ ମହାନ୍ତ ପ୍ରମୁଖଙ୍କ ନେତୃତ୍ୱରେ ଏହି ସମାବେଶ ସଫଳତାର ସହ ଆୟୋଜିତ ହୋଇଥିଲା।

Comments are closed.