ମୋକ୍ଷପର୍ବ ଉତ୍ତରାୟଣ
=============
ଧର୍ମେଚାର୍ଥେ ଚ କାମେଚ ମୋକ୍ଷେଚ ଭରତର୍ଷଭ l
ଯଦିହାସ୍ତୀ ତଦନ୍ୟତ୍ର ଯନ୍ନେ ହାସ୍ତୀ ନ କୁତ୍ରଚିତ ll
ଧର୍ମ, ଅର୍ଥ,କାମ, ମୋକ୍ଷ ହେଉଛି ମହା ଭାରତୀୟ ଜୀବନଧାରାର ଚାରିଗୋଟି ପ୍ରଧାନ ପୁରୁଷାର୍ଥ l ସେ ସମସ୍ତ ବିଷୟରେ ଏଥିରେ (ମହାଭାରତରେ) ଯାହା ଅଛି, ତାହା ଅନ୍ୟ କେଉଁ ଠାରେ ଥାଇ ପାରେ କିନ୍ତୁ ଏଥିରେ ଯାହା ନାହିଁ, ତାହା ଅନ୍ୟ କେଉଁଠି ନାହିଁ l ଏହି କଥାଟିକୁ ସରଳଭାଷାରେ କୁହାଗଲା “ଯାହା ନାହିଁ ଭାରତେ, ତାହା ନାହିଁ ମରତେ “l ମହାକାବ୍ୟ ମହାଭାରତ ହେଉଛି ଏହି ଭଳି ଏକ ଅମୁଲ୍ୟ ଗ୍ରନ୍ଥ ଯାହା ପଞ୍ଚମ ବେଦ ଭାବେ ପରିଚିତ l ସେହି ମହା ଗ୍ରନ୍ଥରୁ କଥାଟିଏ :-
ମହାଭାରତ ଯୁଦ୍ଧରେ ପିତାମହ ଭୀଷ୍ମ ଅର୍ଜୁନଙ୍କ ବାଣରେ ଧରାଶାୟୀ ହେଲେ l ତାଙ୍କ ଅନୁରୋଧ ରକ୍ଷାକରି ଧନଞ୍ଜୟ ନିଜର ଅସ୍ତ୍ର ବିଦ୍ୟା ବଳରେ ଏକ ଶରଶଯ୍ୟା ପ୍ରସ୍ତୁତ କରି ଦେଲେ l ପିତାମହ ସେଇଠି ଶୋଇ ରହିଲେ l ଭୀଷଣ ପ୍ରତିଜ୍ଞା ଧାରୀ ଭୀଷ୍ମ ଥିଲେ ପିତା ଶାନ୍ତନୁଙ୍କଠାରୁ ଇଚ୍ଛାମୃତ୍ୟୁ ବର ପ୍ରାପ୍ତ ଓ ଅଷ୍ଟବସୁ ମାନଙ୍କ ମଧ୍ୟରୁ ଅନ୍ୟତମ l ସେ ସେଇଠି ଶୋଇରହି ସୂର୍ଯ୍ୟଙ୍କ ଉତ୍ତରାୟଣ ମାର୍ଗକୁ ଅପେକ୍ଷା କରି ରହିଲେ l ଉତ୍ତରାୟଣ କାଳରେ, ବିଶ୍ୱାସ ରହିଛି, ଏହି ମର୍ତ୍ତ୍ୟଲୋକ ଛାଡ଼ିଲେ ଆଉ ପୁନର୍ବାର ଫେରିବା ପାଇଁ ପଡ଼ି ନଥାଏ l ପିତାମହ ତେଣୁ ଏହି ସମୟକୁ ଶରୀର ତ୍ୟାଗର ଉପଯୁକ୍ତ ମୁହୂର୍ତ୍ତ ବୋଲି ବାଛି ନେଇ ଥିଲେ l କୁରୁକ୍ଷେତ୍ରର ରଣ ଭୂମିରେ ପୁଣ୍ୟତୋୟା ଓଘବତୀ ନଦୀ ତଟ ଶରଶଯ୍ୟାରେପଡ଼ି ପ୍ରାପ୍ତ ଦିବ୍ୟଦୃଷ୍ଟି ବଳରେ ସେ ସମସ୍ତ ମହାଭାରତ ଯୁଦ୍ଧର ବିବରଣୀକୁ ଜାଣିପାରୁ ଥିଲେ l
ପିତାମହ ଶରଶଯ୍ୟାରେ ଶାୟିତଥିବା ଅବସ୍ଥାରେ ଦିନେ ଧର୍ମରାଜ ଯୁଧିଷ୍ଠିର କୃଷ୍ଣଙ୍କ ପାଖରେ ଯାଇ ପହଞ୍ଚି ଆଶ୍ଚର୍ଯ୍ୟ ହୋଇ ଦେଖିଲେ, ପ୍ରଭୁ ଶ୍ରୀକୃଷ୍ଣ ଧ୍ୟାନରତ l ଯୁଧିଷ୍ଠିର ପାଖରେ ପହଞ୍ଚି ଯଥାମାନ୍ୟ କରି କହିଲେ, କେଶବ ! ଆପଣ ତ ଏ ତ୍ରିଲୋକ ପୂଜିତ ନାରାୟଣ l ଆପଣଙ୍କୁ ସମସ୍ତେ ଧ୍ୟାନ କରି ଥାନ୍ତି l ପୁଣି ଆପଣ କାହାଠାରେ ଧ୍ୟାନ କରୁଛନ୍ତି l କୃଷ୍ଣ କହିଲେ, “ଦୀପ୍ତ ଅଗ୍ନି ଲିଭି ଯାଉଥିବା ପରି ଭୀଷ୍ମ ପିତାମହଙ୍କ ଜୀବନ ପ୍ରଦୀପ ଲିଭି ଆସୁଛି l ସେ ପରମଜ୍ଞାନୀ l ଧର୍ମନୀତି,ରାଜନୀତି ଆଦିରେ ତାଙ୍କ ଜ୍ଞାନର ତୁଳନାନାହିଁ l ପିତାମହ ଚାଲିଗଲା ପରେ, ଏହି ସମସ୍ତ ଜ୍ଞାନ ଏ ସଂସାରରୁ ଅସ୍ତମିତ ହୋଇଯିବ l ଚନ୍ଦ୍ରମା ଅସ୍ତ ଗଲେ, ରଜନୀ ତେଜ ହୀନ ହୋଇଯିବା ପରି ପିତାମହଙ୍କ ପ୍ରୟାଣରେ ସଂସାରର ସେହି ଅବସ୍ଥାହିଁ ହେବ,ଏହି କଥା ଭାବି ମୁଁ ସେହି ପରମ ଜ୍ଞାନୀଙ୍କୁ ଧ୍ୟାନ କରୁଛି l ହେ ଧର୍ମ ନନ୍ଦନ,ଆପଣ ଶୀଘ୍ର ଯାଇ ପିତାମହଙ୍କ ନିକଟରୁ ସେ ସବୁ ଜ୍ଞାନକୁ ଶ୍ରବଣ ଏବଂ ଆହରଣ କର l” ଯୁଧିଷ୍ଠିର କହିଲେ,” ହେ ମଧୁସୂଦନ ! ମୁଁ ଜାଣିଛି ଉତ୍ତରାୟଣ ସମୟ ଉପସ୍ଥିତହେଲେ ପିତାମହ ମହା ପ୍ରୟାଣ କରିବେ l ଆପଣଙ୍କର ଉପଦେଶ ଅନୁଯାୟୀ ମୁଁ ତାଙ୍କ ନିକଟକୁ ଯିବି l ଆପଣ ମଧ୍ୟ ମୋ ସହିତ ଚାଲନ୍ତୁ l”
ତତପରେ ପଞ୍ଚପାଣ୍ଡଵ,ଶ୍ରୀକୃଷ୍ଣ, ସାତ୍ୟକି, ସଞ୍ଜୟ, ଯୁଜୁଛୁ ଓ କୃପାଚାର୍ଯ୍ୟ ସାଥୀ ହୋଇ ପିତାମହଙ୍କ ନିକଟରେ ପହଞ୍ଚିଲେ l ସେତେବେଳକୁ ବ୍ୟାସାଦି ମୁନି ଋଷି ମାନେ ପିତାମହଙ୍କ ନିକଟରେ ପହଞ୍ଚି ସାରିଥାନ୍ତି l ସେମାନେ ପିତାମହଙ୍କ ଚରଣବନ୍ଦନା କରୁଥାନ୍ତି l ଭଗବାନ ଶ୍ରୀକୃଷ୍ଣ ସମସ୍ତ ମୁନି ଋଷି ମାନଙ୍କ ଚରଣରେ ପ୍ରଣାମ କରି, ତାଙ୍କର କୁଶଳ ଜିଜ୍ଞାସା କଲେ l ତତ୍ପରେ ସେ ପିତାମହଙ୍କ ଚରଣ ବନ୍ଦନା କରି କହିଲେ,”ହେ ବିଶ୍ବବନ୍ଦନୀୟ,ପରମ ଜ୍ଞାନୀ ! ବତ୍ସ ଯୁଧିଷ୍ଠିର ଆତ୍ମୀୟ ସ୍ୱଜନ, ଆଚାର୍ଯ୍ୟ ଗୁରୁ ଜନଙ୍କୁ ହରାଇ, ବିଭୀଷିକା ମୟ କୁରୁକ୍ଷେତ୍ର ଯୁଦ୍ଧ ପରେ ଅତ୍ୟନ୍ତ ଶଙ୍କାଗ୍ରସ୍ତ, ଶୋକ ଗ୍ରସ୍ତ ଏବଂ ମ୍ରିୟମାଣ ହୋଇ ପଡ଼ିଛନ୍ତି l ଆପଣ ତାଙ୍କ ଶୋକ ଦୂର କରି ଜ୍ଞାନୋପଦେଶ ଦିଅନ୍ତୁ l”
ଭୀଷ୍ମ କହିଲେ,”ହେ ହୃଷିକେଶ ! ଆପଣ ସମସ୍ତ ଜଗତର ସ୍ବାମୀ l ଆପଣଙ୍କୁ ଅଜଣା କଅଣ ଅଛି ଯେ ମୁଁ ଜ୍ଞାନୋପଦେଶ ଦେବି,କ୍ଷତବୀକ୍ଷତ ପୀଡ଼ା ଗତ ମୋର ଶରୀର ପାଇଁ ମୋର ମନବୁଦ୍ଧି କିଛି ସ୍ଥିର ନାହିଁ l ମୋର ବାକଶକ୍ତି ମଧ୍ୟ କ୍ଷୀଣ ହୋଇ ଯାଇଛି l ଏପରି ଅବସ୍ଥାରେ, ମୁଁ କିଛି ଉପଦେଶ ପ୍ରଦାନପାଇଁ ଅସମର୍ଥ “l ଶ୍ରୀକୃଷ୍ଣ କହିଲେ,” ହେ ପରନ୍ତପ, ହେ ମହାଜ୍ଞାନୀ ଆପଣଙ୍କ ସମସ୍ତ ପୀଡ଼ା ଏହି ମୁହୂର୍ତ୍ତରେ ଦୂରହୋଇଯିବ l ଆପଣଙ୍କ ମନ ମୃତ୍ୟୁ ପର୍ଯ୍ୟନ୍ତ ସ୍ଥିର ହୋଇ ରହିବ l ଆଜି ଠାରୁ ଛପନ ଦିନ ପରେ ଉତ୍ତରାୟଣ କାଳରେ ଆପଣ ଧରାଧାମରୁ ବିଦାୟ ନେବେ l ଆପଣ ଦିବ୍ୟ ଚକ୍ଷୁ ଲାଭ କରି, ସମସ୍ତ ବିଷୟ ମନନ ଓ ସ୍ମରଣ କରି ପାରିବେ l ଆଜି ସନ୍ଧ୍ୟା ଉପଗତ ପ୍ରାୟ, ଆମ୍ଭେ ଯାଉଛୁ କାଲି ପୁଣି ସାକ୍ଷାତ ହେବ l”
ପରଦିନ ଶ୍ରୀକୃଷ୍ଣ ଓ ଯୁଧିଷ୍ଠିର କର୍ତ୍ତୃକ ଅନ୍ୟମାନେ ଯାଇ ପିତାମହଙ୍କ ଶରଶଯ୍ୟା ନିକଟରେ ଉପସ୍ଥିତ ହେଲେ l ଶ୍ରୀକୃଷ୍ଣ ପିତାମହଙ୍କ ସର୍ବ କୁଶଳ ପୁଛା କରନ୍ତେ ସେ କହିଲେ,” ହେ ଅଚ୍ୟୁତ ! ଆପଣଙ୍କ ଅନୁଗ୍ରହରୁ ମୋର ସମସ୍ତ କଷ୍ଟ,ଦୁଃଖ ଏବଂ ଗ୍ଲାନି ଦୂର ହୋଇଛି l ବର୍ତ୍ତମାନ,ମୁଁ ଅତୀତ,ଭବିଷ୍ୟତ ସବୁକିଛି ଦେଖିପାରୁଛି,ଏବେ ଯୁଧିଷ୍ଠିରଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେବା ପାଇଁ ମୁଁ ସମର୍ଥ l” ଶ୍ରୀକୃଷ୍ଣ କହିଲେ,”ଯୁଦ୍ଧରେ ଜ୍ଞାତି କୁଟୁମ୍ବ ମାନଙ୍କୁ ବିନାଶ କରି ଯୁଧିଷ୍ଠିର ଅତ୍ୟନ୍ତ ଅନୁତପ୍ତ ଓ ଲଜ୍ଜିତ l ସେ ଅଭିଶାପ ଭୟରେ ଆପଣଙ୍କ ସମ୍ମୁଖକୁ ଆସିବାକୁ କୁଣ୍ଠାବୋଧ କରୁଛନ୍ତି l” ପିତାମହ କହିଲେ,”ସେ ନିଷ୍ପାପ, ଯୁଧିଷ୍ଠିର କ୍ଷାତ୍ରଧର୍ମ ପାଳନ କରିବାପାଇଁ ଯାଇ କେବଳ କର୍ତ୍ତବ୍ୟ ମାତ୍ର କରିଛନ୍ତି, ସତ୍ୟନିଷ୍ଠ ଧର୍ମଜ୍ଞ କୁନ୍ତୀ ନନ୍ଦନ ନିଃସଙ୍କୋଚ ହୋଇ ମୋତେ ପ୍ରଶ୍ନ ପଚାରନ୍ତୁ l ମୁଁ ମୋର ଯଥାଶକ୍ତି ବିଚାର ବୁଦ୍ଧି ଦ୍ୱାରା ତାଙ୍କର ସମସ୍ତ ସଂଶୟ ଦୂର କରିବି l”
ତା’ ପରେ ଯୁଧିଷ୍ଠିର ରାଜନୀତି, ଧର୍ମ ନୀତି, ଅର୍ଥ ନୀତି,ନ୍ୟାୟ,ଦଣ୍ଡ,ଭେଦ ଇତ୍ୟାଦି ବିଷୟକ ପ୍ରଶ୍ନ ମାନ ପଚାରି ଚାଲିଲେ l ପିତାମହ ତାଙ୍କୁ ଗୋଟି ଗୋଟି କରି ସେ ସବୁ ବୁଝାଉ ଥାନ୍ତି l ବୁଝାଇବା ଛଳରେ ସେ ବହୁ କାହାଣୀ ଓ ଆଖ୍ୟାୟିକା ଯଥା ତିନିମତ୍ସ୍ୟ,ମାର୍ଜାର ମୂଷିକ ଆଦି କହି ଚାଲିଥାନ୍ତି l ବହୁ ମନୋରମ ଉପାଖ୍ୟାନ,ଆଖ୍ୟାୟିକା ଛଳରେ ପିତାମହଙ୍କର ଏହି ଉପଦେଶ ମହାଭାରତ ଗ୍ରନ୍ଥ ମଧ୍ୟରେ ଏକ ବିଶାଳ ଅଧ୍ୟାୟ l ମହାଭାରତ ଶାନ୍ତି ଓ ଅନୁଶାସନ ପର୍ବରେ ଏହା ଲିପିବଦ୍ଧ ହୋଇଛି l ଏଥିରେ ରାଜନୀତି, ଧର୍ମନୀତି,ସମାଜଶାସ୍ତ୍ର,ଅର୍ଥ ନୀତି ବିସ୍ତାରିତ ଭାବରେ ବର୍ଣ୍ଣିତ ହୋଇଛି l ଦୀର୍ଘ ପାଞ୍ଚଦିନ ଧରି ଯୁଧିଷ୍ଠିର ଏହା ପିତାମହଙ୍କ ଠାରୁ ଶ୍ରବଣ କରିଥିଲେ l
ପିତାମହଙ୍କ ଉପଦେଶ ଶୁଣି, ଯୁଧିଷ୍ଠିରଙ୍କ ସମସ୍ତ ଶଙ୍କା ଦୂରହେଲା l ସେ ଅତୀବ ପ୍ରସନ୍ନ ହେଲେ l ସର୍ବ ଶେଷରେ ପିତାମହ ତାଙ୍କୁ କହିଲେ,” ଏବେ ତୁମେ ଯାଅ l ଦେଵଗଣ ଓ ପିତୃ ଗଣଙ୍କୁ ସନ୍ତୁଷ୍ଟ କରି ପ୍ରଜା ମାନଙ୍କର ମନୋରଞ୍ଜନ କର l ସୁହୃଦ ମାନଙ୍କୁ ସ୍ନେହପାଶରେ ବାନ୍ଧି ରଖ l ପକ୍ଷୀମାନେ ଯେପରି ବଳବାନ ବୃକ୍ଷକୁ ଆଶ୍ରୟ କରି ରୁହନ୍ତି, ସେମାନେ ସେପରି ତୁମକୁ ଆଶ୍ରୟକରି ରୁହନ୍ତୁ l” ପିତାମହଙ୍କ ଠାରୁ ଧର୍ମରାଜ ସମସ୍ତ ଉପଦେଶ ଗ୍ରହଣ କରି ଫେରିଗଲେ l
ପଚାଶ ଦିନ ପରେ ଭୀଷ୍ମଙ୍କ ସ୍ଵର୍ଗାରୋହଣ ସମୟ ଆସିଗଲା l ବିଦାୟ ପାଇଁ ପୁଣି ସମସ୍ତେ ଉପସ୍ଥିତ ହେଲେ,ସୂର୍ଯ୍ୟଦେବଙ୍କ ଉତ୍ତରାୟଣ ହେବା ସଙ୍ଗେ ସଙ୍ଗେ ଯୋଗ ଧ୍ୟାନ ପୂର୍ବକ ପରମାତ୍ମାଙ୍କ ଠାରେ ଧ୍ୟାନଲଗାଇ ପିତାମହ ଭୀଷ୍ମ ଦେହତ୍ୟାଗ କଲେ l ଦେହତ୍ୟାଗ ଅଵ୍ୟବହିତ ପୂର୍ବରୁ ସେ ଯୁଧିଷ୍ଠିରଙ୍କୁ କହିଲେ,” ହେ କୁନ୍ତୀନନ୍ଦନ ! ଶୋକ କର ନାହିଁ l ସତ୍ୟକୁ ଆଶ୍ରୟ କରି ରାଜ୍ୟ ଶାସନ କର l” ଧୃତରାଷ୍ଟ୍ରଙ୍କୁ କହିଲେ,”ରାଜା ! ତୁମେ ଶାସ୍ତ୍ରବେତ୍ତା ଓ ଧର୍ମଜ୍ଞ l ଯାହା ଘଟିବାର କଥା ଘଟି ଯାଇଛି l ପାଣ୍ଡୁ ପୁତ୍ରମାନଙ୍କୁ ନିଜର ପୁତ୍ର ମନେକରି ପାଳନ କର l ତୁମର ଦୁରାତ୍ମା ପୁତ୍ର ମାନଙ୍କ ପାଇଁ ଶୋକ କର ନାହିଁ l”
କୃଷ୍ଣଙ୍କୁ ଚାହିଁ କହିଲେ,” ହେ ଦେବେଶ, ସୁରାସୁର ବନ୍ଦିତ ତ୍ରିବିକ୍ରମ,ହେ କୃଷ୍ଣ,ହେ କେଶବ, ବିଶ୍ୱାତ୍ମା ପୁରୁଷୋତ୍ତମ !ଏବେ ମୋତେ ଯିବାପାଇଁ ଅନୁମତି ଦିଅ l ତୁମେ ପାଣ୍ଡଵ ମାନଙ୍କର ରକ୍ଷା କର୍ତ୍ତା l ଯୁଦ୍ଧ ଆରମ୍ଭହେବା ପୂର୍ବରୁ ମୁଁ ମୂର୍ଖ ଦୁର୍ଯ୍ୟୋଧନକୁ ଏହା କହିଥିଲି ଯେଉଁ ଠାରେ ଶ୍ରୀକୃଷ୍ଣ ସେ ଠାରେ ଧର୍ମ ଓ ଯେଉଁଠି ଧର୍ମ ସେଇଠି ଜୟ l ପାଣ୍ଡଵ ମାନଙ୍କ ସହିତ ତୁମେ ସନ୍ଧିକର l କିନ୍ତୁ ତାହା ହେଲାନାହିଁ l ହେ କେଶବ ! ଏହି ଶରୀର ତ୍ୟାଗ ପାଇଁ ଆପଣ ମୋତେ ଅନୁମତି ଦିଅନ୍ତୁ,ମୋ ଆତ୍ମା ପରମ ଗତି ପ୍ରାପ୍ତ ହେଉ l” ଯୁଧିଷ୍ଠିରଙ୍କୁ କହିଲେ,ମୋତେ କିଛି ପୁଷ୍ପ ଆଣି ଦିଅ,ମୁଁ ଶ୍ରୀକୃଷ୍ଣଙ୍କ ପଦବନ୍ଦନା କରେ l ପୁଷ୍ପ ଆସିଲା l ଅଣାଯାଇଥିବା ପୁଷ୍ପରେ ଭଗବାନ କୃଷ୍ଣଙ୍କ ପଦ ବନ୍ଦନା କରି ଦେବବ୍ରତ ଗଙ୍ଗାନନ୍ଦନ ଭୀଷ୍ମ ଭକ୍ତିଗଦ୍ଗଦ ହୋଇ କହିଲେ,ହେ ଜନାର୍ଦ୍ଦନ, ହେ ଅନ୍ତର୍ଯ୍ୟାମୀ ! ହେ ସୃଷ୍ଟି ସ୍ଥିତି,ପାଳନ, ଲୟର କାରଣ ! ମୋତେ ଟିକିଏ ଆପଣଙ୍କ ସେହି ଭୁବନ ମୋହନ ବିଶ୍ଵରୂପ ଦେଖାଇ ଏ ଦୁଃଖ ଶୋକ ମୟ ଜଗତରୁ ଚିରଦିନ ପାଇଁ ମୁକ୍ତି ଦିଅନ୍ତୁ l ହେ ପ୍ରଭୁ ! ମୋତେ ଶ୍ରେଷ୍ଠ ସ୍ଥାନ ଗମନ କରିବାର ଆଶୀର୍ବାଦ ପ୍ରଦାନ କରନ୍ତୁ l”
ଅନ୍ୟ ମାନଙ୍କୁ ଅଦୃଶ୍ୟ, ଭଗବାନ ତାଙ୍କର ଅପୂର୍ବ ବିଶ୍ୱରୂପକୁ ଭୀଷ୍ମଙ୍କୁ ଦର୍ଶନ କରାଇ ତାଙ୍କର ହାତ ମୁଠାକୁ ପରମ ଶ୍ରଦ୍ଧାସହିତ ଜାବୁଡିଧରି କହିଲେ, ‘ପିତାମହ ଆପଣ ନିଷ୍ପାପ,ପିତୃଭକ୍ତ ଓ ମହାମୁନି ମାର୍କଣ୍ଡେୟଙ୍କ ତୁଲ୍ୟ l ମୃତ୍ୟୁ କ୍ରୀତ ଦାସ ଭାବେ ଆପଣଙ୍କ ଆଜ୍ଞାଧୀନ l ଆପଣଙ୍କ ଯଶ, କୀର୍ତ୍ତି ଏ ସଂସାରରେ ସ୍ୱର୍ଯ୍ୟଙ୍କ ଜ୍ୟୋତି ପରି ଝଲସୁଥାଉ l ମୁଁ ଅନୁମତି ଦେଉଛି ଆପଣ ଦେହ ତ୍ୟାଗ କରି ପରମ ଧାମକୁ ପ୍ରାପ୍ତ ହୁଅନ୍ତୁ ଓ ଶୀଘ୍ର ବସୁ ଗଣଙ୍କ ସହିତ ମିଳିତ ହୁଅନ୍ତୁ l
ପିତାମହ ସମସ୍ତଙ୍କ ଠାରୁ ବିଦାୟନେଇ ମୂଳାଧାର ଚକ୍ରରେ ଧ୍ୟାନ ନିବିଷ୍ଟ କଲେ ଏବଂ ତାଙ୍କର ଆତ୍ମା ଓ ଅବରୁଦ୍ଧ ପ୍ରାଣ ଉର୍ଦ୍ଧ୍ୱଗାମୀ ହେବାକୁ ଲାଗିଲା l ମୃତ୍ୟୁ ସମୟରେ ତାଙ୍କର ଯେଉଁ ଅଙ୍ଗପ୍ରତ୍ୟଙ୍ଗରୁ ପ୍ରାଣ ଛାଡ଼ି ଯାଉଥିଲା, ସେଥିରୁ ଶର ସବୁ ଖସି ପଡୁଥିଲା l ତାଙ୍କର ସମସ୍ତ ଶରୀରରୁ ପ୍ରାଣ ବାୟୁ ଉଡ଼ିଯିବା ପରେ, ଶରୀର ଶର ଶଯ୍ୟା ଛାଡ଼ି ଭୂମି ଶଯ୍ୟା ଗ୍ରହଣ କଲା l ଶ୍ରୀକୃଷ୍ଣ, ଯୁଧିଷ୍ଠିର ଓ ତାଙ୍କ ଭାଇମାନେ,ଗାନ୍ଧାରୀ,ଧୃତରାଷ୍ଟ୍ର, କୁନ୍ତୀ,ଦ୍ରୌପଦୀ ଆଦି କୁରୁବଂଶୀ, ଜ୍ଞାତିବର୍ଗ ସମସ୍ତେ ଶୋକପୂର୍ଣ୍ଣ ନୟନରେ ଏହି ଆଶ୍ଚର୍ଯ୍ୟ ଦୃଶ୍ୟ ଦେଖୁଥିଲେ l
ପିତାମହଙ୍କ ସ୍ୱର୍ଗାରୋହଣ ସମୟରେ ପ୍ରକୃତିରେ ସଙ୍ଗୀତର ମର୍ମର ଧ୍ୱନୀ ଗୁଞ୍ଜରି ଉଠିଲା l ଶହଶ୍ର କଦମ୍ବର ସୁରଭିତ ହିଲ୍ଲୋଳ ଦେବଲୋକରୁ ପୃଥ୍ଵୀ ଲୋକକୁ ଭାସି ଆସିଲା l ଉପସ୍ଥିତ ସମସ୍ତ ସଜ୍ଜନ ହୃଦୟରେ ଅଦ୍ଭୁତ ପ୍ରଶାନ୍ତି ଲାଭ କଲେ l ଶ୍ରୀମଦ ଭାଗବତରେ ଏ ଦୃଶ୍ୟର ଅତି ସୁନ୍ଦର ବର୍ଣ୍ଣନାକରି ଅତିବଡ଼ି କହିଛନ୍ତି :-
ଦେଖନ୍ତି ସୁର ନର ମୁନି l
ଗଙ୍ଗା ନନ୍ଦନ ହେଲେ ତୁନି ll
ଶରୀର ତେଜି ଭାବ ମୋହେ l
ପଶିଲେ ଗୋବିନ୍ଦର ଦେହେ ll
ଭୀଷ୍ମ ମରଣ ଦେଖି ଭଲେ l
ଯେ ଅବା ଥିଲେ କୃଷ୍ଣ ତୁଲେ ll
ମଉନେ ବସିଲେ ସମସ୍ତେ l
ପକ୍ଷୀଏ ଯେହ୍ନେ ଦିନ ଅନ୍ତେ ll
ତକ୍ଷଣେ ଦୁନ୍ଦୁଭି ଶବଦ l
ଦେବମାନବେ କଲେ ବାଦ୍ୟ ll
ଏହିସମୟରେ ଉପସ୍ଥିତ ସମସ୍ତେ ଶ୍ରୀକୃଷ୍ଣଙ୍କୁ ଚାହିଁ ପ୍ରାର୍ଥନା କରୁଥିଲେ ହେ ମାଧବ!ହେ କେଶବ! ହେ ନାରାୟଣ ! ହେ ପରମାନନ୍ଦ ! ଆପଣଙ୍କର କୃପା ବଳରେ ଏ ସଂସାରରେ କଅଣ ବା ସମ୍ଭବ ହୋଇ ନ ପାରେ !
ନାରାୟଣଂ ନମସ୍କୃତ୍ୟ ନରଂ
ଚୈବ ନରୋତ୍ତମମ୍ l
ଦେବୀଂ ସରସ୍ୱତୀଂ ବ୍ୟାସଂ
ତତୋଜୟମୁଦୀରୟେତ୍ll
ମୂକଂ କରୋତି ବାଚାଳଂ
ପଙ୍ଗୁ ଲଙ୍ଘୟତେ ଗିରିମ୍ l
ଯତ୍କୃପାତମହଂ ବନ୍ଦେ ପରମାନନ୍ଦ ମାଧବମ୍ ll
🙏🙏🙏
ଅର୍ଜୁନୀ
————-
ଅର୍ଜୁନୀ ଚରଣ ବେହେରା
ମୋ – 7693091971
Sign in
Sign in
Recover your password.
A password will be e-mailed to you.
Next Post
Comments are closed.