ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରି ସ୍ଥିତି ସମୀକ୍ଷା ସହ ତୁରନ୍ତ ରିଲିଫ୍ ଓ ସହାୟତା ପହଞ୍ଚାଇବାକୁ ବିଧାୟିକା ସୁବାସିନୀ ଜେନାଙ୍କ ନିର୍ଦ୍ଦେଶ

ବନ୍ୟା ପରିସ୍ଥିତି ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ଏବଂ ପ୍ରତ୍ୟେକ ପ୍ରଭାବିତ ପରିବାର ନିକଟରେ ସହାୟତା ନପହଞ୍ଚିବା ଯାଏଁ ମୋର ପ୍ରୟାସ ନିରନ୍ତର ଜାରି ରହିବ - ବିଧାୟିକା ସୁବାସିନୀ

0
ବାଲେଶ୍ୱର, ୧୭/୦୮(କୃଷ୍ଣ କୁମାର ମହାନ୍ତି): ବନ୍ୟା ବସ୍ତା ନିର୍ବାଚନମଣ୍ଡଳୀର ଚିର ସହଚର ପାଲଟିଥିବା ବେଳେ ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଜଳକା, ପଳପଳା ଓ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି ପାଇ ବସ୍ତା ଏବଂ ବାଲିଆପାଳ ବ୍ଲକର ବହୁ ନଦୀକୂଳିଆ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ବନ୍ୟା ଯୋଗୁଁ ହଜାର ହଜାର ପରିବାରଙ୍କ ଦୈନନ୍ଦିନ ଜୀବନଯାପନ ସହ ଚାଷବାସ ଓ ଜୀବିକା ଗୁରୁତର ଭାବେ ପ୍ରଭାବିତ ହୋଇଛି।
ଗତ ଶୁକ୍ରବାର ବନ୍ୟା ଆସିବା ପରଠାରୁ ଜଳବନ୍ଦୀ ଲୋକଙ୍କ ନିକଟରେ ତ୍ୱରିତ ପ୍ରଶାସନିକ ସହାୟତା ପହଞ୍ଚାଇବା ପାଇଁ ବସ୍ତା ବିଧାୟିକା ସୁବାସିନୀ ଜେନା ଅହରହ ପ୍ରୟାସ ଜାରି ରଖିଛନ୍ତି। ବିଭାଗୀୟ ଅଧିକାରୀମାନଙ୍କ ସହ ବିଧାୟିକା ଶ୍ରୀମତୀ ଜେନା ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ଗ୍ରାଉଣ୍ଡ ଜିରୋ ସ୍ଥିତି ଅନୁଧ୍ୟାନ କରିବା ସହ ଲୋକଙ୍କ ଆବଶ୍ୟକତା ଅନୁଯାୟୀ ଶୁଖିଲା ଓ ରନ୍ଧା ଖାଦ୍ୟ ବଣ୍ଟନର ସୁବ୍ୟବସ୍ଥା କରିଛନ୍ତି। ଏଥିସହ ସେ ଜିଲ୍ଲାପାଳଙ୍କ ସହ ଆଲୋଚନା କରି କ୍ଷତିଗ୍ରସ୍ତ ଅଞ୍ଚଳର ସମସ୍ୟା ସମ୍ପର୍କରେ ଅବଗତ କରାଇବା ସହିତ ରିଲିଫ୍, ପାନୀୟଜଳ, ଚିକିତ୍ସା ସୁବିଧା ଓ ଅନ୍ୟାନ୍ୟ ଜରୁରୀ ସହାୟତା ତୁରନ୍ତ ଯୋଗାଇ ଦେବାକୁ ପଦକ୍ଷେପ ନେଇଛନ୍ତି।
ଜଳକା ଓ ପଳପଳା ନଦୀର ବନ୍ୟାଜଳରେ ପ୍ରଭାବିତ ବସ୍ତା ବ୍ଲକର ବାସୁଚକୁରାଇ, ଦୁଧାହଂସା, ମଥାନୀ, କୁଡ଼ିଆ, ସଦାନନ୍ଦପୁର, ପତ୍ରଝଡ଼ା, ଦରଡ଼ା, ମୁକୁଳିସି, ଇଡ଼ିଦା ଓ ସାହାଡ଼ା ପଞ୍ଚାୟତ ସମେତ ବାଲିଆପାଳ ବ୍ଲକର କୁଣ୍ଡୁଳି ଏବଂ ସୁବର୍ଣ୍ଣରେଖା ନଦୀ ବନ୍ୟାଜଳରେ ପ୍ରଭାବିତ ଅସ୍ତି ପଞ୍ଚାୟତକୁ ବିଧାୟିକା ଗସ୍ତ କରି ପ୍ରଭାବିତ ଲୋକଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ସମସ୍ୟା ବାବଦରେ ବୁଝିଥିଲେ।
ସେହିପରି ସୋମବାର ଦିନ ସେ ବସ୍ତା ବ୍ଲକର ବାହାର୍ଦ୍ଦା ଓ ରାଉତପଡ଼ା ଏବଂ ବାଲିଆପାଳ ବ୍ଲକର ବଣିଆଡିହା, ବୋଳଂ ଓ ସାଉଡ଼ି ପଞ୍ଚାୟତ ପରିଦର୍ଶନ କରି ପ୍ରଭାବିତ ଲୋକଙ୍କ ସମସ୍ୟା ବୁଝିବା ସହିତ ସ୍ଥାନୀୟ ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କ ସହ ସମନ୍ୱୟ ରକ୍ଷା କରି ପ୍ରଭାବିତ ପରିବାରଙ୍କୁ ତୁରନ୍ତ ରିଲିଫ୍ ସାମଗ୍ରୀ, ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଇଦେବାକୁ  ସେ ନିର୍ଦ୍ଦେଶ ଦେଇଥିଲେ।
 ବନ୍ୟା ବିପର୍ଯ୍ୟୟ ସମୟରେ ଜନସାଧାରଣଙ୍କ ଜୀବନ ଓ ଜୀବିକାର ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ରିଲିଫ୍ ତଥା ଉଦ୍ଧାର କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା ଉପରେ ବିଧାୟିକା ଗୁରୁତ୍ୱାରୋପ କରିଛନ୍ତି। ବନ୍ୟାଜଳ ଛାଡ଼ିବା ପରେ ରାସ୍ତାଘାଟ, ବାସଗୃହ, ଚାଷଜମି ଓ ଅନ୍ୟାନ୍ୟ କ୍ଷୟକ୍ଷତିର ସଠିକ୍ ଆକଳନ କରି ପ୍ରଭାବିତ ପରିବାରଙ୍କୁ ସରକାରୀ ନିୟମାନୁଯାୟୀ ତୁରନ୍ତ କ୍ଷତିପୂରଣ ଓ ପୁନରୁଦ୍ଧାର ସହାୟତା ପ୍ରଦାନ କରିବାକୁ ସେ ଦାବି କରିଛନ୍ତି। ଏହି ଅବସରରେ ବିଧାୟିକା ସୁବାସିନୀ ଜେନା କହିଛନ୍ତି  “ବିପଦ ସମୟରେ ଜନସାଧାରଣଙ୍କ ସାଥୀରେ ଠିଆ ହେବା ହିଁ ମୋର ପ୍ରଥମ ଦାୟିତ୍ୱ। ବନ୍ୟା ପରିସ୍ଥିତି ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ଏବଂ ପ୍ରତ୍ୟେକ ପ୍ରଭାବିତ ପରିବାର ନିକଟରେ ସହାୟତା ନପହଞ୍ଚିବା ଯାଏଁ ମୋର ପ୍ରୟାସ ନିରନ୍ତର ଜାରି ରହିବ” । ଉକ୍ତ ଗସ୍ତ ସମୟରେ ସ୍ଥାନୀୟ ପଞ୍ଚାୟତ ପ୍ରତିନିଧି, ବରିଷ୍ଠ ନେତୃବୃନ୍ଦ, ବିଭିନ୍ନ ବିଭାଗର ପଦାଧିକାରୀ ତଥା ସ୍ଥାନୀୟ ଜନସାଧାରଣ ଉପସ୍ଥିତ ରହି ବନ୍ୟା ପରିଚାଳନା ଓ ରିଲିଫ୍ କାର୍ଯ୍ୟରେ ସହଯୋଗ କରିଥିଲେ।
Leave A Reply

Your email address will not be published.