ନୟାଗଡ଼ (୨୯/୮): ରଣପୁର ବ୍ଲକ୍ କାସନ୍ଦା ପଞ୍ଚାୟତସ୍ଥ ଗୌଡି଼ଆପଡା ଗ୍ରାମରେ ଜନତା ନୋଡାଲ ଉଚ୍ଚ ବିଦ୍ୟାଳୟ ଦର୍ପନାରାୟଣପୁରର ପ୍ରାକ୍ତନ ପ୍ରଧାନଶିକ୍ଷକ ପ୍ରଫୁଲ୍ଲ କୁମାର ପାତାଳସିଂହଙ୍କ ଦ୍ଵାଦଶାହ ସ୍ମୃତିଚାରଣ ସଭା ଶିକ୍ଷାବିତ୍ ସୁରେନ୍ଦ୍ର କୁମାର ବରାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଗତ ୧୭ ତାରିଖ ଅପରାହ୍ନ ୨ଟା ବେଳେ ଦିବଂଗତ ପ୍ରଫୁଲ୍ଲ ପାତାଳସିଂହ ହୃଦଘାତରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ମୁତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା।
ମୁଖ୍ୟ ଅତିଥି ଭାବରେ ବିଜେବି ହାଇସ୍କୁଲ ଖୋର୍ଦ୍ଧାର ପ୍ରାକ୍ତନ ପ୍ରଧାନ ଶିକ୍ଷକ କିଶୋର ଚନ୍ଦ୍ର ପରମଗୁରୁ ଯୋଗଦେଇ ସ୍ବର୍ଗତ ପାତାଳସିଂହଙ୍କ ବହୁମୁଖୀ ପ୍ରତିଭାର ଅବତାରଣା କରିବା ସହ ସାମ୍ପ୍ରତିକ ଶିକ୍ଷା ସମସ୍ୟା ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ। ମୁଖ୍ୟବକ୍ତା ଭାବରେ ବଳରାମଦେବ ବିଦ୍ୟାପୀଠ ଟାଙ୍ଗୀର ପ୍ରାକ୍ତନ ପ୍ରଧାନ ଶିକ୍ଷକ ରମେଶ କୁମାର ବଳବନ୍ତରାୟ ଯୋଗଦେଇ ସ୍ବର୍ଗତ ପାତାଳସିଂହ ଜଣେ ଅସାଧାରଣ ସ୍ମୃତି ଶକ୍ତି ସମ୍ପନ୍ନ ବ୍ୟକ୍ତିତ୍ୱ ଥିଲେ ବୋଲି ପ୍ରକାଶ କରିଥିଲେ। ଜଣେ ପ୍ରତିବଦ୍ଧ ଶିକ୍ଷକ ଭାବରେ ସେ ଛାତ୍ରଛାତ୍ରୀ ମାନଙ୍କର ଅତ୍ୟନ୍ତ ପ୍ରିୟ ପାତ୍ର ଥିଲେ।

ସମ୍ମାନିତ ଅତିଥି ଭାବରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବସନ୍ତ କୁମାର ନନ୍ଦ, ପ୍ରଧାନ ଶିକ୍ଷକ ବାମନ ଚରଣ ସାହୁ, ବିଦ୍ୟାଧର ମହାରଣା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ବରାଳ, କୈଳାସ ଚନ୍ଦ୍ର ସାମନ୍ତରାୟ, ବିଜୟ କୁମାର ଚୌଧୁରୀ, ଗୋପାଳ ଚନ୍ଦ୍ର ମହାରଣା, ଗଦାଧର ସାମନ୍ତରାୟ, ନିରଞ୍ଜନ ପାଇକରାୟ, ଅବସରପ୍ରାପ୍ତ ଜିଲ୍ଲା କୃଷି ଅଧିକାରୀ କୈଳାସ ଚନ୍ଦ୍ର ସାମନ୍ତରାୟ, ଇଂ ବାବା ସିଦ୍ଧାର୍ଥ ପାଇକରାୟ, ଅବସରପ୍ରାପ୍ତ ବ୍ୟାଙ୍କ ମ୍ୟାନେଜର ରାମଚନ୍ଦ୍ର ବିଶୋଇ, ଅବସରପ୍ରାପ୍ତ ଜିଲ୍ଲା କ୍ରୀଡାଧିକାରୀ ବିଦ୍ୟାଧର ପ୍ରଧାନ, ଶିକ୍ଷକନେତା ପ୍ରସନ୍ନ କୁମାର ଶ୍ରୀଚନ୍ଦନ, ଧନେଶ୍ୱର ପାତାଳସିଂହ ପ୍ରମୁଖ ସ୍ବର୍ଗତାତ୍ମାଙ୍କ ବ୍ୟକ୍ତିତ୍ୱର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ପୁରାତନ ଛାତ୍ରମାନଙ୍କ ମଧ୍ୟରୁ ଜନାର୍ଦ୍ଦନ ଭଞ୍ଜ, ପ୍ରସନ୍ନ କୁମାର ରାଉତ, ଶିକ୍ଷକ କବିରାଜ ବେହେରା, ବେଣୁଧର ଜେନା, ଆକୁଳ ଲେଙ୍କା ପ୍ରମୁଖ ପ୍ରକାଶ କରିଥିଲେଯେ, ପାତାଳସିଂହ ସାର ଦର୍ପନାରାୟଣପୁରରେ ଶିକ୍ଷକତା ଜୀବନ ଆରମ୍ଭ କରି ପ୍ରଧାନଶିକ୍ଷକ ପଦବୀକୁ ପଦୋନ୍ନତି ପାଇ କେନ୍ଦୁଝର ଜିଲ୍ଲାର ମଦନପୁର ହାଇସ୍କୁଲରେ ଯୋଗଦେଇଥିଲେ। ତା’ପରେ ପୁନଶ୍ଚ ନୟାଗଡ ଜିଲ୍ଲାରେ ସର୍ଦ୍ଦାର ପଟେଲ ବିଦ୍ୟାପୀଠ, ଗୋଡିପଡା ଓ ଗୋପବନ୍ଧୁ ହାଇସ୍କୁଲ, ନଅପଲ୍ଲୀରେ ପ୍ରଧାନଶିକ୍ଷକ ଭାବରେ ଅବସ୍ଥାପିତ ହୋଇଥିଲେ। ତା’ପରେ ତାଙ୍କର ପ୍ରଥମ ସ୍କୁଲ ଦର୍ପନାରାୟଣପୁର ହାଇସ୍କୁଲର ପ୍ରଧାନଶିକ୍ଷକ ଭାବରେ ୨୦୧୩ ମସିହାରେ ଅବସର ଗ୍ରହଣ କରିଥିଲେ।ତାଙ୍କର ଛାତ୍ର ବତ୍ସଳତା, ବନ୍ଧୁ ବତ୍ସଳତା ସର୍ବୋପରି ମାନବବାଦୀ ବ୍ୟକ୍ତିତ୍ୱ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ଅଭିଭୂତ କରେ। ଦୀର୍ଘ ୬ ବର୍ଷକାଳ କର୍କଟ ରୋଗାକ୍ରାନ୍ତ ନିଜ ପତ୍ନୀ ଗୀତାଞ୍ଜଳି ଦେବୀଙ୍କୁ ଚିକିତ୍ସା କରିବାରେ ଅବହେଳା କରିନଥିଲେ ସୁଦ୍ଧା ଗତ ନଭେମ୍ବର ୨୮ରେ ତାଙ୍କର ଦେହାନ୍ତ ହୋଇଥିଲା। ତଥାପି ଅବିଚଳିତ ଭାବରେ ପାରିବାରିକ ତଥା ସାମାଜିକ ଜୀବନ ଯାପନ କରୁଥିଲେ।
ତାଙ୍କ ଉଭୟଙ୍କ ପ୍ରକାଶିତ ହେଉଥିବା ସ୍ମରଣିକା “ସ୍ମୃତି ସୌରଭ”ର ପ୍ରଚ୍ଛଦପଟ ଉନ୍ମୋଚନ ଅତିଥିମାନଙ୍କ ଦ୍ୱାରା କରାଯାଇଥିଲା। ଅନୁଭୂତି ସମ୍ବଳିତ ଲେଖାମାନ ଆହ୍ୱାନ କରିବା ସହିତ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ପ୍ରକାଶିତ ହେବ ବୋଲି ସଂଯୋଜକ ମନୋଜ କୁମାର ଗୁମାନସିଂହ ସୂଚନା ପ୍ରଦାନ କରିଥିଲେ।
ସୁଶ୍ରୀ ଶ୍ରୁତିପ୍ରଜ୍ଞା ପ୍ରାରମ୍ଭିକ ଭକ୍ତି ସଙ୍ଗୀତ ଗାନ କରିଥିଲେ। ପରିବାର ପକ୍ଷରୁ ଜ୍ୟେଷ୍ଠପୁତ୍ର ଅଭିଳାଷ ଗୌରବ ଅତିଥି ମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। ରିପୋର୍ଟ-ସନାତନ ମହାକୁଡ଼।
Comments are closed.