ଓଡ୍ରାଫ୍‌ ଓ ଅଗ୍ନିଶମ ବାହିନୀର ବଡ଼ ଅଭିଯାନ;ଉଦ୍ଧାର ହେଲେ ୨୪୭ ଛାତ୍ରଛାତ୍ରୀ

0

ପଟ୍ଟାମୁଣ୍ଡାଇ:୪ ଦିନ ଧରି ବନ୍ୟାଜଳରେ ଜଳବନ୍ଦୀ ହୋଇ ରହିଥିବା କୂଳସାହି ଆଶ୍ରମ ସ୍କୁଲର ୨୪୭ ଛାତ୍ରଛାତ୍ରୀଙ୍କୁ ଶେଷରେ ସୁରକ୍ଷିତ ଉଦ୍ଧାର କରାଯାଇଛି। ବ୍ରାହ୍ମଣୀ ନଦୀର ବନ୍ୟାଜଳ ଘେରରେ ଫସିଥିବା ଛାତ୍ରଛାତ୍ରୀଙ୍କୁ ଓଡ୍ରାଫ୍‌ ଓ ଅଗ୍ନିଶମ ବାହିନୀର ମିଳିତ ଉଦ୍ଧାରକାରୀ ଦଳ ଅଭିଯାନ ଚଳାଇ ସୁରକ୍ଷିତ ଭାବେ ବାହାର କରିଛନ୍ତି। ଉଦ୍ଧାର କାର୍ଯ୍ୟରେ ଓଡ୍ରାଫ୍‌ର ୪ଟି ଟିମ୍‌ ସହ ଅଗ୍ନିଶମ ବାହିନୀର ୩ଟି ଟିମ୍‌ ନିୟୋଜିତ ହୋଇଥିଲେ। ଦୀର୍ଘ ସମୟ ଧରି ଜଳବନ୍ଦୀ ଅବସ୍ଥାରେ ଥିବା ଛାତ୍ରଛାତ୍ରୀଙ୍କୁ ଉଦ୍ଧାର ପରେ ପ୍ରଶାସନ ପକ୍ଷରୁ ନିକଟସ୍ଥ ପାଟଣାଦେଈ ଆଶ୍ରମ ସ୍କୁଲକୁ ସ୍ଥାନାନ୍ତର କରାଯାଇଛି।

ସେଠାରେ ଉଦ୍ଧାର ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରାଥମିକ ଚିକିତ୍ସା ସହ ଖାଦ୍ୟ ଓ ଅନ୍ୟାନ୍ୟ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ଚାରି ଦିନ ଧରି ବନ୍ୟାଜଳ ଘେରରେ ରହିଥିବା ୨୪୭ ଛାତ୍ରଛାତ୍ରୀ ସୁରକ୍ଷିତ ଉଦ୍ଧାର ହେବା ପରେ ଅଭିଭାବକ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଶ୍ୱସ୍ତି ପ୍ରକାଶ ପାଇଛି।ବ୍ରାହ୍ମଣୀ ନଦୀର ବନ୍ୟାଜଳ ବୃଦ୍ଧି ଯୋଗୁଁ କୂଳସାହି ଆଶ୍ରମ ସ୍କୁଲଟି ଜଳବନ୍ଦୀ ହୋଇପଡ଼ିଥିଲା। ପରିସ୍ଥିତିକୁ ନଜରରେ ରଖି ପ୍ରଶାସନ ଉଦ୍ଧାର ଅଭିଯାନକୁ ଜୋରଦାର କରିଥିଲା।

Leave A Reply

Your email address will not be published.