ମହଙ୍ଗା ପଡ଼ିଲା କମେଣ୍ଟମରା; ଗଛରେ ବାନ୍ଧିଲେ, ଲଣ୍ଡାକରି ଛେଚିଲେ

ମେଣ୍ଢାଶାଳ: ଜଣେ ଯୁବତୀଙ୍କୁ କମେଣ୍ଟ ମାରିବା ଦୁଇ ଯୁବକଙ୍କ ପାଇଁ ବେଶ୍ ମହଙ୍ଗା ସାବ୍ୟସ୍ତ ହୋଇଛି। ଉତ୍ତ୍ୟକ୍ତ ଲୋକେ ଦୁଇ ଯୁବକଙ୍କୁ ଗଛରେ ବାନ୍ଧି ବହେ ଛେଚିବା ସହ ଲଣ୍ଡା କରି ଗାଁ ବୁଲାଇବା ପରେ ପୁଲିସ ଜିମା ଦେଇଛନ୍ତି। ଅଭିଯୁକ୍ତ ଯୁବକଦ୍ବୟ ହେଲେ ଚନ୍ଦକା ଥାନା ପଳାସପୁର ଗାଁର ସ୍ବପ୍ନେଶ୍ବର ବେହେରା(୩୦) ଓ ଜୁଲୁ ବେହେରା(୩୨)। ସୂଚନାନୁସାରେ ଆଜି ସନ୍ଧ୍ୟା ୭ଟା ବେଳେ ଛତାବର ବଜାରରେ ଜଣେ ଯୁବତୀ ଗୁପ୍‌ଚୁପ୍‌ ଖାଉଥିଲେ। ଏହି ସମୟରେ ସ୍ବପ୍ନେଶ୍ବର ଓ ଜୁଲୁ ସେଠାରେ ପହଞ୍ଚି ଯୁବତୀଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ସହ ଖରାପ ଭାଷାରେ କମେଣ୍ଟ କରିଥିଲେ।

ଏମିତିକି ଜଣେ ଯୁବକ ଯୁବତୀଙ୍କୁ ଟଣାଓଟରା କରିବାକୁ ଉଦ୍ୟମ କରିଥିଲା। ତେଣୁ ଯୁବତୀଜଣକ ଚିତ୍କାର କରିଥି‌ଲେ। ତାଙ୍କ ଚିତ୍କାର ଶୁଣି ଲୋକମାନେ ସେଠାକୁ ଧାଇଁ ଆସିଥିଲେ ଏବଂ ଘଟଣା ଜାଣିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ସେମାନଙ୍କୁ କାବୁ କରି ଗଛରେ ବାନ୍ଧି ଦେଇଥିଲେ। ଏହା ପରେ ଜଣଙ୍କୁ ଅଧା ଲଣ୍ଡା କରି ଛତାବର ଗାଁ ବୁଲାଇଥିଲେ। ଖବର ପାଇ ମେଣ୍ଢାଶାଳ ଫାଣ୍ଡି ପୁଲିସ ସେଠାରେ ପହଞ୍ଚିଥିଲା ଓ ଗ୍ରାମବାସୀମାନେ ସେମାନଙ୍କୁ ପୁଲିସ ଜିମା ଦେଇଥିଲେ।

Comments are closed.