ମାଆ ନାରାୟଣୀ

ଅର୍ଜୁନୀ ଚରଣ ବେହେରା

ଭାରତର ପୂର୍ବ ଉପକୂଳରେ ବିସ୍ତୃତ ହୋଇ ରହିଛି ପୂର୍ବଘାଟ ପର୍ବତ ମାଳା l ଏହି ପର୍ବତ ଶୃଙ୍ଖଳାରେ ରହିଛି ପ୍ରାଚୀରାକୃତି ଭାଲେରୀ ପାହାଡ଼ l ଏହାକୁ ଲାଗିରହିଛି ସୋଲରୀ ଏବଂ ଖଣ୍ଡାହଣା ପାହାଡ଼ l ପ୍ରାକୃତିକ ଶୋଭା ବିମଣ୍ଡିତ ଏହି ପାହାଡ଼ ଗୁଡ଼ିକୁ ଲକ୍ଷ୍ୟ କରି କବିବର ରାଧାନାଥ ରାୟ ଖଣ୍ଡକାବ୍ୟ ଚିଲିକାରେ ଲେଖିଛନ୍ତି :-
ଇନ୍ଦ୍ରନୀଳ କାନ୍ତି ବିଶାଳ ସୋଲରୀ l
ଦେଖିଲେ ମନକୁ ଆସଇ ଏପରି ll
ଉର୍ଦ୍ଧ୍ୱେ ଉଠନ୍ତି କି ଭେଦିଣ ଅବନୀ l
ମୟ ବିରଚିତ ଯାନେ ବୈରୋଚନୀ ll
ପୁଣି ଗୋଦାବରୀଶ ମିଶ୍ର ମାମୁଁଭଣଜା କବିତାରେ ଲେଖିଛନ୍ତି :-
ପାଖକେ ସୋଲରୀ ପାଖକେ ଭାଲେରୀ
ଆରପାଖେ ଖଣ୍ଡାହଣା l
ଏକୁ ଆନ ବଳି ତିନି ପର୍ବତ ଲୋ
ନାହିଁ ନଥିବା ଉପମା ll
ଭାଲେରୀ ସୀମା ନିର୍ଦ୍ଧେଶ କରେ ବହୁ ଐତିହ୍ୟ ବିମଣ୍ଡିତ ବାଣପୁର ରାଜ୍ୟର l ବାଲୁଗାଆଁ ଠାରୁ ଜାତୀୟ ରାଜ ପଥରେ ଦକ୍ଷିଣକୁ ଗଲେ ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲା ସୀମା ଛତ୍ରଗଡ଼ ଘାଟି ପଡ଼େ l ସେଠାରୁ ଡାହାଣକୁ ଗଲେ ପଡ଼ିଥାଏ ଭାଲେରୀ ପାହାଡ଼ ପାଦଦେଶରେ ନୈସର୍ଗିକ ଶୋଭା ରାଶି ମଧ୍ୟରେ ବିରାଜମାନ କରୁଥିବା ମାଆ ନାରାୟଣୀ ପୀଠ l ଆମ୍ର,ପଣସ କୁଞ୍ଜଛାୟା ତଳେ ମାଆଙ୍କର ଛୋଟ ମନ୍ଦିର l ମାଆଙ୍କ ପୀଠ ପାଖ ଦେଇ ବହି ଯାଉଛି ଭାଲେରୀ ପାହାଡ଼ରୁ ନିର୍ଗତ ଏକ ଚିର ସ୍ରୋତା ନିର୍ଝରିଣୀ l ଅଦୂରରେ ନୀଳମ୍ବୁ ଚିଲିକା l ଚିଲିକାରୁ ବହି ଆସୁଥିବା ସୁଲୁ ସୁଲିଆ ଦକ୍ଷିଣା ପବନ ଦର୍ଶକକୁ ନାରାୟଣୀ ପୀଠରେ ମନ୍ତ୍ର ମୁଗ୍ଧ କରେ l ନିଦାଘ କାଳରେ ଏ ସ୍ଥାନରେ ଦର୍ଶକକୁ ମିଳିଥାଏ ଶୈଳନିବାସର ପ୍ରଶାନ୍ତି l
ମା’ ନାରାୟଣୀ ଦଶଭୁଜା ମହିଷମର୍ଦ୍ଦିନୀ ବିଗ୍ରହ l ମାଆ ଖଲିକୋଟର ଭୁତପୁର୍ବ ରାଜା ବାଲୁଙ୍କେଶ୍ୱର ମର୍ଦ୍ଧରାଜଙ୍କ ଦ୍ୱାରା ପ୍ରତିଷ୍ଠିତ l ବାଣପୁର ରାଜ୍ୟର ରାଜା ଜଗନ୍ନାଥ ହରିଚନ୍ଦନ, ଖୋର୍ଦ୍ଧା ରାଜାଙ୍କର କରଦ ରାଜା ଥିଲେ l ରାଜା 1730 ଖ୍ରୀଷ୍ଟାବ୍ଦରେ ଖୋର୍ଦ୍ଧା ରାଜାଙ୍କୁ କର ନ ଦେଇ ଅମାନ୍ୟ କଲେ l ଖୋର୍ଦ୍ଧାରାଜା ରାମଚନ୍ଦ୍ରଦେବ ଆଠଗଡ କୋଦଳା ଜମିଦାରୀର ରଘୁନାଥ ହରି ଚନ୍ଦନଙ୍କୁ ସାମରିକ ସାହାଯ୍ୟଦେଇ ବାଣପୁର ରାଜାଙ୍କୁ ପରାସ୍ତକଲେ l ରଘୁନାଥ ହରିଚନ୍ଦନଙ୍କୁ ଖୋର୍ଦ୍ଧା ରାଜା ଖୁସିହୋଇ ମର୍ଦ୍ଧରାଜ ଭ୍ରମରବର ଉପାଧି ପ୍ରଦାନ କଲେ l ସେ ପୁଣି ସିଂହାସନୀ ତନ୍ତ୍ରପୀଠ ସଂଲଗ୍ନ ପାଞ୍ଚକୋଶ ବ୍ୟାପ୍ତ ଅଞ୍ଚଳ ବାଣପୁର ରାଜ୍ୟରୁ ପାଇଲେ l
ରଘୁନାଥ ହରିଚନ୍ଦନ ଯୁଦ୍ଧ ଜୟ କରି ସାଙ୍ଗରେ ନେଇ ଆସିଥିଲେ ବାଣପୁର ରାଜ୍ୟର ଇଷ୍ଟଦେବୀ ମାଆ ନାରାୟଣୀଙ୍କୁ l ମାଆଙ୍କୁ ସେ ଲଙ୍ଗଣବେଣି ଗଡ଼ରେ ରଖି ପୂଜାକଲେ l ଏହାପରେ ତତ୍କାଳୀନ ଖଲ୍ଲିକୋଟ ରାଜା ବାଲୁଙ୍କେଶ୍ୱର ମର୍ଦ୍ଧରାଜ ଅନ୍ୟ ଏକ ଦଶଭୁଜା ଦୁର୍ଗାମୂର୍ତ୍ତି ନିର୍ମାଣକରି ନାରାୟଣୀ ନାମରେ ଭାଲେରୀ ପାହାଡ଼ ପାଦଦେଶରେ ଏକ ମନ୍ଦିର ନିର୍ମାଣ କରି ସ୍ଥାପନ କଲେ l ସେହି ମାଆ ହେଉଛନ୍ତି ଏବେ ନାରାୟଣୀ ପୀଠରେ ବିରାଜିତା ଅଧିଷ୍ଠାତ୍ରୀ ଦେବୀ l
ବାଣପୁର ଅଧିଷ୍ଠାତ୍ରୀ ଦେବୀ ଭଗବତୀଙ୍କ ରକ୍ଷା କର୍ତ୍ରୀ ଶକ୍ତିରୂପେ ମାଆ ନାରାୟଣୀ ଭଗବତୀଙ୍କ ଦକ୍ଷିଣ ଦିଗରେ ଏହି ପୀଠରେ ବିଜେ କରୁଛନ୍ତି l ପ୍ରତିବର୍ଷ ଚୈତ୍ରଶୁକ୍ଳ ଅଷ୍ଟମୀ ବା ଅଶୋକାଷ୍ଟମୀ ତିଥିରେ ଦୁଇ ଦେବୀଙ୍କର ବାଣପୁର ଗୋବିନ୍ଦପୁର ଗ୍ରାମ ନିକଟରେ ଭେଟ ଯାତ୍ରା ଅନୁଷ୍ଠିତ ହୁଏ l ଷୋଳ ଦିନାତ୍ମକ ଶାରଦୀୟ ଦୁର୍ଗାପୂଜାରେ ମାଆ ଭଗବତୀଙ୍କ ସପ୍ତଶକ୍ତି ପ୍ରତିନିଧି ରୂପେ ନାରାୟଣୀ ଅନ୍ତର୍ଭୁକ୍ତ ହୁଅନ୍ତି ଓ ତାଙ୍କ ଠାରୁ ଭଗବତୀ ଆଜ୍ଞା ମାଳ ପ୍ରାପ୍ତ ହୋଇଥାନ୍ତି l
ମାଆ ନାରାୟଣୀଙ୍କ ପୀଠ ବଣ ପାହାଡ଼ ଘେରା ଅପରୂପ ପ୍ରାକୃତିକ ସବୁଜିମା ମଧ୍ୟରେ ଅବସ୍ଥିତ ଏକ ମନୋରମ ପର୍ଯ୍ୟଟନ ସ୍ଥଳ l ଏହି ପୀଠରୁ ସାମାନ୍ୟ ଉଚ୍ଚତାରେ ଭାଲେରୀ ପାହାଡ଼ ଉପରେ ରହିଛି ମାଆ ବନଦୁର୍ଗାଙ୍କର ଏକ କ୍ଷୁଦ୍ର ମନ୍ଦିର l ମାଆ ନାରାୟଣୀଙ୍କ ମନ୍ଦିର ନିକଟରେ କୁଳୁକୁଳୁ ନାଦରେ ବହି ଯାଉଥିବା ନିର୍ଝରିଣୀଟି ଏହି ଠାରୁ ବାହାରିଛି l ଏଠାରୁ ଅନତିଦୂରରେ ଚିଲିକା ହ୍ରଦ ଅବସ୍ଥିତ l ଏକ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳୀ ଓ ବଣଭୋଜି ସ୍ଥାନ ହୋଇ ଥିବାରୁ ଏଠାରେ ସାରା ବର୍ଷ ପର୍ଯ୍ୟଟକ ମାନଙ୍କର ଆଗମନ ହୋଇଥାଏ l ପର୍ଯ୍ୟଟକ ପ୍ରାକୃତିକ ଶୋଭା ଉପଭୋଗ କରି ଆନନ୍ଦ ଲାଭ କରିବା ସହ ମାଆଙ୍କୁ ଦର୍ଶନ କରି ତାଙ୍କର ଆଶିଷ ପ୍ରାପ୍ତ ହୋଇଥାନ୍ତି l
ଓଁ ମାଆ ନାରାୟଣୀ ନମସ୍ତୁତେ !!!
🙏🙏🙏
ଅର୍ଜୁନୀ
—————
ଅର୍ଜୁନୀ ଚରଣ ବେହେରା
ମୋ – 7693091971

Comments are closed.