ଲକ୍ଷ୍ମୀଛଡ଼ା ଜଗନ୍ନାଥ

ଅର୍ଜୁନୀ ଚରଣ ବେହେରା

ଲକ୍ଷ୍ମୀଛଡ଼ା ଜଗନ୍ନାଥ
==============
ସେଦିନ ଥାଏ ଗୁରୁବାର, ସୁଦଶା ବ୍ରତ l ମହାଲକ୍ଷ୍ମୀ ମହାପ୍ରଭୁ ଜଗନ୍ନାଥଙ୍କ ଅନୁମତିନେଇ ନଗରଭ୍ରମଣ ପାଇଁ ବାହାରିଗଲେ l ମାଆ ବୁଲୁବୁଲୁ ଯାଇ ଗୁଣ୍ଡିଚା ମନ୍ଦିର ଓଳାଉଥିବା ଶ୍ରୀୟା ଚଣ୍ଡାଳୁଣୀ ଘରେ ପହଞ୍ଚି, ତା’ର ପୂଜା ଘେନାକଲେ l ଶ୍ରୀୟା ପୂଜାରେ ସନ୍ତୁଷ୍ଟା ମାଆ ତା’ର ଘର ଧନଧାନ୍ୟରେ ପୂର୍ଣ୍ଣ କରିଦେଲେ l ମାଆ ଶ୍ରୀୟାଚଣ୍ଡାଳୁଣି ଘରେ ପୂଜା ଗ୍ରହଣ କରିଛନ୍ତି, ଏକଥା ପ୍ରଭୁ ଶ୍ରୀବଳଦେବ ଜାଣିପାରି, ଜଗନ୍ନାଥଙ୍କୁ କହିଲେ l ତହୁଁ ଦୁଇଭାଇ ବିଚାରକଲେ ମାଆ ଲକ୍ଷ୍ମୀ ଚାଣ୍ଡାଳ ସାହିକୁ ଯାଇ ଅପବିତ୍ର ହୋଇଛନ୍ତି l ଆମେ ତାଙ୍କୁ ପ୍ରାୟଶ୍ଚିତ କରାଇ ଜାତି ନକରାଇଲେ ମନ୍ଦିର ଭିତରେ ପୁରାଇ ଦେବାନାହିଁ l
ଲକ୍ଷ୍ମୀ ଫେରି ଆସିଲେ, ଶ୍ରୀମନ୍ଦିର l ସିଂହ ଦ୍ୱାରରେ ଓଗାଳି ବସିଛନ୍ତି ଦୁଇଭାଇ l ତାଙ୍କୁ ମନ୍ଦିର ଭିତରକୁ ଛାଡ଼ିବାପାଇଁ ଅନୁରୋଧ କଲେ l ଜଗନ୍ନାଥ ଲକ୍ଷ୍ମୀଙ୍କୁ କହିଲେ, ତୁମେ କଅଣ ବାଇ ହେଲକି ମହାଲକ୍ଷ୍ମୀ ? ତୁମେ କେଉଁଥିପାଇଁ ଚଣ୍ଡାଳ ସାହି ଯାଇଥିଲ l ଏହା ମୁଁ ଜାଣିବା ଆଗରୁ ବଡ଼ଭାଇ ଜାଣିପାରିଛନ୍ତି, ତୁମେ ଅପବିତ୍ର ହୋଇ କିପରି ମନ୍ଦିରରେ ପ୍ରବେଶ କରିବ l
ମୁଁ ଏକା ଦେଖିଥିଲେ ଏହାକୁ ଘୋଡ଼ାଇ ଦେଇଥାନ୍ତି l ମୋର ଆଉ କିଛି ଉପାୟନାହିଁ l ମୋତେ ବଡ଼ଭାଇ ବହୁ ଧିକ୍କାରକରିଛନ୍ତି l ଏବେ ତମେ ଶ୍ରୀମନ୍ଦିର ଛାଡ଼ି ଚାଲିଯାଅ l ତୁମର ଏଠି ଆଉ ସ୍ଥାନ ନାହିଁ l
ମହାଲକ୍ଷ୍ମୀ ଏହା ଶୁଣି କହିଲେ, ତାହେଲେ ମୋତେ ଛାଡ଼ପତ୍ର ଦେଇ, ଶ୍ରୀମନ୍ଦିରରୁ ତଡ଼ିଦିଅ l ଜଗନ୍ନାଥ କହିଲେ, ଛାଡ଼ପତ୍ର !! ଇଏତ ଆମ୍ଭ ଜାତିରେ ଚଳେ ନାହିଁ,ତୁମେ ସେମିତି ବାହାରିଯାଅ l ମୁଁ ଆଉ ତୁମ୍ଭର ମୁଖ ଚାହିଁବି ନାହିଁ l ଲକ୍ଷ୍ମୀ କହିଲେ, ପ୍ରଭୁ ! ସାଗର ମନ୍ଥନ କାଳରେ ଆପଣ ମୋତେ ଦେଇ ଥିବା କଥା ଭୁଲି ଗଲେଣି ବୋଧ ହୁଏ l ଟିକିଏ ସେକଥା ସ୍ମରଣ କରନ୍ତୁ l ହେ ପ୍ରଭୁ ! ଆପଣଙ୍କୁ ମୁଁ କହିଥିଲି,” ଅଷ୍ଟ ଦିନେପଡ଼ିବ ମୋହର ଗୁରୁବାର ପଡ଼ିଚରଚିବି ମୁହିଁ ସଭିଙ୍କ ଘରର ” l ଆପଣ ପରା ହଉ ବୋଲି ଆଜ୍ଞା ଦେଇଥିଲେ l ଆପଣ କିପରି ସତ୍ୟଭଗ୍ନ ହେଉଛନ୍ତି l
ଏଥର ଜଗନ୍ନାଥ କ୍ରୋଧିତହୋଇ ମହାଲକ୍ଷ୍ମୀଙ୍କୁ ତାଙ୍କ ବାପଘର ନାଁ ନେଇ କହିଲେ,ତୋ’ ବାପ ଲୁଣିଆ ତ ଦିନ ରାତି ଗର୍ଜନ କରି ମରୁଛି, ଆଉ ଟେରି ଝିଅର ଗୁଣ କହିଲେ ନସରୁଛି l ବାପର ଗର୍ଜନରେ ତୋର କିଏ ରହିପାରିବ l ସେପାଇଁ ଚାରିପଟେ ମେଘନାଦ ପାଚେରି ତୋଳାଇ ଆମେ ଦୁଇଭାଇ ଶ୍ରୀମନ୍ଦିରରେ ଆରାମରେ ରହିଛୁ l
ଏଥର ଆଉ ମାଆ ମହାଲକ୍ଷ୍ମୀଙ୍କୁ ସମ୍ଭାଳୁଛି କିଏ !!! କହିଲେ, ହେ ଠାକୁରେ ! ଦଣ୍ଡେମାତ୍ର ଅଛବ ଘରେ ପାଦ ଦେଇଥିଲି ଆପଣ ମୋ ବାପ, ଜାତି, ଗୋତ୍ର ନେଇ ଗାଳି ଦେଉଛନ୍ତି, ତେବେ ଶୁଣ ତୁମର ଜାତି ଗୋତ୍ର କଥା l ଶୁଣ, ତୁମ ଗୋତ୍ରର ଗୁଣ l କେବଳ ପ୍ରଭୁ ବୋଲାଉଥିବାରୁ ସବୁ ଗୋପ୍ୟହୋଇ ରହିଛି l
ତୁମେ ଦୁଇଭାଇ ପା ଦ୍ୱାପରରେ ଗଉଡ଼ ଘରେ ବଢ଼ି ବଣରେ ଗାଈ ଚରାଉଥିଲ l ଶବର ଶବରୀ ତୁମକୁ ଅଇଁଠା କୋଳି ଖୁଆଉ ଥିଲେ l ହସ୍ତୀନା ଯାଇଥିଲ ଦୁର୍ଯ୍ୟୋଧନର ଗାଳି ଗୁଲଜ, ଅପମାନ ସହି ବିଦୁର ଘରେ ଶାଗଭାତ ଖାଇଲ l ପୁଣି ବସୁଶବର ତୁମକୁ ବଣରେ ରଖି ଉଚ୍ଚିଷ୍ଠ ବନଫଳ ଖୁଆଇ ପୂଜାକଲା l ତୁମ ଜାତି ଗୋତ୍ରର କି ଠିକଣା ଅଛିଯେ l ନିଜର ତ କିଛି ଠିକଠିକଣା ନାହିଁ l ପର ନିନ୍ଦା ପୁଣି କି ପାଇଁ କରୁଛ l ଭାରିଜା ଦୋଷ କଲେ, ପତି ତାହା ସହ୍ୟ କରେ l ଗୋଟିଏ ଦୋଷରେ କ’ଣ ଭୃତ୍ୟକୁ ଖାଉନ୍ଦ ତେଜ୍ୟାକରେ ? ଆପଣଙ୍କର ଏମିତି କଣ କୌଣସି ବିଚାର ନାହିଁ ଯେ ମୋତେ ବାରବାର ଯାଆ ଯାଆ ବୋଲି କହୁଛ l
ମାଆ ଏତେକଥା କହିଲାପରେ ମଧ୍ୟ ମହାପ୍ରଭୂ କିଛି ଵୁଝିଲେ ନାହିଁ l ବାର ବାର ଗୋଟାଏ କଥା, ଯାଆ ତୋର ଆଉ ମନ୍ଦିରରେ ସ୍ଥାନନାହିଁ l ବାହାରେ ରହ, ଆମେ ତୋତେ ପଡ଼ି ଅନ୍ନ ଯୋଗାଇ ଦେବୁ l ଆମ୍ଭେ ଭାଇଙ୍କ ଆଜ୍ଞାକୁ ଅବଜ୍ଞା କରିପାରିବୁନାହିଁ l ପଛକେ ପରେ ଭାଇଙ୍କୁ ବୁଝାଇ ତତେ ଆଣିବି, ଏବେ ମନ୍ଦିର ଛାଡ଼ି ବାହାରି ଯା l
ଆଉକିଛି ଉପାୟ ନଥିଲା l ଏହାପରେ ମାଆ ଲକ୍ଷ୍ମୀ ଦେହରୁ ସମସ୍ତ ଅଙ୍ଗଭୂଷଣ ଓ ଅଳଙ୍କାରମାନ କାଢ଼ି ଦେଇ ବାହାରିଗଲେ ଏବଂ ଯିବାବେଳେ କହିଦେଇ ଗଲେ, ଦୁନିଆଁରେ ଯଦି ସତ୍ୟ ଥିବ, ସତେ ଯେବେ ଚନ୍ଦ୍ରସୂର୍ଯ୍ୟ ଆତଯାତ ହେଉଥିବେ l ହେ ଜଗନ୍ନାଥ ! ତୁମକୁ କେଉଁଠି ହେଲେ ଦାନା ନ ମିଳୁ l ବାରବର୍ଷ
ଯାଏ ତୁମ୍ଭେ ଦରିଦ୍ରହୋଇ ଭିକ୍ଷାମାଗି ବୁଲ l
ମାଆ ଜଗତର ଅନ୍ନଦାତ୍ରୀ l ସେ କୋପକଲେ ଆଉ କାହାକୁ ଅନ୍ନ ମିଳିବ? ତାହା ହିଁ ହେଲା l ଲକ୍ଷ୍ମୀଛଡ଼ା ହୋଇ ଜଗନ୍ନାଥ ଓ ବଳରାମ ଭିକ୍ଷାମାଗି ବୁଲିଲେ l ଦିନକର ଘଟଣା,ଭୋକରେ ଆଉଟୁ ପାଉଟୁ ହୋଇ ଦୁଇଭାଇ ଯାଇ ଭିକ୍ଷା ଉଦ୍ଧେଶ୍ୟରେ ଜଣେ ବ୍ରାହ୍ମଣୀ ଘର ଆଗରେ ବେଦ ଧ୍ଵନୀ କଲେ l ବ୍ରାହ୍ମଣୀ ଜଣକ ଆଣି ଲିଆ ଭିକ୍ଷା ଦେଉଛନ୍ତି କୁଆଡ଼ୁ ଭୀଷଣ ପବନ ଆସି ସବୁ ଉଡ଼ାଇନେଲା l ଦିଟା ଲକ୍ଷ୍ମୀଛଡ଼ା କୁଆଡୁ ଆସିଛନ୍ତି କହି ବ୍ରାହ୍ମଣୀ ଦୁଇଭାଇଙ୍କୁ ଦୂର୍ ଦୂର୍ କରି ଘଉଡ଼ାଇ ଦେଲା l ଏହିପରି ଦୁଇ ଭାଇ ବାର ଦ୍ଵାର ଶୁଣ୍ଢୀ ପିଣ୍ଡା ହୋଇ ନାନା କଷଣ ଭୋଗିଲେ l ଶେଷକୁ ନିଜ ଭୁଲ ବୁଝି ପାରିଲେ ମହାପ୍ରଭୂ l ଲକ୍ଷ୍ମୀ ଛଡ଼ା ହୋଇ ଆମର ଏ ଦୁର୍ଦ୍ଦଶାହୋଇଛି ବୋଲି ବୁଝି ସେ ବୁଝାଇ ସୁଝାଇ, ମହାଲକ୍ଷ୍ମୀଙ୍କୁ ମନ୍ଦିର ଫେରାଇ ଆଣିଲେ l ଶ୍ରୀମନ୍ଦିରର ଶ୍ରୀ ଫେରିଆସିଲେ l ମାଆ ମହାଲକ୍ଷ୍ମୀ ଆସିଲା ବେଳେ ଗୋଟିଏ ସର୍ତ୍ତ ରଖିଲେ ଏବଂ ମହାପ୍ରଭୂ ଜଗନ୍ନାଥ ତାହାକୁ ସ୍ଵୀକୃତିଦେଲେ l ସେହି ସର୍ତ୍ତ ଥିଲା :-
ହାଡ଼ିର ହସ୍ତୁ ବ୍ରାହ୍ମଣ ଛଡାଇ ଖାଇବେ l
ସମସ୍ତେ ଖାଇଣ ହସ୍ତ ଜଳେ ନଧୋଇବେ ll
ଅନ୍ନଖାଇ ସର୍ବେ ମୁଣ୍ଡେ ପୋଛୁଥିବେ ହସ୍ତ l
ତେବେ ବଡ଼ ଦେଉଳକୁ ଯିବି ଜଗନ୍ନାଥ ll
!!! ଜୟ ମାଆ ମହାଲକ୍ଷ୍ମୀ !!!
🙏🙏🙏
ଅର୍ଜୁନୀ
————–
( ଆଧାର – ବଳରାମ ଦାସଙ୍କ ଲକ୍ଷ୍ମୀ ପୁରାଣ )
ଅର୍ଜୁନୀ ଚରଣ ବେହେରା
ମୋ -7693091971

Comments are closed.