କୁଶ ଲବଙ୍କ ରାମାୟଣ ଗାନ

ଅର୍ଜୁନୀ ଚରଣ ବେହେରା

ମାଆ ଜାନକୀ ନିର୍ବାସନରେ ବାଲ୍ମୀକି ଆଶ୍ରମରେ ଥାନ୍ତି l ସେଠାରେ ତାଙ୍କର ଦୁଇ ଯମଜ ପୁତ୍ର କୁଶ ଓ ଲବ ଜନ୍ମ ହୋଇ ସାରିଥାନ୍ତି l ମହର୍ଷି ବାଲ୍ମୀକି ପୁତ୍ର ଦ୍ବୟଙ୍କୁ ଉତ୍ତମ ଶିକ୍ଷା ଦେଇ ସମସ୍ତ ଶାସ୍ତ୍ରରେ ପାରଙ୍ଗମ କରାଇ ସାରିଥାନ୍ତି ଏବଂ ନିଜ ବିରଚିତ ଶ୍ରୀରାମଙ୍କ ଜୀବନ ଚରିତ ଶ୍ରୀରାମାୟଣ, କୁମାର ଦ୍ବୟଙ୍କୁ ସୁଲଳିତ କଣ୍ଠରେ ଗାନ କରିବାକୁ ଶିଖାଇ ଦେଇଥାନ୍ତି l
ଏହି ସମୟରେ ଦିନେ ପ୍ରଭୁ ଶ୍ରୀରାମ ଦରବାରର ପାରିଷଦ ତଥା ଗୁରୁ ବଶିଷ୍ଠଙ୍କ ସହିତ ପରାମର୍ଶ କରି ଅଶ୍ୱମେଧ ଯଜ୍ଞ କରିବା ପାଇଁ ସିଦ୍ଧାନ୍ତ ଗ୍ରହଣ କଲେ l ବିଭୀଷଣ, ସୁଗ୍ରୀବ, ବହୁ ରାଜା, ଋଷି ଓ ରୀତ୍ତ୍ୱିଜ ମାନଙ୍କୁ ନିମନ୍ତ୍ରଣ କରାଗଲା l ବିପୁଳତର ଆୟୋଜନ ମଧ୍ୟରେ ବର୍ଷାଧିକ କାଳ ଏହି ମହାନ ଯଜ୍ଞ ଅନୁଷ୍ଠିତ ହେଲା l
ନିମନ୍ତ୍ରଣ କ୍ରମେ ମହର୍ଷି ବାଲ୍ମୀକି ଦୁଇ ଶିଷ୍ୟ କୁଶ ଓ ଲବଙ୍କୁ ଧରି ଯଜ୍ଞସ୍ଥଳୀ ନିକଟରେ ତାଙ୍କ ପାଇଁ ଉଦ୍ଦିଷ୍ଟ କୁଟୀରରେ ଅବସ୍ଥାନ କରୁଥାନ୍ତି lସେ ଦୁଇ ଶିଷ୍ୟଙ୍କୁ ଡାକି କହିଲେ ତୁମେ ମାନେ ଯଜ୍ଞ ସ୍ଥଳକୁ ଯାଇ ରାମାୟଣ ଗାନ କର l ଯେଉଁସବୁ ସ୍ଥାନରେ ମୁନି,ଋଷି ଓ ବ୍ରାହ୍ମଣ ମାନେ ରହୁଛନ୍ତି ସେଠାରେ, ରାଜ ମାର୍ଗରେ,ଅଭ୍ୟାଗତ ମାନଙ୍କ ଗୃହରେ ଏବଂ ଅଯୋଧ୍ୟା ରାଜଭବନ ଦ୍ୱାରରେ ସୁମଧୁର ସ୍ୱରରେ ରାମାୟଣ ଗାନ କର l
ପରଦିନ ପ୍ରଭାତରେ କୁଶ ଓ ଲବ ମହର୍ଷିଙ୍କ କଥା ଅନୁସାରେ ବିଭିନ୍ନ ସ୍ଥାନକୁ ଯାଇ ରାମାୟଣ ଗାନ କରିବାକୁ ଲାଗିଲେ l ବୀଣାଧ୍ୱନୀ ସହ ସେମାନଙ୍କ ସୁଲଳିତ କଣ୍ଠରେ ରାମାୟଣ ଗାନ ଯଜ୍ଞ ସ୍ଥଳୀକୁ ଚମତ୍କୃତ କଲା l ସେମାନେ ପ୍ରଥମରୁ ବିଂଶ ସର୍ଗ ପର୍ଯ୍ୟନ୍ତ ଗାନ ଶେଷକଲେ l ପ୍ରଭୁ ଶ୍ରୀରାମ ଅନୁଜ ମାନଙ୍କୁ ଡକାଇ କହିଲେ ଏହି ମୁନିକୁମାର ଦ୍ବୟଙ୍କୁ ଅଷ୍ଟାଦଶ ଶହସ୍ର ସ୍ବର୍ଣ୍ଣ ମୁଦ୍ରା ଦାନ କର l ଲବକୁଶ କହିଲେ,” ଆମେ ତାପସୀ କୁମାର, ଧନ ଆମର କ’ଣ ହେବ l ଆମେ କନ୍ଦମୂଳଭୋଜି ବନବାସୀ l ବନରେ ସୁବର୍ଣ୍ଣର କି ଆବଶ୍ୟକତା ରହିଛି l ଏହା ଶୁଣି ଉପସ୍ଥିତ ସମସ୍ତେ ବିସ୍ମିତ ହେଲେ l ଶ୍ରୀରାମ ସେମାନଙ୍କୁ ପଚାରିଲେ ଏହି କାବ୍ୟ କେତେ ବଡ଼ ଓ କିଏ ଏହାକୁ ରଚନା କରିଛନ୍ତି? ସେ ରଚୟିତା କେଉଁଠି ରହନ୍ତି ? କୁଶ ଲବ ଉତ୍ତର ଦେଲେ ଏହି କାବ୍ୟ ଆମ୍ଭର ତ୍ରିକାଳଦର୍ଶୀ ଗୁରୁ ମହର୍ଷି ବାଲ୍ମୀକି ରଚନା କରିଛନ୍ତି l ଏଥିରେ ଚବିଶ ହଜାର ଶ୍ଳୋକ ଅଛି l ମହର୍ଷି ବାଲ୍ମୀକି ଏହି ଯଜ୍ଞ ସ୍ଥଳୀର ଅନତି ଦୂରରେ ରହୁଛନ୍ତି l
ରାମାୟଣ ଗାନ ଓ ବାଳକମାନଙ୍କର ଉତ୍ତର ଶୁଣି ଏବଂ ସେମାନଙ୍କ ଚେହେରା ଦେଖି ଏମାନେ ଯେ ସୀତାଙ୍କର ଦୁଇ ଯମଜ ପୁତ୍ର ଏହା ଜାଣିବା ପାଇଁ ପ୍ରଭୁ ଶ୍ରୀରାମଙ୍କୁ ଆଉ ବାକି ରହିଲା ନାହିଁ l ସେ ଦୂତମାନଙ୍କୁ ଡକାଇ ଆଜ୍ଞା ଦେଲେ, ତୁମେମାନେ ବାଲ୍ମିକୀଙ୍କ ପାଖକୁ ଯାଇ କୁହ, ଯଦି ସୀତା ଶୁଦ୍ଧ ଚରିତ୍ରା ଓ ପାପ ଶୂନ୍ୟା, ତେବେ ସେ ମୁନିଙ୍କଠାରୁ ଆଦେଶ ନେଇ ଆସି ଏହା ପ୍ରମାଣ କରି ଦେଖାଇ ଦିଅନ୍ତୁ l ଏହା ମୋର ନିବେଦନ ବୋଲି ମୁନିଙ୍କୁ କହିବ ଏବଂ ସୀତା ଓ ମହା ମୁନିଙ୍କର କ’ଣ ଇଚ୍ଛା ତାହା ଆସି ମୋତେ ଜଣାଇବ l ବାଲ୍ମୀକି ତାଙ୍କୁ କହିଲେ ରାମଙ୍କର ଯାହା ଇଚ୍ଛା ତାହା ହିଁ ହେବ l ଶ୍ରୀରାମ, ତା’ ପରଦିନ ସୀତାଙ୍କର ଏହି ପରୀକ୍ଷା ହେବବୋଲି ସମସ୍ତ ଋଷି,ବ୍ରାହ୍ମଣ,ପାରିଷଦ ଏବଂ ପ୍ରଜାଙ୍କୁ ଜଣାଇ ଦେଲେ l ପର ଦିନ ପ୍ରଭାତରେ ବଶିଷ୍ଠ, ବିଶ୍ଵାମିତ୍ର, ନାରଦ, ଦୁର୍ବାସା ଆଦି ମୁନି, ଭଲ୍ଲୁକ,ବାନରଗଣ ଓ ହଜାର ହଜାର ସଂଖ୍ୟାରେ ପ୍ରଜାଗଣ ଆସି ରୁଣ୍ଡ ହେଲେ ମାଆ ଜାନକୀଙ୍କ ପରୀକ୍ଷା ଦେଖିବା ପାଇଁ l
ବାଲ୍ମୀକି ମାଆ ଜାନକୀ ଓ ଦୁଇ କୁମାରଙ୍କୁ ନେଇ ସେଠାରେ ପହଞ୍ଚିଲେ l ସୀତା ଅଧୋମୁଖୀ ହୋଇ କୃତାଞ୍ଜଳୀ ପୁଟରେ ରାମଙ୍କ ମୂର୍ତ୍ତି ନେତ୍ର ପଥରେ ରଖି ବାଷ୍ପlକୂଳ ହୃଦୟରେ ଜନସମୁଦାୟ ମଧ୍ୟରେ ମହର୍ଷି ବାଲ୍ମିକୀଙ୍କ ଅନୁଗମନ କରୁଥାନ୍ତି l ସମସ୍ତ ସଭା ଶୋକାକୁଳ ହୋଇ ଆର୍ତ୍ତନାଦ କରୁଥାଏ l କଷାୟ ବାସ ପରିହିତା ସୀତାଙ୍କୁ ସାଙ୍ଗରେ ଧରି ରାମଙ୍କ ନିକଟରେ ବାଲ୍ମୀକି ପହଞ୍ଚି କହିଲେ,ଏହି ହେଉଛି ସେହି ସତୀ,ପତିବ୍ରତା,ଧର୍ମଚାରିଣୀ ମା’ ସୀତା ଯାହାକୁ ତୁମେ ଲୋକ ଅପବାଦ ଭୟରେ ବିସର୍ଜନ କରିଥିଲ l ଏ ଦୁଇ ଜଣ ଯମଜ ବାଳକ ତୁମର ପୁତ୍ର l ମୁଁ ଋଷି ବଂଶରେ ଜନ୍ମିତ ବାଲ୍ମୀକି l ମୁଁ ଶପଥ କରି କହୁଛି ସୀତାଙ୍କର ଚରିତ୍ର ଶୁଦ୍ଧ l ତାଙ୍କୁ ପାପ ସ୍ପର୍ଶ କରି ନାହିଁ l ଶ୍ରୀରାମ କହିଲେ, ହେ ମହାତ୍ମନ ! ଆପଣ ଯାହା କହୁଛନ୍ତି, ତାହା ସତ୍ୟ l କିନ୍ତୁ ବର୍ତ୍ତମାନ ସର୍ବ ସମ୍ମୁଖରେ ସୀତାଙ୍କୁ ତାଙ୍କ ଶୁଦ୍ଧ ଚରିତ୍ରର ପ୍ରମାଣ ଦେବା ମୁଁ ଚାହେଁ l ମାଆ ଜାନକୀ କାଷ୍ଠ ବତ ଦଣ୍ଡାୟ ମାନ ହୋଇ ଅଶ୍ରୁ ବିସର୍ଜନ କରୁଥାନ୍ତି l କୃତାଞ୍ଜଳୀ ପୁଟରେ ସେ ମାଆ ବସୁଧାକୁ ପ୍ରାର୍ଥନା କରୁଥାନ୍ତି,ହେ ମାଆ ଧରିତ୍ରୀ, ତୁ ବିଦୀର୍ଣ୍ଣ ହୋଇ ଯାଆ ମାଆ, ମୋତେ ତୋ କୋଳରେ ଆଶ୍ରୟ ଦେ ମାଆ !!! ଚତୁର୍ଦିଗରୁ ଏହି ସମୟରେ ସୁଗନ୍ଧିତ ବାୟୁ ପ୍ରବାହ ଆରମ୍ଭ ହେଲା l ଭୂକମ୍ପ ହୋଇ ଧରଣୀ ବିଦୀର୍ଣ୍ଣ ହୋଇ ଏକ ଦିବ୍ୟ ସିଂହାସନ ଅବିଳମ୍ବେ ଉତ୍ଥିତ ହେଲା l ସେହି ଦିବ୍ୟ ସିଂହାସନ ଆରୋହଣ କରି ଭୂମିଜା ସୀତା ଭୁଗର୍ଭକୁ ପ୍ରବେଶ କଲେ l ମା’ଭୂଗର୍ଭରେ ପ୍ରବେଶ କରିବା ସମୟରେ ରାମଙ୍କୁ ହୃଦୟରେ ବସାଇ ସ୍ତୁତି କରିଥିଲେ l ସ୍ଵଭାଵ କବି ଗଙ୍ଗାଧର ମେହେରଙ୍କ ତପସ୍ୱିନୀ କାବ୍ୟ ଭାଷାରେ :-
ଶରଣ ବତ୍ସଳ ଧ୍ୱଜ ରିପୁ ଗଜାଙ୍କୁଶ l
ଦୁଃଖ ଗିରି ବଜ୍ର ଯହିଁ ଦେଖନ୍ତି ବିଦୂଷ ll
ରାଜରାଜେଶ୍ୱରଙ୍କ ସେ ପଦ୍ମପଦ୍ମ ଦ୍ଵନ୍ଦ୍ୟେ l
ଦୀନ ଭିଖାରିଣୀ ଦୂରୁ ନତଶିରେ ବନ୍ଦେ ll

ସିୟା ରାମ ମୟ ସବ ଜଗ ଜାନି l
କରହୁ ପ୍ରନାମ ଯୋରି ଯୁଗ ପାନି ll
🙏🙏🙏
ଅର୍ଜୁନୀ
———-
ମୋ – 7693091971

Comments are closed.