ବରୋଦା, ଗୁଜରାଟ ତାରିଖ: ୧୭.୦୬.୨୦୨୬ ଆଜି ଉତ୍କଳିକା ଓଡ଼ିଶା ସେବା ଟ୍ରଷ୍ଟ, ବରୋଦାର ମାନ୍ୟବର ସଭାପତି, ଉପସଭାପତି, କନଭେନର, ଉପଦେଷ୍ଟା ତଥା ଅନ୍ୟାନ୍ୟ ସଭ୍ୟସଭ୍ୟାମାନେ ଓଡ଼ିଶାର ବିଶିଷ୍ଟ ରାଜନେତା ଏବଂ ବରିଷ୍ଠ ବିଜେପି ନେତା ବୈଜୟନ୍ତ ପଣ୍ଡା ଙ୍କୁ ବରୋଦାର ଅଲକାପୁରୀ ସ୍ଥିତ ସର୍କିଟ ହାଉସ ରେ ସୌଜନ୍ୟମୂଳକ ସାକ୍ଷାତ କରି ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ହାର୍ଦ୍ଦିକ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ।
ଶ୍ରୀ ପଣ୍ଡା ବର୍ତ୍ତମାନ ଓଡ଼ିଶାର କେନ୍ଦ୍ରାପଡା ଲୋକସଭା ନିର୍ବାଚନ ମଣ୍ଡଳୀର ସାଂସଦ ଭାବେ କାର୍ଯ୍ୟରତ ଥିବା ସହିତ ଭାରତୀୟ ଜନତା ପାର୍ଟିର ଜାତୀୟ ଉପସଭାପତି ଏବଂ ସିଓପିୟୁ (୨୦୨୬–୨୦୨୭)ର ଦାୟିତ୍ୱ ମଧ୍ୟ ନିର୍ବାହ କରୁଛନ୍ତି।
ଅପରାହ୍ନ ପ୍ରାୟ ୨ଟା ୪୫ ମିନିଟରୁ ୩ଟା ୩୦ ମିନିଟ ପର୍ଯ୍ୟନ୍ତ ସେ ବରୋଦାରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆ ଭାଇଭଉଣୀମାନଙ୍କ ସହ ଆନ୍ତରିକ ଆଲୋଚନା କରି ସେମାନଙ୍କର ସୁବିଧା–ଅସୁବିଧା, ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକଳାପ ସମ୍ପର୍କରେ ପଚାରି ବୁଝିଥିଲେ।
ଏହି ଅବସରରେ ଉତ୍କଳିକା ଓଡ଼ିଶା ସେବା ଟ୍ରଷ୍ଟ ପକ୍ଷରୁ ବରୋଦାରେ ପ୍ରସ୍ତାବିତ ଶ୍ରୀଜଗନ୍ନାଥ ମନ୍ଦିର ଓ ସାମାଜିକ-ସାଂସ୍କୃତିକ କେନ୍ଦ୍ର ପାଇଁ ଜମି ପଞ୍ଜୀକରଣ କାର୍ଯ୍ୟ ଏକ ବର୍ଷ ପୂର୍ବରୁ ସମ୍ପନ୍ନ ହୋଇଥିବା ବିଷୟ ତାଙ୍କୁ ଅବଗତ କରାଯାଇଥିଲା। ତେବେ ଆର୍ଥିକ ସଙ୍କଟ କାରଣରୁ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆଶାନୁରୂପ ଗତିରେ ଆଗେଇ ପାରୁନଥିବା କଥା ମଧ୍ୟ ଉପସ୍ଥାପନ କରାଯାଇଥିଲା।

ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ପାଇଁ ଜମି ପଞ୍ଜୀକୃତ ହୋଇଥିବା ଖବର ଶୁଣି ଶ୍ରୀ ପଣ୍ଡା ଅତ୍ୟନ୍ତ ଆନନ୍ଦିତ ହୋଇଥିଲେ। ସେ ଏହି ପବିତ୍ର ଓ ମହତ୍ୱାକାଙ୍କ୍ଷୀ ପ୍ରକଳ୍ପ ପାଇଁ ନିଜ ସାମର୍ଥ୍ୟ ଅନୁଯାୟୀ ଆର୍ଥିକ ସହଯୋଗ ପ୍ରଦାନ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ। ଏହାକୁ ସେ ନିଜ ପାଇଁ ଏକ ଗୌରବର ବିଷୟ ବୋଲି ମତ ପ୍ରକାଶ କରିବା ସହ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସମସ୍ତ ପ୍ରବାସୀ ଓଡ଼ିଆ ଭାଇଭଉଣୀଙ୍କ ସୁଖ, ଶାନ୍ତି ଓ ମଙ୍ଗଳ କାମନା କରିଥିଲେ।
ସମାଜର ସଦସ୍ୟମାନଙ୍କ ସହ ଏହି ସୌହାର୍ଦ୍ୟପୂର୍ଣ୍ଣ ମିଳନ ପରେ ଶ୍ରୀ ପଣ୍ଡା ନିଜର ଆନ୍ତରିକ କୃତଜ୍ଞତା ଜଣାଇ ଅନ୍ୟ କାର୍ଯ୍ୟକ୍ରମ ନିମନ୍ତେ ବିଦାୟ ନେଇଥିଲେ। ସେ ଉତ୍କଳିକା ଓଡ଼ିଶା ସେବା ଟ୍ରଷ୍ଟ, ବରୋଦାର ସଦସ୍ୟମାନଙ୍କ ସ୍ନେହ, ଏକତା ଓ ସଂଗଠନ ପ୍ରତି ପ୍ରଶଂସା ବ୍ୟକ୍ତ କରିଥିଲେ ଏବଂ ଭବିଷ୍ୟତରେ ମଧ୍ୟ ଏଭଳି ଆତ୍ମୀୟ ସମ୍ପର୍କ ଅବ୍ୟାହତ ରହିବ ବୋଲି ଆଶା ପ୍ରକାଶ କରିଥିଲେ।
ଜୟ ଜଗନ୍ନାଥ।
Comments are closed.