କାଳର କୁଟିଳ ଗତି

ଅର୍ଜୁନୀ ଚରଣ ବେହେରା

କାଳର କୁଟିଳ ଗତି
==============
ଚାହୁଁଚାହୁଁ ବର୍ଷଟା ଚାଲିଗଲା l ପ୍ରତ୍ୟକ ବର୍ଷ ସରି ଯାଆନ୍ତି l କାଳଶ୍ଚ ନିରବଧି,ବିପୁଳା ଚ ପୃଥ୍ଵୀ, କିନ୍ତୁ ଆମେ ଚାଲୁଛୁ l ଆମ ଚାଲିବାଭିତରେ ଯେ କାଳ ବହି ଯାଉଛି ଏହା ଆମେ ଜାଣି ପାରୁନାହୁଁ l ଚାହୁଁ ଚାହୁଁ ଏମିତି ଜୀବନ ବି ସରିଯିବ l ଇଏ ହେଉଛି କାଳର କୁଟିଳ ଗତି,ଇଏ କାଳ ନୁହେଁ ମହାକାଳ l ଏ କାଳ ସବୁକୁ କବଳିତ କରିନିଏ l ବାୟୁ ମେଘ ଖଣ୍ଡକୁ ଉଡାଇ ନେଲା ଭଳି କାଳ ତାହା ଗର୍ଭରେ ସବୁକୁ ନେଇ ଚାଲିଯାଏ l ସେଥିପାଇଁ ଭାଗବତ କହିଛନ୍ତି :-
କାଳର ବସ ଏ ଜଗତ l
ପ୍ରାଣୀଏ କାଳର ଆୟତ୍ତ ll
ସେ କାଳ ବସେ ସର୍ବେ ଚଳି l
ପବନେ ଯେହ୍ନେ ଘନାବଳି ll
କାଳ ବକ୍ଷରେ କେତେ କେତେ ସଭ୍ୟତା, କେତେ ଯେ ପ୍ରାଣୀ ସଂସାରରୁ ଲିଭି ଯାଇଛନ୍ତି l ଇତିହାସ ସେସବୁର ହିସାବ ରଖିପାରି ନାହିଁ l ଇତିହାସରେ ମନୁଷ୍ୟ ଯେତେ ଦୂରକୁ ଦେଖି ପାରିଛି, ତାହା ହିଁ ଲେଖି ପକାଇଛି l କିନ୍ତୁ କାଳ ତାହାର ଦୃଷ୍ଟି ପଥ ଠାରୁ ଲମ୍ବିଛି ବହୁ ଦୁରକୁ, ଅନନ୍ତ ଦୀର୍ଘ ଏ କାଳ l ଅନନ୍ତ କାଳ ଭିତରେ ଆମର ଏ ଜୀବନ ବୁଦବୁଦ ସଦୃଶ l କାଳକୁ କଣ ମପା ଯାଇ ପାରେ? ମଣିଷ କେବଳ ତା ସୁବିଧା ପାଇଁ କାଳକୁ ମାପିବା ଚେଷ୍ଟା ମାତ୍ର କରିଛି l କାଳକୁ ବାନ୍ଧି ଦେଇଛି ବର୍ଷ, ମାସ, ସପ୍ତାହ,ଦିନ,ଦଣ୍ଡ, ଘଣ୍ଟା, ମିନିଟ, ସେକେଣ୍ଡ ଆଦି ପରିମାପକରେ l କାଳପାଇଁ କୌଣସି ପରିମାପକ ନାହିଁ, ଏହି କଥା କହିଛନ୍ତି, ଆମ ଯୁଗର ପ୍ରଖ୍ୟାତ ବିଜ୍ଞାନୀ ଆଇନଷ୍ଟାଇନ ତାଙ୍କର ଆପେକ୍ଷିକ ତତ୍ତ୍ୱ ମାଧ୍ୟମରେ l ତାଙ୍କ ତତ୍ତ୍ୱଟି ଅତି ସରଳ ଭାବରେ ବୁଝାଯାଏ, “ଗୋଟିଏ ସୁନ୍ଦରୀ ଯୁବତୀ ସହ ବସି କଥା ହେଲେ ଘଣ୍ଟାକ ମିନିଟ ଟିଏ ପରି ଲାଗିବ l କିନ୍ତୁ ଗରମ ଲୁହା ଉପରେ ବସିଲେ ମିନିଟ ଟିଏ ଘଣ୍ଟାଏ ପରି ଲାଗିବ l” କିନ୍ତୁ ଏହି କାଳକୁ ନେଇ ଆମେ ଖେଳଖେଳୁଛୁ l ଆମେ ଭାବୁଛୁ ଆଃ ଆଉ ଟିକିଏ ବଞ୍ଚନ୍ତୁ କି l ଏହା ହିଁ ସବୁଠାରୁ ଆଶ୍ଚର୍ଯ୍ୟ l ମହାଭାରତରେ ଯକ୍ଷ ଧର୍ମରାଜ ଯୁଧିଷ୍ଠିରଙ୍କୁ ପ୍ରଶ୍ନ କରିଥିଲା,” କିମ୍ ଆଶ୍ଚର୍ଯ୍ୟମ୍ “l ଧର୍ମରାଜ ଯକ୍ଷକୁ ଉତ୍ତର ଦେଇ କହିଥିଲେ,” ଦୁନିଆରେ ପ୍ରତି ଦିନ କେତେ ଜୀବ ମରୁଛନ୍ତି,କିନ୍ତୁ ମୃତ୍ୟର ସେ ତାଣ୍ଡବ ଲୀଳାକୁ ଦେଖି ମଧ୍ୟ ମଣିଷ ଚାହୁଁଛି ଦୀର୍ଘ ଜୀବୀ ହେବା ପାଇଁ,ଏହା ହିଁ ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ l” ଜୀବ ମାତ୍ରେ ହିଁ ଜିଁଇଁଵାର ଲାଳସା l ମାତ୍ର କାଳ ଚରୈବତି, ଚରୈବତି ଗତିରେ ଚାଲିଛି, ପଥରେ ସକଳ କବଳିତ କରି l ଦିନ, ରାତି, ମାସ, ବର୍ଷ, ଦଶନ୍ଧି, ଶତାବ୍ଦୀ, ସହସ୍ରାବ୍ଦ ଏହି ଭାବରେ ଗତି କରୁଥିବ କାଳ l ସେଥିପାଇଁ କୁହାଯାଇଛି :-
ପୁନଃ ପ୍ରଭାତେ ପୁନରେବ ଶର୍ବରୀ,
ପୁନଃ ଶଶାଙ୍କ ପୁନରୁଦ୍ୟେତି ରବି l
କାଳସ୍ୟା କିଂ ଗଛତି ଯାତି ଯୌବନଂ,
ତଥାପି ଲୋକଃ କଥିତଂ ନ ବୁଧ୍ୟତେ ll
ଯେଉଁ ବର୍ଷଟି ସରିଲା ତାହା ଗୋଟେ ଛକଯାଗା l କିନ୍ତୁ ଆମେ ଏଇଠି ଟିକିଏ ଅଟକି ପଛକୁ ଚାହିଁବା ଓ ଭାବିବା,ଛାଡ଼ି ଆସିଥିବା ସମୟ ଏବଂ ଅତୀତ ହୋଇଥିବା ବର୍ଷଟି କେମିତି କଟାଇଛୁ,ସେଥିରେ ଆମର କଣ ଉପଲବ୍ଧି ହୋଇଛି, ସେସବୁକୁ ଟିକିଏ ପରଖି ନେବାର ବେଳ, ଆଜିର ଏହି ନୂଆ ବର୍ଷର ମୁହୂର୍ତ୍ତ l ଟିକିଏ ଠିଆହୋଇ ପଛକୁ ଅନାଇ ତାପରେ ଆଗକୁ ଚାଲିବା,କାରଣ ଆଗକୁ ଚାଲିବାହିଁ ଜୀବନ l ଆସନ୍ତୁ ଆଗାମୀ ସମୟ ପାଇଁ ଏହି ଜୀବନଟି ଭଲ ଭାବରେ ଜିଇଁବା ଏହା ହିଁ ସଂକଳ୍ପ ନେବା l ଏମିତି କିଛି କରିବା ଓ କରିଯିବା ଯାହା ଏ ଅନନ୍ତ କାଳ ବକ୍ଷରେ ଛାପଟିଏ ଛାଡ଼ି ଦେବ l ସେ ଛାପ ଯେମିତି ଏ କାଳ ବକ୍ଷରେ କୋଣାର୍କହୋଇ ଠିଆହୋଇଥିବ l କାରଣ :-
ବଳି, ମାନଧାତା ଆଦି କେତେ ମହାମତି l
ସେମାନେ ଗଲେଣି ଚଳି ରହିଛି କୀରତୀ ll
🙏🙏🙏
ଅର୍ଜୁନୀ
—————–
ଅର୍ଜୁନୀ ଚରଣ ବେହେରା
ମୋ -7693091971

Comments are closed.