କରଞ୍ଜିଆ : କରଞ୍ଜିଆ ବ୍ଲକ ବଳା ଓ ତାଟୋ ପଞ୍ଚାୟତରେ ଆଜି ଅପରାହ୍ନ ୪ଟାରେ ଘୁର୍ଣ୍ଣିଝଡ ପ୍ରବଳ କୁଆପଥର ବର୍ଷାହେବା ଫଳରେ ଆକଳନ ବହିର୍ଭୁତ କ୍ଷତି ହେବା ସହ ୨ମୃତ, ୬ ଗୁରୁତର ଏବଂ ୨୦ରୁ ଉର୍ଦ୍ଧ୍ବ ଆହତ ହୋଇଥିବା ଜଣାଯାଇଛି। ଅପରାହ୍ନ ୪ଟାରେ ବଳା ପଞ୍ଚାୟତର ଡୁମୁରିଆ ଗ୍ରାମରେ ଚକାଭଉଁରୀ ଖେଳି କଳାରଙ୍ଗର ବାତ୍ୟା ମାଡି ଆସିଥିଲା। ଝଡର ପ୍ରକୋପ କିଆ ଓ ପାଣପୋଷି ଗ୍ରାମରେ ଆରମ୍ଭ ହୋଇ ତାଣ୍ଡବଲୀଳା ରଚିଥିଲା । କେହି କିଛି ବୁଝିବା ବେଳକୁ ଶତାଧିକ ଘରର ଚାଳ ଉଡିବା ଆରମ୍ଭ ହୋଇଥିଲା। ବଡ଼ବଡ଼ ଗଛ ଭାଙ୍ଗିବା ସହ ଇଲେକ୍ଟ୍ରିଖୁଣ୍ଟ ମୋଡିଦେବା, ଇଲେକ୍ଟ୍ରି ତାର ଛିଣ୍ଡାଇ ତଳେ ପକାଇଥିଲା। ଏଥିସହ ୩ରୁ ୪କେଜି ଓଜନ ପ୍ରାୟ କୁଆପଥର ମାଡ ହୋଇଥିଲା। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିଲା । ତାଟୋରୁ କରଞ୍ଜିଆ ଆଡକୁ ୨୨୦ନଂ ଜାତୀୟ ରାଜପଥ ଦେଇ ଆସୁଥିବା ବେଳେ କଙ୍କଡା ନିକଟରେ ଗୋଟେ ବାଇକ, ଗୋଟେ ସ୍କୁଟି ଓ ଗୋଟେ ଅଟୋକୁ ଉଡାଇନେଇ ନିକଟସ୍ଥ ପୋଖରୀ ଭିତରେ ପକାଇଥିଲା। ରାଜପଥ କଡରେ ଥିବା ଇଲେକ୍ଟ୍ରିଖୁଣ୍ଟ ଓ ଗଛଗୁଡିକ ଭାଙ୍ଗିଯିବା ଦ୍ୱାରା ରାସ୍ତା ଅବରୋଧ ହୋଇଥିଲା ।
ଘୁର୍ଣ୍ଣିଝଡର ପ୍ରଭାବ କମିବା ପରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ, ଉପଖଣ୍ଡ ପୁଲିସ ଅଧିକାରୀ, ଆଇଆଇସି, ଅଗ୍ନିଶମ ବାହିନୀ ଘଟଣାସ୍ଥଳକୁ ଯାଇ ପୋଖରୀରୁ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ଦେଖାଯାଇଛି। ପ୍ରକୃତ ମୃତାହତ ଓ ଆହତଙ୍କ ସଂଖ୍ୟା ଜଣାପଡି ନଥିଲେ ମଧ୍ୟ ସନ୍ଧ୍ୟା ୬ଟା ସୁଦ୍ଧା ୨ମୃତ ଓ ୬ ଗୁରୁତର ଆହତଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି। କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ୨୦ରୁ ଉର୍ଦ୍ଧ୍ବ ଆହତଙ୍କ ଚିକିତ୍ସା ଚାଲୁରହିଛି। ମୋଟ ଉପରେ ଘୁର୍ଣ୍ଣିଝଡ ଯୋଗୁଁ ଡୁମୁରିଆ, କିଆ, ପାଣପୋଷି ଓ କଙ୍କଡା ଗ୍ରାମରେ ବ୍ୟାପକ କ୍ଷତି ହୋଇଥିବା ଜଣାଯାଇଛି। ମୃତକଙ୍କ ମଧ୍ୟରେ ପୁରୁଣାପାଣି ଗ୍ରାମର ମାଳତୀ ମହାନ୍ତ ଓ କେନ୍ଦୁଝର ଜିଲ୍ଲା ପାଟଣା ଥାନା ହଳଦୀବଟା ଗ୍ରାମର ପୋଲିସ ନାୟକ ବୋଲି ଜଣାଯାଇଛି ।
Comments are closed.