ଓଡ଼ିଶାକୁ ଆସିବ କଦଳୀଗଛ ଟିସୁରୁ ପ୍ରସ୍ତୁତ କପଡ଼ାର ସାନିଟାରି ପ୍ୟାଡ୍‌

ଭୁବନେଶ୍ବର: ଜଣେ ମହିଳା ଜୀବନକାଳରେ ଋତୁସ୍ରାବ ବେଳେ ହାରାହାରି ୧୦-୧୫ ହଜାରର ସାନିଟାରି ପ୍ୟାଡ୍‌ର ବ୍ୟବହାର କରନ୍ତି। ଏଥିରେ ଥିବା ଉପାଦାନ ଯୋଗୁଁ ଆବର୍ଜନାର ଏଭଳି ପାହାଡ଼ ତିଆରି ହେଉଛି ଯାହା ସମ୍ପୂର୍ଣ୍ଣ ବିଘଟିତ ହେବା ପାଇଁ ଅନ୍ୟୁନ ୫୦୦ରୁ ୮୦୦ ବର୍ଷ ଲାଗିଥାଏ। ଯାହାକୁ ପରିଚାଳନା କରିବା ୪୦ ହଜାର ପ୍ଲାଷ୍ଟିକ ବ୍ୟାଗର ପରିଚାଳନା ଭଳି କଷ୍ଟକର ଅଟେ ବୋଲି କହିଛନ୍ତି ‘ସୌଖ୍ୟମ’ର ପରିଚାଳନା ନିର୍ଦେଶକ ତଥା ପ୍ୟାଡ୍‌ ମହିଳା ଭାବରେ ପରିଚିତ ଅଞ୍ଜୁ ବିଷ୍ଟ। ଏହାର ସମାଧାନ ପାଇଁ ଶ୍ରୀ ମାତା ଅମୃତାନନ୍ଦମୟୀ ଦେବୀଙ୍କ ସଂସ୍ଥା ପକ୍ଷରୁ କଦଳୀ ଗଛର ଟିସୁରେ କପଡ଼ାର ପୁନଃବ୍ୟବହାରଯୁକ୍ତ ସାନିଟାରି ପ୍ୟାଡ୍‌ ପ୍ରସ୍ତୁତ କରୁଛି। ଯାହା ସ୍ବାସ୍ଥ୍ୟ ଓ ପରିବେଶ ପାଇଁ ସୁରକ୍ଷିତ ଅଟେ। ଭୁବନେଶ୍ବରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅଞ୍ଜୁ ଏହି ପ୍ୟାଡ ବିଷୟରେ ସୂଚନା ଦେବା ସହିତ ଓଡ଼ିଶାରେ ବ୍ୟବହାର ବଢାଇବା ପାଇଁ ପ୍ରସ୍ତୁତି ଚାଲିଥିବା ବିଷୟରେ କହିଥିଲେ। ଏହି ଅବସରରେ ତାଙ୍କ ସହିତ ସାମାଜିକ କର୍ମକର୍ତ୍ତା ସ୍ନେହ ମିଶ୍ର, କୋଚ ଶୁଭସ୍ମିତା ରଥ, ପ୍ରବୀଣ ବିଷ୍ଟ ଉପସ୍ଥିତ ଥିଲେ।

ମାସିକ ଧର୍ମ ସମୟରେ ହେଉଥିବା ଋତୁସ୍ରାବକୁ ନେଇ କଣ ଗବେଷଣା ଚାଲିଛି?
ଋତୁସ୍ରାବ ଶରୀରର ୱେଷ୍ଟ ପ୍ରଡକ୍ଟ ଅଟେ। କିନ୍ତୁ ଏହା ୟୁରିନ କିମ୍ବା ମଳ ଭଳି ନୁହେଁ। ଯେଉଁ ମାସରେ ଶରୀର ଗର୍ଭଧାରଣ କରେ ନାହିଁ, ଏହାର ଆବଶ୍ୟକତା ନଥାଏ। ତେଣୁ ସେହି ମାସରେ ଶରୀର ଏହାକୁ ଛାଡ଼ି ଦିଏ ଯାହାକୁ ଋତୁସ୍ରାବ କୁହାଯାଏ। କିନ୍ତୁ ଗର୍ଭଧାରଣ ସମୟରେ ଋତୁସ୍ରାବର ରକ୍ତରୁ ହିଁ ଭୃଣକୁ ପୁଷ୍ଟି ମିଳେ। ଋତୁସ୍ରାବ ସମୟରେ ବ୍ୟବହାର କରାଯାଇଥିବା ନାପକିନରୁ ଦୁର୍ଗନ୍ଧ ବାହାରୁ ଥିବାରୁ ଆମର ଧାରଣା ରହିଛି ଯେ ଋତୁସ୍ରାବର ରକ୍ତ ହିଁ ଦୁର୍ଗନ୍ଧଯୁକ୍ତ। କିନ୍ତୁ ପ୍ରକୃତରେ ଋତୁସ୍ରାବର ରକ୍ତରେ କୌଣସି ଗନ୍ଧ ନଥାଏ। ଏହା କ୍ଷତ ବେଳର ନିର୍ଗତ ରକ୍ତ ସହିତ ସମାନ ଅଟେ। ବରଂ ଋତୁସ୍ରାବର ରକ୍ତରେ ମାଇକ୍ରୋ ନ୍ୟୁଟ୍ରେଣ୍ଟ ଏବଂ ଷ୍ଟେମସେଲ ଥାଏ। ଏହି ଷ୍ଟେମସେଲକୁ ଅଲଗା କରାଯାଇ କିଭଳି ରୋଗର ମୁକାବିଲା କରାଯାଇ ପାରିବ ଏହାକୁ ନେଇ ଗବେଷଣା କରାଯାଉଛି।

ଆପଣ କହୁଛନ୍ତି ପ୍ଲାଷ୍ଟିକ ପ୍ୟାଡରେ ରସାୟନ ଅଛି ଯାହା ସ୍ବାସ୍ଥ୍ୟ ପ୍ରତି ଠିକ୍‌ ନୁହେଁ। ତାହା କଣ?
ସାନିଟାରି ନାପକିନକୁ ନେଇ ଅନେକ ଗବେଷଣା ହୋଇଛି। ଏଥିରେ ଥିବା ରସାୟନକାରକ ଯୋଗୁଁ ପ୍ରଜନନ ସମସ୍ୟା, କର୍କଟ, ଥାଇରଏଡ଼, ପିସିଓଡି, ପିସିଓଏସ ଭଳି ସ୍ବାସ୍ଥ୍ୟ ସମସ୍ୟା ହେବାର ଆଶଙ୍କା ରହିଛି। ଜଣେ ବାଳିକା ୧୦ ବର୍ଷରୁ ପ୍ରତି ମାସରେ ସାନିଟାରି ନାପକିନର ବ୍ୟବହାର କରୁଛନ୍ତି, ଯାହା ସିଧାସଳଖ ରକ୍ତକୁ ପହଞ୍ଚୁଛି। ଏଥିଯୋଗୁଁ ସେମାନଙ୍କୁ ଉପରୋକ୍ତ ସ୍ବାସ୍ଥ୍ୟ ସମସ୍ୟା ହେବାର ଆଶଙ୍କା ରହିଛି। ଏହାକୁ ନେଇ ଅଧିକରୁ ଅଧିକ ଗବେଷଣା ହେବା ଉଚିତ।

ପୂର୍ବରୁ ଓ ବର୍ତ୍ତମାନ ମଧ୍ୟ କିଛି ପରିବାରରେ କପଡ଼ାର ବ୍ୟବହାର କରୁଛନ୍ତି। ଯାହାକୁ ବିରୋଧ କରି ସାନିଟାରି ନାପକିନ ଆସିଲା। ଆପଣ ମଧ୍ୟ ପରୋକ୍ଷ ଭାବରେ ସେହି କପଡ଼ା ବ୍ୟବହାର କଥା କହୁଛନ୍ତି କେମିତି?
ଏହି ପ୍ୟାଡ୍‌ରେ ବ୍ୟବହୃତ କପଡ଼ା ଅତ୍ୟନ୍ତ ଉଚ୍ଚମାନର। ଏହା ଏକ ସାନିଟାରି ପ୍ୟାଡ୍‌। ଏହାକୁ କପଡ଼ା ସହିତ ତୁଳନା କରନ୍ତୁ ନାହିଁ। ଏହା ପରିଚ୍ଛନ୍ନତା ଓ ପରିବେଶ ଉଭୟ ଦୃଷ୍ଟିରୁ ବ୍ୟବହାର ଯୋଗ୍ୟ। ଏହାକୁ ଧୋଇବା ପାଇଁ ଗରମ ପାଣିର ଆବଶ୍ୟକତା ନାହିଁ। ୫ ମିନିଟ ପର୍ଯ୍ୟନ୍ତ ଧୋଇଲେ ମଧ୍ୟ ଯଥେଷ୍ଟ ଅଟେ। କପଡ଼ା ଭଳି ଏଥିରେ ଦାଗ ଲାଗି ନଥାଏ। ପ୍ରତିଦିନ ସାବୁନରେ ଧୋଇ ଏହାକୁ ଶୁଖାଇଲେ ସର୍ବାଧିକ ୩ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରାଯାଇ ପାରିବ। ଯାହା ପ୍ଲାଷ୍ଟିକ ସାନିଟାରି ନାପକିନରେ ହେଉଥିବା ଖର୍ଚକୁ କମ କରି ଦେବ। କଟା କଦଳୀ ଗଛର ଟିସୁରେ ଏହା ପ୍ରସ୍ତୁତ ହେଉଥିବାରୁ ସ୍ବାସ୍ଥ୍ୟ ପାଇଁ ବିପଦ ନୁହେଁ।

କେଉଁ ରାଜ୍ୟରେ କଦଳୀ ଟିସୁରୁ ପ୍ୟାଡ ପ୍ରସ୍ତୁତ ହେଉଛି?
କଦଳୀ ଗଛକୁ କାଟି ଦିଆଯାଏ। ଏହାର ଟିସୁରୁ ଏହି ପ୍ୟାଡ୍‌ ପ୍ରସ୍ତୁତ ହେଉଛି। କେରଳରେ ଏହାର ଉତ୍ପାଦନ ଆରମ୍ଭ ହୋଇ ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡ଼ୁ, ବିହାର, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡର ଏସ୍‌ଏଚ୍‌ଜି ମହିଳାଙ୍କ ଜରିଆରେ ଏହି କାର୍ଯ୍ୟ ଚାଲିଛି। ଓଡ଼ିଶାରେ ଏହାର ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇ ନାହିଁ। କେନ୍ଦ୍ର ସରକାରଙ୍କ ଜନଶିକ୍ଷା ସଂସ୍ଥାନ ପକ୍ଷରୁ ଅନୁଗୁଳ ଓ କନ୍ଧମାଳରେ ମାତା ଅମୃତାନନ୍ଦମୟୀ ମଠ କାର୍ଯ୍ୟ କରୁଛି। ଏଠାରେ ଏହାର ଉତ୍ପାଦନ ପାଇଁ ପ୍ରସ୍ତୁତି ଚାଲିଛି। ବର୍ତ୍ତମାନ ଓଡ଼ିଶାରେ ଶିକ୍ଷା ବିଭାଗର ସହଯୋଗରେ ବିଭିନ୍ନ ବିଦ୍ୟାଳୟ ସ୍ତରରେ ଏହି ସାନିଟାରି ନାପ୍‌କିନ ବ୍ୟବହାର ନେଇ ଜନସଚେତନତା କରାଯାଉଛି। ଏହି ନାପକିନ ସହରର ଦୋକାନରେ ମିଳେ ନାହିଁ। ଗାଁର ଏସ୍‌ଏଚ୍‌ଜିମାନେ ହିଁ ବିକ୍ରି କରନ୍ତି। କିମ୍ବା ଅନ୍‌ଲାଇନରେ ମିଳେ।

Comments are closed.