ଯୁଧିଷ୍ଠିରଙ୍କ ରକ୍ତ

ଅର୍ଜୁନୀ ଚରଣ ବେହେରା

ପାଣ୍ଡଵମାନଙ୍କର ଅଜ୍ଞାତ ବାସର ଅନ୍ତିମ ସମୟ l ପୂରିବାକୁ ଆଉ ମାତ୍ର ତେରଦିନ ବାକି ରହିଥାଏ l ସେମାନେ ଛଦ୍ମ ନାମ ଏବଂ ଛଦ୍ମ ବେଶରେ ମତ୍ସ୍ୟ ଦେଶରେ ବିରାଟ ରାଜଙ୍କ ଦରବାରରେ ଅବସ୍ଥାନ କରୁଥାନ୍ତି l ଦୁର୍ଯ୍ୟୋଧନ ଇଆଡ଼େ ଲାଗି ପଡ଼ିଥାନ୍ତି ପାଣ୍ଡଵ ମାନଙ୍କୁ ଖୋଜିବାରେ l କାରଣ ସେମାନେ ଧରା ପଡ଼ିଗଲେ ପୁନଃ ବାର ବର୍ଷ ବନବାସ ଏବଂ ଏକବର୍ଷର ଅଜ୍ଞାତ ବାସ କରିବାକୁ ବାଧ୍ୟ ହେବେ l ଏହି ସମୟରେ ଦୁର୍ଯ୍ୟୋଧନଙ୍କ ନିକଟରେ ଖବର ପହଞ୍ଚିଲା ଯେ,ବିରାଟ ସେନାପତି କୀଚକ ମୃତ୍ୟୁ ବରଣ କରିଛି l
ବଳଶାଳୀ କୀଚକକୁ ମାରିବାପାଇଁ କେବଳ ଭୀମ ଓ ବଳରାମ ହିଁ ସମର୍ଥ l ଦୁର୍ଯ୍ୟୋଧନଙ୍କ ଆଶଙ୍କା ଏଣୁ ଦୃଢ଼ୀଭୁତହେଲା ଯେ ଭୀମ ଓ ଅନ୍ୟ ପାଣ୍ଡଵ ମାନେ ବିରାଟ ଦେଶରେ ରହୁଛନ୍ତି l ତେଣୁ ମାମୁଁ ଶକୁନି ଓ ଅନ୍ୟମାନଙ୍କ ପରାମର୍ଶରେ ସେ ବିରାଟ ରାଜଙ୍କ ଉପରେ ଆକ୍ରମଣ କରି ତାଙ୍କର ଗୋଧନ ହରଣ କରି ନେଲେ l କୌରବଙ୍କ ଠାରୁ ଗୋଧନ ଉଦ୍ଧାର କରି ତାଙ୍କୁ ଘଉଡ଼ାଇ ଦେବା ପାଇଁ ମତ୍ସ୍ୟ ସେନା ତାଙ୍କଉପରେ ପ୍ରତିଆକ୍ରମଣ କରିଦେଲେ l ବିରାଟ ସେନାର ନେତୃତ୍ୱ ନେଉଥାନ୍ତି ଭୀରୁ ତଥା ବୃଥା ବାହୁସ୍ଫୋଟ ମାରୁଥିବା ରାଜକୁମାର ଉତ୍ତର l ରାଜ କୁମାରୀ ଉତ୍ତରା,ଭାଇ ଉତ୍ତରର ଭୀରୁପଣ ଜାଣିଥିଲେ l ଏଣୁ ତାଙ୍କୁ ନୃତ୍ୟ ଗୀତ ଶିଖାଉଥିବା ବୃହନ୍ନଳାଙ୍କୁ ( ଛଦ୍ମ ବେଶି ଅର୍ଜୁନ) ସେ ଉତ୍ତରଙ୍କ ସାରଥୀ ରୂପେ ପଠାଇଲେ l ଅର୍ଜୁନ ଜଣେ ବଡ଼ ବୀର ବୋଲି ସେ ଵୃହନ୍ନଳାଙ୍କ ଠାରୁ ଶୁଣିଥିଲେ l ବୃହନ୍ନଳା ଦିନେ ଅର୍ଜୁନଙ୍କ ସାରଥୀ ଥିଲେ ବୋଲି ସେ ମଧ୍ୟ ଵୃହନ୍ନଳାଙ୍କଠାରୁ ଶୁଣିଥିଲେ l ଵୃହନ୍ନଳା ଯେ ଅର୍ଜୁନ ଏହା ତାଙ୍କୁ ଜଣା ନଥିଲା l
ଯୁଦ୍ଧ କ୍ଷେତ୍ରରେ ଘମାଘୋଟ ଲଢ଼େଇ ଚାଲିଥାଏ l ଅର୍ଜୁନ ସମୀ ବୃକ୍ଷରେ ଲୁଚାଇ ରଖିଥିବା ତାଙ୍କର ଅସ୍ତ୍ର ଶସ୍ତ୍ର ଓ ଗାଣ୍ଡୀବ ଧନୁ ଘେନି ଆସି କୌରବ ସେନାଙ୍କ ଉପରେ ପ୍ରଚଣ୍ଡ ଶସ୍ତ୍ରପ୍ରହାର କରୁଥାନ୍ତି l ଅର୍ଜୁନଙ୍କ ବାଣାଘାତରେ ତିଷ୍ଠିନପାରି କିଛି ସମୟ ପରେ କୌରବ ବାହିନୀ ଛତ୍ରଭଙ୍ଗ ଦେଇ ପଳାଇ ଗଲେ l ବିରାଟ ରାଜାଙ୍କୁ ଦୂତମାନେ ଆସି ଖବର ଦେଲେ ମତ୍ସ୍ୟଦେଶର ବିଜୟ ହୋଇଛି l ବିଜୟୀ ରାଜକୁମାର ଉତ୍ତର ଫେରି ଆସୁଛନ୍ତି l
ବିରାଟରାଜ କୁମାର ଉତ୍ତରର ବିଜୟରେ ଅତ୍ୟନ୍ତ ଉତ୍ଫୁଲ୍ଲିତ ହୋଇ କୁମାର ଉତ୍ତରର ବୀରତ୍ୱକୁ ଭୁରି ଭୁରି ପ୍ରଶଂସା ପୂର୍ବକ ନାନା ଉତ୍ସବର ଆୟୋଜନ କରିବାପାଇଁ ପାରିଷଦ ମାନଙ୍କୁ ନିର୍ଦ୍ଦେଶ ଦେଲେ l ଆନନ୍ଦ ଅଧୀର ରାଜା ବିରାଟଙ୍କୁ ଏହି ସମୟରେ କଙ୍କ(ଯୁଧିଷ୍ଠିର) କହିଲେ, ମହାରାଜ ! ଆପଣଙ୍କୁ କହୁଥିଲି ନାଁ ଵୃହନ୍ନଳା ଯାହାର ସାରଥୀ ତାହାର ବିଜୟ ସୁନିଶ୍ଚିନ୍ତ l ବିରାଟଙ୍କର ଦ୍ୟୁତକ୍ରୀଡ଼ା ପାଇଁ ବଡ଼ ଆଗ୍ରହ ଥିଲା l ସେ ସୈରିନ୍ଦ୍ରୀଙ୍କୁ (ଦ୍ରୌପଦୀ) ପଶାପାଲି ଆଣିବାକୁ କହି କହିଲେ, କଙ୍କ ! ଆଜି ମୋର ବଡ଼ ଆନନ୍ଦର ଦିନ,ଆମେ ପଶା ଖେଳିବା ଚାଲ l ପଶାଖେଳ ଆରମ୍ଭ ହୋଇଗଲା l ମଝିରେ ରାଜା ବିରାଟ ପୁଣି ପୁତ୍ରକୁ ପ୍ରଶଂସାକରି କହିଲେ, ଦେଖ କଙ୍କ, ମୋର ବୀରପୁତ୍ର କୌରବ ସେନାଙ୍କୁ କିପରି ଏକା ହରାଇ ଦେଲା l ଯୁଧିଷ୍ଠିର କହିଲେ, ମହାରାଜ ଏଥିରେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ l ଵୃହନ୍ନଳା ଯାହାର ସାରଥୀ ତାହାଙ୍କୁ କଅଣ କେହି ଯୁଦ୍ଧରେ ହରାଇ ପାରେ !!!
ବାରମ୍ବାର କଙ୍କ, ବିରାଟ ପୁତ୍ରଙ୍କୁ ବିଜୟ ଗୌରବ ନଦେଇ ଵୃହନ୍ନଳା ନାମୋଚ୍ଚାରଣ କରୁଥିବା ଦେଖି ବିରାଟରାଜଙ୍କ କ୍ରୋଧର ସୀମା ରହିଲାନାହିଁ l ସେ ଗର୍ଜି ଉଠି କହିଲେ,”ମୂର୍ଖ ବ୍ରାହ୍ମଣ ! ମୋ ଯୋଗ୍ୟ ପୁତ୍ରର ଯେତେବେଳେ ମୁଁ ପ୍ରଶଂସା କରୁଛି, ତୁମେ ସେତିକି ବେଳେ ବୃହନ୍ନଳା ବୃହନ୍ନଳା କହି ତାହାର ଅସମ୍ମାନ କରୁଛ l ରାଜପ୍ରାସାଦରେ ଛାର ନର୍ତ୍ତକୀ କାର୍ଯ୍ୟ କରୁଥିବା ନପୁଂସକ ଜଣେ ନ ଥିଲେ, ମୋ ପୁତ୍ରର ବିଜୟ ଅସମ୍ଭବବୋଲି କହୁଛ l ବନ୍ଧୁତ୍ୱର ସୁଯୋଗ ନେଇ,ତୁମେ କେବଳ ଏହିପରି ସାହସ କରି ପାରିଛ l ଅନ୍ୟ କେହି ହୋଇଥିଲେ ଏଠାରୁ ଜୀବନ ଧରି ଯାଇପାରି ନଥାନ୍ତା l
ବିନୟ ହୋଇ ଯୁଧିଷ୍ଠିର କହିଲେ, ମହାରାଜ ! ମୁଁ ଆପଣଙ୍କ ପୁତ୍ରର କୌଣସି ଅପମାନ କରୁନାହିଁ l ଵୃହନ୍ନଳାକୁ ମୁଁ ଜାଣେ ବୋଲି ତାହାକଥା କହିଲି l ବାସ୍ତବିକ ତ୍ରିଭୁବନରେ ତାହା ଭଳି ଯୋଦ୍ଧା ଆଉ କେହି ନାହିଁ l ରାଜା ଆଉ କ୍ରୋଧ ସମ୍ବରଣ କରି ପାରିଲେ ନାହିଁ l ପଶା କାଠିରେ କଙ୍କଙ୍କ ନାସିକା ଉପରେ ରାଜା ଖୁବଜୋରରେ ଏକ ପ୍ରହାର କଷି ଦେଲେ l ଯୁଧିଷ୍ଠିରଙ୍କ ନାସିକାରୁ ଝରଝର ହୋଇ ରକ୍ତ ବହିବାକୁ ଲାଗିଲା l ସୈରିନ୍ଦ୍ରୀ ଦୌଡ଼ି ଆସି ତାଙ୍କ ଲୁଗା କାନିରେ ରକ୍ତକୁ ପୋଛି ଏକ ସୁବର୍ଣ୍ଣ ପାତ୍ରରେ ଚିପୁଡ଼ି ଦେଲେ l ଅନ୍ତପୁର ପରିଚାରିକା ଜଣେ ତାଙ୍କ ପୁତ୍ରକୁ ଅସମ୍ମାନ କରିଥିବା ବ୍ୟକ୍ତିର ସେବାକରୁଥିବା ଦେଖି ରାଜା ଭୀଷଣ ରାଗିଯାଇ ସୈରିନ୍ଦ୍ରୀଙ୍କ ଉପରେ ଗର୍ଜନକରି କହିଲେ, ତୁମେ ଏ କଅଣ କରୁଛ ସୈରିନ୍ଦ୍ରୀ, ଏଠାରେ ଏସବୁ କି ପାଲା ଚାଲିଛି l ସୈରିନ୍ଦ୍ରୀ କହିଲେ, ମହାରାଜ ! ମୁଁ ଯାହା କରୁଛି,ଆପଣଙ୍କ ମଙ୍ଗଳପାଇଁ କରୁଛି l ଯଦି, ଏହି ନିଷ୍ପାପ ବ୍ରାହ୍ମଣଙ୍କ ରକ୍ତ ଭୂମି ଉପରେ ପଡ଼ି ଥାଆନ୍ତା ତେବେ ଆପଣଙ୍କ ରାଜ୍ୟରେ ଦୀର୍ଘ କାଳ ଅନାବୃଷ୍ଟି ହୋଇ ରାଜ୍ୟକୁ ଚାରିଆଡ଼ୁ ବିପଦ ମାଡ଼ି ଆସିଥାନ୍ତା l ଏଣୁ ମୁଁ ତାଙ୍କର ରକ୍ତ ଭୂମିରେ ପକାଇ ଦେଇ ନାହିଁ l
ଏହି ସମୟରେ ଦୂତ ଆସି ଖବର ଦେଲା, ବିଜୟ ବିମଣ୍ଡିତ ଯୁବରାଜ ଉତ୍ତର ଏବଂ ଵୃହନ୍ନଳା ଫେରି ଆସି ମହାରାଜଙ୍କ ଦର୍ଶନ ଅପେକ୍ଷାରେ ରହିଛନ୍ତି l ବିରାଟ ତାଙ୍କୁ ଶୀଘ୍ର ପ୍ରବେଶ କରାଅ ବୋଲି ଦୂତ ମାନଙ୍କୁ କହିଲେ l ମାତ୍ର କଙ୍କ ଦୂତକୁ ଡାକିନେଇ କାନରେ ଫୁସ ଫୁସ କରି କହିଲେ,’ ଵୃହନ୍ନଳାଙ୍କୁ କହିବ ସେ ଏବେ ଆସିବ ନାହିଁ’ l ଯୁଧିଷ୍ଠିର ଜାଣି ଥିଲେ, କ୍ଷାତ୍ରୋଚିତ ଯୁଦ୍ଧବିନା ତାଙ୍କ ଦେହର କ୍ଷତ ଏବଂ ରକ୍ତ ଦେଖିଲେ ଅର୍ଜୁନ ସହ୍ୟ କରି ପାରିବେ ନାହିଁ l କଅଣ ନାଁ କଅଣ କାଣ୍ଡ କରି ବସିବେ l
ଯୁବରାଜ ଉତ୍ତର ରାଜ ପ୍ରାସାଦରେ ପ୍ରବେଶ କରି ପିତାଙ୍କୁ ପ୍ରଣାମ କଲେ l ଯୁଧିଷ୍ଠିରଙ୍କ ନାକରୁ ରକ୍ତ ବହୁଥିବାର ଦେଖି ସେ ଆଶ୍ଚର୍ଯ୍ୟ ହୋଇ କହିଲେ, ଏହାଙ୍କୁ ଆଘାତ କଲା କିଏ !!! ବିରାଟ କହିଲେ, ମୁଁ ତାଙ୍କୁ ଯଥାର୍ଥରେ ଶାସ୍ତି ଦେଇଛି l ପୁତ୍ର ଉତ୍ତର କହିଲେ, ମହାରାଜ ଆପଣ ଅତି ଅନ୍ୟାୟ କାର୍ଯ୍ୟ କରିଛନ୍ତି l ଆପଣ ଶୀଘ୍ର କ୍ଷମା ପ୍ରାର୍ଥନା କରନ୍ତୁ,ନ ହେଲେ ଆମର ରାଜ୍ୟ ଧ୍ବଂସ ହୋଇଯିବ l ବିରାଟ କ୍ଷମା ପ୍ରାର୍ଥନା କଲେ, କିନ୍ତୁ ରାଜ କୁମାର କାହିଁକି ଏତେ ବିଚଳିତ ହେଉଛନ୍ତି ତାହାର ରହସ୍ୟ ବୁଝି ପାରିଲେ ନାହିଁ l
ଦୁଇଦିନ ପରେ ବିରାଟ ରାଜ୍ୟରେ ବିଜୟ ଉତ୍ସବ ପାଳିତ ହେଲା l ନିମନ୍ତ୍ରିତ ଅତିଥି ମାନେ ଆସନ ଗ୍ରହଣ କରି ବସିଥାନ୍ତି l ଦେଖା ଗଲା ସେମାନଙ୍କ ମଧ୍ୟରେ ରାଜ ପରିଚ୍ଛଦ ପରିହିତ ହୋଇ ବସିଛନ୍ତି ସନ୍ନ୍ୟାସୀ କଙ୍କ, ସୂପକାର ବଲ୍ଲଭ, ଅଶ୍ୱ ମାନଙ୍କ ରକ୍ଷକ ଧର୍ମଗ୍ରନ୍ଥି,ଗୋରକ୍ଷକ ତନ୍ତୀପାଳ, ନର୍ତ୍ତକୀ ଵୃହନ୍ନଳା ଓ ପରିଚାରିକା ସୈରୀନ୍ଦ୍ର l ସଭାଗୃହକୁ ପ୍ରବେଶ କରି ମହାରାଜ ବିରାଟ ଏମାନଙ୍କୁ ଦେଖି ଅତ୍ୟନ୍ତ କ୍ରୁଦ୍ଧହୋଇ କହିଲେ ଏମାନେ କିଏ? କିଏ ଏମାନଙ୍କୁ ଆସନ ଦେଲା l ଅର୍ଜୁନ ଆସନରୁ ଉଠି ପଡ଼ି କହିଲେ, ମହାରାଜ ! ଯେଉଁ ସନ୍ନ୍ୟାସୀ କଙ୍କ ରାଜପରିଚ୍ଛଦ ପରିହିତ ହୋଇ ସଭାରେ ଉପସ୍ଥିତ ଅଛନ୍ତି ସେ ଦେବରାଜ ଇନ୍ଦ୍ରଙ୍କ ଆସନରେ ବସିବା ଯୋଗ୍ୟ l ସେ ହେଉଛନ୍ତି ପାଣ୍ଡଵ ମାନଙ୍କ ଅଗ୍ରଜ ଯୁଧିଷ୍ଠିର l ବିରାଟ ରାଜାଙ୍କ ମୋହ ଭଙ୍ଗ ହେଲା l ତାଙ୍କୁ ଆଉ ଜାଣିବାକୁ ବାକି ରହିଲା ନାହିଁ, ତାଙ୍କ ରାଜ କାର୍ଯ୍ୟରେ ନିଯୁକ୍ତ ଏ ବ୍ୟକ୍ତି ଗଣ ହେଉଛନ୍ତି ପାଣ୍ଡଵ ପଞ୍ଚଭ୍ରାତା ଏବଂ ମହାରାଣୀ ସୁଦେଷ୍ଣାଙ୍କ ସେବାଦାସୀ, ପରିଚାରିକା ସୈରିନ୍ଦ୍ରୀ ହେଉଛନ୍ତି ପାଣ୍ଡଵ ବଧୂ କଲ୍ୟାଣୀ ଦ୍ରୌପଦୀ l
🙏🙏🙏
ଅର୍ଜୁନୀ
———–
ଅର୍ଜୁନୀ ଚରଣ ବେହେରା
ମୋ -7693091971

Comments are closed.