ଘୋଟି ଆସିଲାଣି ଘୋର କଳିକାଳ
କର୍ମ କଷଣକୁ ସଭିଏଁ ଦୁର୍ବଳ।
ଦେଖୁ ଦେଖୁ ସର୍ବେ ହେବେ ହୀନବଳ
ଦେଖି ଦେଖି ସବୁ ଦୁନିଆଁର ରୀତି
ମୁରୁକି ହସୁଛି ଦେଖ ମହାକାଳ।
ଘଡ଼ି ଘଡ଼ି ଛୁଟେ ବ୍ୟାକୁଳ ଜୀବନ
ପାଇବାକୁ ପରା ମହାକାଳ ଫଳ।
ବୃଥା ଅଭିମାନ ଅଳିକ ବଡ଼ିମା
ଛାଡ଼ିଣ ସୁପଥ ହେଉଛି ଆକୁଳ।
ଦୁଇ ଦିନିଆ ଏ ମିଛ ଅଭିନୟ
ସରିଯିବ ସବୁ ପୁରିଲେ ତୋ କାଳ।
ଅଢ଼େଇ ଦିନକୁ ବଢ଼େଇ କରୁଛୁ
ବନ୍ଧ ବାନ୍ଧିବାକୁ ନାହିଁ ଆଉ ବେଳ।
କିଏ କିସ ନେବ ମରିଗଲା ପରେ
କାହିଁପାଇଁ ଆଉ କରୁଛୁ କନ୍ଦଳ।
ମିଛ ସପନକୁ ରାତି କି ଆସିବ
ନିଦ ଭାଙ୍ଗିଗଲେ ହୋଇବ ସକାଳ।
ଜୀବ ଗଲା ବେଳେ ସାଙ୍ଗରେ କେ ଯିବ
ବୃଥା ହୋଇଯିବ ଭବ ରଙ୍ଗ ଖେଳ।
ଦଉଡ଼ି ଦଉଡ଼ି ଜୀବନ ସାରା ତୁ
ମିଛେ ହନ୍ତସନ୍ତ ହେଲୁ ଏତେ କାଳ।
ଶାନ୍ତି ପାଇବାକୁ ଜୀବନେ ତୋହର
ସଞ୍ଚୟ କରତୁ ସତ୍କର୍ମର ଫଳ।
ସତ୍ଯ ନ୍ୟାୟ ଧର୍ମ ସୁପଥରେ ଚଲି
ଅବଶ୍ୟ ହୃଦୟ ହୋଇବ ନିର୍ମଳ।
ସଂସାର ବନ୍ଧନ ମିଛ ପ୍ରଲୋଭନ
ମିଛ ମାୟା ଭରା ଅଟେ ଯେ ଜଞ୍ଜାଳ।
ବଞ୍ଚିବାର ମୋହ ଅଟେ ପ୍ରହେଳିକା
ମିଛଟାରେ ତୁହି ହେଉଛୁ ପାଗଳ।
ଧିଆନ ଦିଅ ତୁ ଆତ୍ମା ନିରଞ୍ଜନେ
ଜୀବନ ତୋହର ହୋଇବ ସଫଳ।
ବୁଝି ପାରିଲେ ତୁ ନିଜକୁ ନିଜେ ତ
ଜୀବନ ତୋହର ନୋହିବ ବିଫଳ।
ଅଜୟ କୁମାର ମହାନ୍ତି
ହରିପୁର।
Comments are closed.