ଝାଡଖଣ୍ଡ ଅଭିନେତ୍ରୀଙ୍କୁ ହତ୍ୟା ଘଟଣା: ଲୁଟେରାଙ୍କୁ ଟଙ୍କା ଦେଇ ସ୍ବାମୀ ହିଁ କରିଥିଲେ ହତ୍ୟା ଷଡ଼ଯନ୍ତ୍ର

ନୂଆଦିଲ୍ଲୀ: ସ୍ବାମୀଙ୍କୁ ବଞ୍ଚାଇବାକୁ ଯାଇ ଝାଡଖଣ୍ଡର ଜଣେ ଅଭିନେତ୍ରୀଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଥିଲା। ଝାଡଖଣ୍ଡର ଅଭିନେତ୍ରୀ ରିୟା କୁମାରୀଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଖବର ମିଳିବା ପରେ ଏବେ ତାଙ୍କ ସ୍ବାମୀ ପ୍ରକାଶ କୁମାର ହିଁ ସୁପାରୀ ଦେଇ ରିୟାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ରିୟା କୁମାରୀ ଝାଡଖଣ୍ଡର ଜଣେ ଧାରାବାହିକ ଅଭିନେତ୍ରୀ ଥିଲେ। ଧାରାବାହିକ  ‘ୱ ଚଳଚିତ୍ର’ର ସେ ଅଭିନେତ୍ରୀ ଥିଲେ। ଅଭିନୟ କରିବା ସହ ସେ ଜଣେ ଲୋକପ୍ରିୟ ୟୁଟ୍ୟୁବର୍ ମଧ୍ୟ ଥିଲେ। ତାଙ୍କ ଲୋକପ୍ରିୟତାକୁ ପସନ୍ଦ କରୁନଥିବା ପ୍ରକାଶ କୁମାର ଅନ୍ୟ ସହ ରିୟା ଅନୈତିକ ସମ୍ପର୍କ ରଖିଥିବା ସନ୍ଦେହ କରି ଏଭଳି କରିଥିବା ରିୟାଙ୍କ ପରିବାର ଅଭିଯୋଗ କରିଛନ୍ତି।

ରିୟା କୁମାରୀଙ୍କ ପରିବାର ପକ୍ଷରୁ କୁହାଯାଇଛି ଯେ ୟୁଟ୍ୟୁବ୍ ବ୍ଲଗ୍ ମାଧ୍ୟମରେ ରିୟାଙ୍କ ଆୟକୁ ପ୍ରକାଶ ପସନ୍ଦ କରୁନଥିଲେ। ଏହା ସହ ରିୟା ଅନ୍ୟ ସହ ଅନୈତିକ ସମ୍ପର୍କ ରଖି ତାଙ୍କୁ ଟଙ୍କା ଦେଉଥିବା ସନ୍ଦେହ କରୁଥିଲେ ପ୍ରକାଶ। ଏବେ ପ୍ରକାଶଙ୍କୁ ପୁଲିସ ରିୟାଙ୍କ ପରିବାରର ଅଭିଯୋଗକ୍ରମେ ଗିରଫ କରିଥିବା ବେଳେ ଅନେକ ପ୍ରଶ୍ନର ଉତ୍ତର ଖୋଜୁଛି। ଯଦି ଲୁଟେରା ସତରେ ଲୁଟିବା ପାଇଁ ଆସିଥିଲେ, ତେବେ ରିୟାଙ୍କୁ ଗୁଳି ମାରି ପ୍ରକାଶଙ୍କୁ ଛାଡ଼ିଦେଲେ କିପରି? ଲୁଟେରା କିଛି ଲୁଟ ନକରି ପ୍ରକାଶଙ୍କୁ ଛାଡ଼ିଦେଲେ କାହିଁକି? ଲୁଟେରାଙ୍କ ପାଖରେ ବନ୍ଧୁକ ଥିବା ବେଳେ ପ୍ରକାଶ ୧କିଲୋମିଟର ଗାଡ଼ି ଚଳାଇ ପୁଲିସ ଷ୍ଟେସନରେ କେମିତି ପହଞ୍ଚିଲେ? ଏଭଳି ଅନେକ ପ୍ରଶ୍ନର ଉତ୍ତର ଖୋଜୁଛି ପୁଲିସ।

ସୂଚନାଯୋଗ୍ୟ, ରିୟା କୁମାରୀ ତାଙ୍କ ସ୍ୱାମୀ ପ୍ରକାଶ କୁମାରଙ୍କ ସହ ଏକ କାରରେ ଯାତ୍ରା କରୁଥିଲେ। ଏହି ସମୟରେ ହାଇୱେରେ କିଛି ଲୁଟେରା ତାଙ୍କ ସ୍ୱାମୀଙ୍କୁ ଲୁଟିବାକୁ ଉଦ୍ୟମ କରିବା ଆରମ୍ଭ କରିଥିଲେ। ମାଡ଼ ମାରି ଲୁଟେରା ପ୍ରକାଶ କୁମାରଙ୍କୁ ଲୁଟିବାକୁ ଚେଷ୍ଟା କରୁଥିବା ଦେଖି ରୋକିବା ପାଇଁ ଆସିଥିଲେ ରିୟା। ଏହା ଦେଖି ରାଗରେ ଲୁଟେରାମ‌ାନେ ରିୟାଙ୍କ ଉପରକୁ ଗୁଳି ଚଳାଇଥିଲେ। ଦେହରେ ଗୁଳିବାଜିବା ପରେ ରିୟାଙ୍କର ମୃତ୍ୟୁ ହୋଇଥିଲା। କୁହାଯାଉଛି ଯେ, ରିୟା କୁମାରୀଙ୍କ ପରିବାର ହାଓ୍ବାଡା ଦେଇ କୋଲକାତା ଯାଉଥିଲେ। କାରରେ ତାଙ୍କ ସ୍ୱାମୀ ପ୍ରକାଶ କୁମାର ଏବଂ ଅଢ଼େଇ ବର୍ଷର ଝିଅ ଉପସ୍ଥିତ ଥିଲେ।

Comments are closed.